fbpx

ଦିଲ୍ଲୀରେ ବର୍ଷା ହେବାରୁ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ, କହିଲେ ଭଗବାନ ପ୍ରାର୍ଥନା ଶୁଣିଲେ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ସାଧାରଣ ଜନତା, ସରକାର, ସୁପ୍ରିମକୋର୍ଟ ସମସ୍ତେ ଚିନ୍ତାରେ ଥିବା ବେଳେ ଏଠାରେ ଅଚାନକ ବର୍ଷା ସମସ୍ତଙ୍କ ମନରେ ସାମାନ୍ୟ ଆଶ୍ୱସ୍ତି ଆଣି ଦେଇଛି । ଏହି କ୍ରମରେ ଆଜି ସୁପ୍ରିମକୋର୍ଟରେ ଏ ସଂପର୍କରେ ଚାଲିଥିବା ଶୁଣାଣୀ ସମୟରେ ବିଚାରପତି ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି । ବିଚାରପତି କହିଛନ୍ତି ଆଜି ଦିଲ୍ଲୀରେ ଯେଉଁ ବର୍ଷା ହେଲା ସେଥିରେ ସରକାରଙ୍କର କୌଣସି ବି ଯୋଗଦାନ ନାହିଁ । ଏହା ସହିତ ପ୍ରଦୂଷଣକୁ ସାମ୍ନା କରିବା ଲାଗି ଏ ପର୍ଯ୍ୟନ୍ତ କ’ଣ କ’ଣ ପଦକ୍ଷେପ ନିଆଯାଇଛି ତାହା ମଧ୍ୟ ସରକାରଙ୍କ ଠାରୁ ପଚାରି ବୁଝିଥିଲେ ।

ଶୀର୍ଷ ଅଦାଲତ କେନ୍ଦ୍ର ସରକାର ଓ ପଞ୍ଜାବ ସରକାରକୁ ଏହା ପଚାରିଥିଲେ କି ଆପଣ ଧାନ ଫସଲ କମ୍ କରିବା ଲାଗି କ’ଣ ଯୋଜନା ପ୍ରସ୍ତୁତ କରୁଛନ୍ତି । କୋର୍ଟ କହିଛନ୍ତି ଯଦି ଧାନ ଚାଷ କରାଯିବ ନାହିଁ ତେବେ ନଡା ଜଳାଇବାର ସଂକଟ ଉପୁଜିବ ନାହିଁ । ଏହା ବ୍ୟତିତ ଧାନ ଚାଷରେ ବହୁତ ପାଣି ଆବଶ୍ୟକ ପଡିଥାଏ । ଏହା ବ୍ୟତିତ ଜଳସେଚନ ଲାଗି ଭୂଜଳ ବ୍ୟବହାର କରାଯାଉଥିବାରୁ ଜଳସ୍ତର ମଧ୍ୟ ହ୍ରାସ ପାଉଛି ।

ଏହି ମାମଲାରେ କୋର୍ଟ ୨୧ ନଭେମ୍ବରରେ ପୁନଃ ଶୁଣାଣୀ କରିବେ । ବିଚାରପତି ସଞ୍ଜୟ କିଶନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହି ଶୁଣାଣୀ ସମୟରେ ପ୍ରଦୂଷଣକୁ ନେଇ ବେଶ୍ କଠୋର ମନୋଭାବ ପୋଷଣ କରିଛନ୍ତି । କୋର୍ଟ କହିଛନ୍ତି ଏହି ମାମଲାରେ ଏବେ ବହୁତ ରିପୋର୍ଟ ଆସିଲାଣି । କମିଟି ବି ଗଠନ ହେଲାଣି । କିନ୍ତୁ ପ୍ରାକ୍ଟିକାଲ ସ୍ତରରେ କିଛି ବି ହୋଇନାହିଁ । କୋର୍ଟ କହିଛନ୍ତି ଆମେ ଚାହୁଁଛୁ କି ନଡା ଜଳାଇବା ଉପରେ ସଂପୂର୍ଣ୍ଣ ଭାବରେ ପ୍ରତିବନ୍ଧ ଲାଗୁ । ଏହା କିପରି କରିବେ ତାହା ହେଉଛି ଆପଣଙ୍କ କାମ । ଦୀପାବଳି ପରେ ବାୟୁର ଗୁଣବତ୍ତା ଠିକ୍ ରହିବା ହିଁ ଆମର ଲକ୍ଷ୍ୟ ।

ଏହା ସହିତ ଆଜି ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଓ ଗାଜିଆବାଦରେ ହୋଇଥିବା ବର୍ଷାକୁ ନେଇ ବିଚାରପତି ମଜାଦାର ଟିପ୍ପଣୀ ଦେଇଛନ୍ତି । ବିଚାରପତି କହିଛନ୍ତି ଲୋକଙ୍କ ପାଖରେ ଏହି ଗୋଟିଏ ବିକଳ୍ପ ଥିଲା କି ଈଶ୍ୱରଙ୍କୁ ପ୍ରାର୍ଥନା କରିବା । ଏ କ୍ଷେତ୍ରରେ ଭଗବାନ ଡାକ ଶୁଣିଛନ୍ତି ଓ ବର୍ଷା ହେବା ଦ୍ୱାରା ପ୍ରଦୂଷଣ ସମସ୍ୟାରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି । ଏଥିରେ ସରକାରଙ୍କର କୌଣସି ଯୋଗଦାନ ନାହିଁ ।

Get real time updates directly on you device, subscribe now.