fbpx

ପୁଣି ସିଲ୍ ହେଲା କାର୍ ଖାନା; ଭେଣ୍ଡିଙ୍ଗ୍ ଜୋନ ସିଲ୍ କଲା ଏନଫୋର୍ସମେଣ୍ଟ ଟିମ୍

ଭୁବନେଶ୍ୱର: ଆଇଜି ପାର୍କ ନିକଟସ୍ଥ ରାସ୍ତାରେ କାରରେ ଖାଦ୍ୟ ଆଣି ବିକ୍ରି କରୁଥିଲେ ଚର୍ଚ୍ଚିତ ଦୁଇ ଯା’ । ଭଲ ବେପାର ହେବା ସହ ଦର କମ୍ ଥିବାରୁ ଲୋକ ଖାଇବାକୁ ପସନ୍ଦ କରୁଥିଲେ । କାର ଯୋଗେ ଖାଦ୍ୟ ଆଣି ବିକ୍ରି କରିବାରୁ ଏହାର ନାଁ କାର ଖାନା ରଖିଥିଲେ । ହେଲେ ବିନା ଟ୍ରେଡ୍ ଲାଇସେନ୍ସରେ ବେପାର କରୁଥିଲେ ବୋଲି ୫ ହଜାର ଫାଇନ୍ କାଟି ବନ୍ଦ କରିଦେଇଥିଲା ଭୁବନେଶ୍ବର ମହାନଗର ନିଗମ (ବିଏମସି) । ପରେ ଜନପଥରେ ଥିବା ଭେଣ୍ଡିଂ ଜୋନରେ ବ୍ୟବସାୟ ପାଇଁ ଦୋକାନ ଭଡ଼ାରେ ନେଇ ବେପାର ଆରମ୍ଭ କଲେ । ହେଲେ ଏବେ ପୁଣି ୨ ଭେଣ୍ଡି ଜୋନକୁ ସିଲ୍ କରିଛି ବିଏମସି । ଏଥିସହ ଭେଣ୍ଡିଂ ଜୋନର ମୂଳ ମାଲିକଙ୍କୁ ସୋ- କଜ୍ ନୋଟିସ୍ ଜାରି କରିଛି ବିଏମସି ।

ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ନରଖିଲେ ଉକ୍ତ ଭେଣ୍ଡି ଜୋନ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଶନିବାରଠାରୁ କାର ଖାନାକୁ ସିଲ୍ କରାଯାଇଥିବାବେଳେ ଏଯାବତ୍ ଏନେଇ କାହାର ଉତ୍ତର ହସ୍ତଗତ ହୋଇନାହିଁ । ତେବେ ଜନପଥର ବାମପାର୍ଶ୍ବରେ ପ୍ରାୟ ୧୫୦୦ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି । ଜନପଥ କଡ଼ରେ ବସୁଥିବା ବ୍ୟବସାୟୀଙ୍କୁ ପର୍ଯ୍ୟାୟକ୍ରମେ ଏଥିରେ ଥଇଥାନ କରାଯାଇଛି । ଭଡ଼ାରେ ନେଇ ଭେଣ୍ଡିଂ ଜୋନ ଖୋଲୁଥିବା ୨ ଯାଙ୍କର ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Get real time updates directly on you device, subscribe now.