fbpx

ବ୍ୟାଙ୍କର ଘରୋଇକରଣ ଉପରେ ମୌସୁମୀ ଅଧିବେଶନରେ ବିଲ୍ ଆଣିବେ କେନ୍ଦ୍ର ସରକାର, ଏମିତି ରହିଛି ରୂପରେଖ

ନୂଆଦିଲ୍ଲୀ: ଚଳିତ ବର୍ଷ ସଂସଦର ମୌସୁମୀ ଅଧିବେଶନରେ ମୋଦୀ ସରକାର ସାର୍ବଜନୀନ ବ୍ୟାଙ୍କର ଘରୋଇକରଣ ପାଇଁ ବିଧେୟକ ଆଣିବାକୁ ପ୍ରସ୍ତୁତି କରୁଛନ୍ତି। ବିଧେୟକର ପ୍ରାବଧାନ ଅନୁସାରେ ଯେଉଁ ବ୍ୟାଙ୍କରେ ଘରୋଇ ସେକ୍ଟରର ଭାଗିଦାରିତା ରହିଛି, ସେହି ବ୍ୟାଙ୍କରୁ ସରକାର ନିଜର ଅଂଶଧନ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିନେବେ। ଏହି ଉଦ୍ଦେଶ୍ୟରେ ସରକାର ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଧେୟକ ଆଣୁଛନ୍ତି।

ବ୍ୟାଙ୍କିଙ୍ଗ କମ୍ପାନୀଜ ଆକ୍ଟ ୧୯୭୦ ମୁତାବକ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡିକରେ ସରକାରଙ୍କ ୫୧ ପ୍ରତିଶତ ଭାଗିଦାରୀ ରହିଛି। ତେବେ ସରକାର ପୂର୍ବରୁ ପ୍ରସ୍ତାବ ଦେଇଥିଲେ ବ୍ୟାଙ୍କଗୁଡିକରେ ସରକାରଙ୍କ ଭାଗିଦାରିତା ୫୧ ପ୍ରତିଶତ ନରହି କେବଳ ୨୬ ପ୍ରତିଶତ ରହୁ। ସମୟକ୍ରମେ ଏହା ଧିରେ ଧିରେ ହ୍ରାସ ପାଇ ଚାଲିବ। ସରକାରଙ୍କ ଉଦ୍ଦେଶ୍ୟ ଘରୋଇ ସେକ୍ଟର ସହଭାଗିତା ଥିବା ବ୍ୟାଙ୍କରୁ ସଂପୂର୍ଣ୍ଣ ଭାବେ ନିଜର ଅଂଶଧନ ପ୍ରତ୍ୟାହାର କରାଯିବା ଉଚିତ୍।

ଇକୋନୋମିକ୍ସ ଟାଇମ୍ସ ସହ ଆଲୋଚନା ବେଳେ ଜଣେ ସରକାରୀ ଅଧିକାରୀ କହିଛନ୍ତି, ଏହି ବିଧେୟକର ରୂପ ରେଖ ପ୍ରସ୍ତୁତ କରାଯାଉଛି। ବିଧେୟକ ମୌସୁମୀ ଅଧିବେଶନରେ ଗୃହରେ ଆଗତ ହୋଇପାରେ। ତା ପରେ ବ୍ୟାଙ୍କ ସଂପର୍କିତ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଅର୍ଥ ମନ୍ତ୍ରଣାଳୟ ସଂପ୍ରତି ରିଜର୍ଭ ବ୍ୟାଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା ଚଳାଇଛି। ବର୍ତ୍ତମାନର ନିୟମ ଅନୁଯାୟୀ, କୌଣସି ବି ଘରୋଇ ବ୍ୟାଙ୍କରେ କେନ୍ଦ୍ର ସରକାରଙ୍କ ୨୬ ପ୍ରତିଶତ ଅଂଶଧନ ରହିବ।

କେଉଁ ବ୍ୟାଙ୍କରୁ ସରକାର ନିଜର ଅଂଶଧନ ପ୍ରତ୍ୟାହାର କରିବେ ଏ ପର‌୍ୟ୍ୟନ୍ତ ସେହି ବ୍ୟାଙ୍କର ନାମ କହି ନାହାନ୍ତି। ମାତ୍ର ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆକୁ ସଂପୂର୍ଣ୍ଣ ଭାବେ ଘରୋଇକରଣ କରାଯାଇପାରେ। ସରକାର ଏହି ଦୁଇ ବ୍ୟାଙ୍କରୁ ନିଜର ଅଂଶଧନ ହ୍ରାସ କରିବା ଉପରେ ବିଚାର କରୁଛନ୍ତି। ଏ ସମ୍ବନ୍ଧରେ ନିବେଶକ, ବ୍ୟାଙ୍କର୍ସ ଏବଂ ଇଣ୍ଡଷ୍ଟ୍ରୀରୁ କିଛି ପ୍ରସ୍ତାବ ମିଳିଥିବା କହିଛନ୍ତି ଅଧିକାରୀ। ସୂଚନାଯୋଗ୍ୟ, ବଜେଟ୍ ଉପସ୍ଥାପନ ସମୟରେ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ଯେ, କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ଏକ ବୀମା କମ୍ପାନୀରେ ଘରୋଇ ସେକ୍ଟରର ଭାଗିଦାରିତାକୁ ପ୍ରୋତ୍ସାହନ ଦେବେ।

Get real time updates directly on you device, subscribe now.