fbpx

କାଠପୋଲକୁ ୭୪ ବର୍ଷ ହେଲା ଭରସା କରିଛନ୍ତି ୬୦ ପରିବାର

କୋରାପୁଟ(ଓଡ଼ିଶା ଭାସ୍କର): ଗାଁକୁ ଘେରିଛି ପାହାଡ଼ିଆ ନାଳ ଓ ନଦୀ । ଅନ୍ୟଦିନେ ଯେମିତି ସେମିତି ଚଳିଯାଉଥିଲେ ବି ବର୍ଷାଦିନ ଆସିଲେ ଆଦିମ ମଣିଷ ପରି ଜୀବନ ବିତାଉଛନ୍ତି ଗାଁଲୋକେ । ଘର କହିଲେ ଧାଡ଼ି ହୋଇ ରହିଥିବା କେତେଟି ନଡ଼ା ଛପର । ବର୍ଷା ଝଡ଼ି ଲାଗି ରହିଲେ ବାହ୍ୟ ଜଗତରୁ ବଞ୍ଚିତ ହୁଅନ୍ତି । ନଦୀ ଓ ନାଳରେ ପାଣି ଆସି ଗାଁକୁ ଚାରି ପଟୁ ଘେରିଯାଏ । ଆଉ କିଛି ବାଟ ନ ପାଇ ଜୀବନକୁ ଆଦରି ରହିଥାନ୍ତି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଗୁଡ଼ା ଗାଁର ଏଭଳି ଦୁର୍ଦ୍ଦଶା ।

ତେନ୍ତୁଳିଗୁଡ଼ା ଗାଁରେ କେଉଁ କାଳରୁ ୬୦ଟି ପରିବାର ରହିଆସୁଛନ୍ତି । ଗାଁକୁ ବିଦ୍ୟୁତ ସଂଯୋଗ ହୋଇଛି ହେଲେ ଓଳିଏ ବିଦ୍ୟୁତ ରହିଲେ ଆର ଓଳିକୁ ନାହିଁ । ଅନ୍ଧାର ହେଲେ ଡିବିରି ଆଲୁଅ ଭରସା । ସ୍ୱାଧୀନତାର ୭୪ ବର୍ଷ ବିତିଲାଣି ହେଲେ ଏହି ଗାଁରେ ରହୁଥିବା ୬୦ ପରିବାରଙ୍କୁ ମିଳୁପାରୁନି ମୌଳିକ ସୁବିଧା । ଗାଁକୁ ଚାରି ପଟୁ ଘେରି ରହିଛି ୭ରୁ ଅଧିକ ନାଳ । ଗାଁକୁ ଯିବାକୁ ହେଲେ ହରଡ଼ାପୁଟ, ଡମମୁଦୁଲିପୁଟ ଓ ନନ୍ଦିଗାଁ ପଟୁ ତିନିଟି ପାଦଚଲା ରାସ୍ତା ରହିଛି । କିନ୍ତୁ ବର୍ଷା ୬ ମାସ ଏହି ରାସ୍ତା ଦେଇ ଯିବାଆସିବା ସମ୍ଭବ ହୋଇପାରେନା । ହରଡ଼ାପୁଟ ଦେଇ ତିନିଟ ନାଳ ଡେଇଁଲେ କୋରାପୁଟ ଓ ଦଶମନ୍ତପୁରକୁ ଯୋଡୁଥିବା ରାସ୍ତା ମିଳେ । ତେବେ ଏହିନାଳ ଅତି ଗହରିଆ ହୋଇଥିବାରୁ ଏହା ଉପରେ କାଠ ପକାଇ କେଉଁ କାଳରୁ ଚଳିଆସୁଛନ୍ତି ଗାଁ ଲୋକେ । ଗତବର୍ଷ ପ୍ରବଳରେ ବର୍ଷାରେ ଗାଁର ଉରି ବାଙ୍ଗଡା ଗୌଡ଼ ଓ ଟିଣା ଗୌଡ଼ ପଡ଼ି ଯାଇଥିଲେ । ପୂର୍ବରୁ ସଲିଲ ଗୌଡ଼ ଗହୀର ନାଳରେ ପଡ଼ି ପ୍ରାଣ ହରାଇଥିଲେ । ପ୍ରତିଦିନ ଜୀବନକୁ ପାଣି ଛଡ଼ାଇ ଯିବାଆସିବା କରୁଥିଲେ ମଧ୍ୟ ଗାଁକୁ ଭଲ ରାସ୍ତା କି ପୋଲଟିଏ ହୋଇପାରିଲାନି । ଗାଁକୁ ତିନିବର୍ଷ ତଳେ ୧୦ ଲକ୍ଷ ଟଙ୍କା ବିନିୟମରେ ଏକ ରାସ୍ତା ପାଇଁ କାମ ଆସିଥିଲା । କିନ୍ତୁ ଗାଁର ଏହି ରାସ୍ତା ମଧ୍ୟରେ କିଛି ଲୋକଙ୍କ ଜମି ପଡ଼ିବାରୁ ରାସ୍ତା କାମ ହୋଇପାରିନି । ବ୍ଲକରେ ଟଙ୍କା ପଡ଼ି ରହିଛି ।

ସେହିପରି ଗାଁରେ ୩୦ରୁ ଅଧିକ ୫ବର୍ଷରୁ କମ୍ ଶିଶୁ ଓ ୧୨ରୁ ଅଧିକ କିଶୋର ରହିଛନ୍ତି । ହେଲେ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନ ଥିବାରୁ ଶିଶୁଟିଏ ଆ..ଆ…ଶିଖି ପାରୁନି । ସ୍କୁଲ ନିକଟସ୍ଥ ଗାଁ କେମିଲି ପଦରରେ ଥିବାବେଳେ ବାଟରେ ପଡ଼େ ଦୁଇଟି ବଡ଼ ନାଳ । ତେଣୁ ପିଲାମାନେ ଯାଇପାରନ୍ତି ନାହିଁ । ଗାଁର ୩ଟି ସାହିରେ ୬୦ ପରିବାରର ପ୍ରାୟ ୨୫୦ରୁ ଅଧିକ ଲୋକ ରହୁଛନ୍ତି । କାହାରି ଘରେ ରେଡିଓ କି ଟିଭିଟିଏ ନାହିଁ । କହିବାକୁ ଗଲେ ଗାଁ ଲୋକେ ବଣମଣିଷ ପରି ଜୀବନଯାପନ କରୁଛନ୍ତି ବୋଲି ତେନ୍ତୁଳିଗୁଡ଼ାବାସୀ କହିଛନ୍ତି । ମାଳି ଗୌଡ଼ କହିଛନ୍ତି ଯେ କେଉଁ କାଳରୁ ଏହି ଗାଁରେ ରହି ଆସୁଛୁ । କିନ୍ତୁ କିଛି ସୁବିଧାନାହିଁ । ଦୁଇଟି ନଳକୂପରୁ ଗୋଟିଏ ଅଚଳ । କେତେଥର ଲେଖି ଜଣାଇଥିଲେ ମଧ୍ୟ ବିଡିଓ ଶୁଣୁନାହାନ୍ତି । ଜିଲ୍ଲାପାଳ ମଧ୍ୟ ଆମ ସମସ୍ୟା ବୁଝୁ ନାହାନ୍ତି । ନିର୍ବାଚନ ଆସିଲେ ନେତାଙ୍କୁ ଭୋଟ ଦେଉଛୁ । କନ୍ତୁ ଭୋଟ୍ ସରିବା ପରେ କେହି ପଚାରୁନାହାନ୍ତି ବୋଲି ମାଳି କହିଛନ୍ତି । ଏଥିସହ ଗାଁର ବୃଦ୍ଧବୃଦ୍ଧାଙ୍କୁ ମିଳୁନି ଭତ୍ତା । ସରକାରଙ୍କ ବିଭିନ୍ନ ଯୋଜନା ତେନ୍ତୁଳିଗୁଡ଼ା ପାଇଁ ପାଲଟିଛି ସାତ ସପନ । ଏନେଇ କୋରାପୁଟ ଜିଲ୍ଲାପାଳ ମହମଦ ଅବଦ୍ଦଲ ଅଖତାରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Get real time updates directly on you device, subscribe now.