fbpx
BSKY SKY
BSKY SKY

ଅଜଣା ଗାଡି ଧକ୍କାରେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ମୃତ୍ୟୁ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୈତିକ ଜଗତରୁ ଆସିଛି ଏକ ଦୁଃଖ ଖବର। ଅଜଣା ଗାଡି ଧକ୍କାରେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ଅକାଳ ବିୟୋଗ ଘଟିଛି। ଗଞ୍ଜାମ ଜିଲ୍ଲାରୁ ଆସିଛି ଏଭଳି ଏକ ଖବର। ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଯମୁନା ନାଇକଙ୍କ ସ୍ୱାମୀ ଆମର ନାଇକଙ୍କ ଦେହାନ୍ତ ଘଟିଛି । ତେବେ ଆମରଙ୍କ ମୃତ୍ୟୁ ଖବର ଜିଲ୍ଲାବାସୀଙ୍କୁ ଶୋକ ସାଗରରେ ବୁଡ଼ାଇ ଦେଇଛି।

ସୂଚନା ଅନୁଯାୟୀ, ଦିଗପହଣ୍ଡି ବ୍ଲକ୍‌ ଅଧ୍ୟକ୍ଷା ଯମୁନା ନାଇକଙ୍କ ସ୍ୱାମୀ ଆମର ନାଇକ ଆଜି ସନ୍ଧ୍ୟା ବେଳେ ବାଇକ୍‌ରେ ଚିକିଟିରୁ ନିଜ ଘର ଦେଖାଳି ଫେରୁଥିଲେ। ତେବେ ଚିକିଟି-ଦିଗପହଣ୍ଡି ମୁଖ୍ୟ ରାସ୍ତାର ଜକର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିଟି ମେଡିକାଲ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେ.ନୂଆଁ ଗାଁ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଚେଦ ପାଇଁ ପଠାଇ ଦେଇଛି।

ସୂଚନା ଥାଉକି, ଯମୁନା ନାଇକ ବିବାଦୀୟ ସ୍ଥିତିରେ ବ୍ଲକ ଅଧ୍ୟକ୍ଷା ହୋଇଥିଲେ। ରାଜନୀତିରେ ତିଷ୍ଠିବା ପାଇଁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା। ବିଜେପି ନେତା ବିପିନ ପ୍ରଧାନଙ୍କ ସମର୍ଥକ ଥିଲେ ଆମର। କିଛି ଦିନ ତଳେ ଆମର ବିଜେପିରେ ସାମିଲ ହୋଇଥିଲେ। ଆମରଙ୍କ ଭଳି ଜଣେ ଯୁବ ନେତାଙ୍କ ଅଚାନକ ବିୟୋଗରେ ସ୍ଥାନୀୟ ଅଞ୍ଚଳର ଲୋକେ ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ଜଣେ ମିଷ୍ଟଭାଷୀ ନେତା ଭାବେ ଅମର ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ।

 

 

Get real time updates directly on you device, subscribe now.