fbpx
BJD SKY
BJD SKY

ସୁସ୍ଥ ହୋଇ ପଡ଼ିଆକୁ ଫେରିଲେ ଶତକବୀର ଜଏସ୍ୱାଲ: ଟିମ ଇଣ୍ଡିଆକୁ ବଡ଼ ଆଶ୍ୱସ୍ତି

BJD

ନୂଆଦିଲ୍ଲୀ: ଚତୁର୍ଥ ଦିନ ଖେଳ ଆରମ୍ଭରୁ ଆକ୍ରମକ ବ୍ୟାଟିଂ ଆରମ୍ଭ କରିଛି ଟିମ ଇଣ୍ଡିଆ । ଶୁଭମନ ଗିଲ ଏବଂ କୁଳଦୀପ ଯାଦବ ଦମଦାର ବ୍ୟାଟିଂ କରି ଭାରତକୁ ୩୭୦ ରନରୁ ଅଧିକ ଅଗ୍ରଣୀ ଦେଇଛନ୍ତି । କିନ୍ତୁ ଏହି ସମୟରେ ନିଜ ଶତକ ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ଶୁଭମନ ଗିଲ୍ ରନ୍ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ୧୫୧ ବଲରୁ ୯ଟି ଚୌକା ଏବଂ ୨ଟି ଛକା ସହ ୯୧ ରନ୍ କରି ରନ୍ ଆଉଟ ହୋଇଛନ୍ତି ଗିଲ୍ । ଏହାପରେ ମଧ୍ୟ ଟିମ ଇଣ୍ଡିଆର ପ୍ରଶଂସକ ଖୁବ ଖୁସି ମନାଉଛନ୍ତି । କାରଣ ଶୁଭମନଙ୍କ ସ୍ଥାନ ପୂରଣ କରିବାକୁ ମଇଦାନକୁ ଫେରିଛନ୍ତି ଦଳର ଷ୍ୟାର ଓପନର ଯଶସ୍ୱୀ ଜଏସ୍ୱାଲ । ତୃତୀୟ ଦିନରେ ୧୦୪ ରନରେ ରିଟାୟାର୍ଡ ହର୍ଟ ହୋଇ ପଡ଼ିଆ ଛାଡ଼ିଥିବା ଯଶସ୍ୱୀ ବର୍ତ୍ତମାନ ପୁଣିଥରେ ମଇଦାନକୁ ଫେରିଛନ୍ତି ।

ଭାରତୀୟ ପାଳିର ୬୪ ତମ ଓଭରର ଶେଷ ବଲରେ କୁଳଦୀପ ଯାଦବ ୧ ରନ୍ ନେବାକୁ କଲ୍ କରିଥିଲେ । ତେବେ ଗିଲ୍ ଏବଂ କୁଳଦୀପଙ୍କ ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ନିଜ ଶତକରୁ ବଞ୍ଚିତ ହୋଇ ପାଭିଲିୟନ ଫେରିଛନ୍ତି ଶୁଭମନ । ଏହାପରେ ତାଙ୍କ ସ୍ଥାନରେ ଟିମ ଇଣ୍ଡିଆର ଶତକବୀର ଯଶସ୍ୱୀ ଜଏସ୍ୱାଲ ପୁଣିଥରେ ମଇଦାନରେ ଏଣ୍ଟ୍ରି କରିଛନ୍ତି । ଗତକାଲି ପିଠି ଯନ୍ତ୍ରଣା ଏବଂ ବାମ ପାଦରେ କ୍ରାମ୍ପ ଯୋଗୁଁ ସେ ପଡ଼ିଆ ଛାଡ଼ି ଫେରି ଯାଇଥିଲେ । କିନ୍ତୁ ବର୍ତ୍ତମାନ ସେ ସୁସ୍ଥ ହୋଇ ପେରିବା ପରେ ଭାରତୀୟ ଫ୍ୟାନ୍ସମାନଙ୍କୁ ଆଶ୍ୱସ୍ତି ମିଳିଛି । ସୂଚନା ଥାଉ କି, ଭାରତ ଏହି ଇନିଂସ କେବଳ ୧୦ ଜଣଙ୍କୁ ନେଇ ଖେଳୁଛି । କାରଣ ବ୍ୟକ୍ତିଗତ କାରଣ ଯୋଗୁଁ ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ମ୍ୟାଚ ଅଧାରୁ ଘରକୁ ପେରି ଯାଇଛନ୍ତି । ତେଣୁ ତାଙ୍କ ସ୍ଥାନରେ ଦେବଦତ୍ତ ପାଡ୍ଡିକଲ କେବଳ ଫିଲ୍ଡିଂ କରିବା ପାଇଁ ଉପଲବ୍ଧ ରହିଛନ୍ତି ।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୪ ୱିକେଟ ହରାଇ ୨୫୮ ରନ୍ ସଂଗ୍ରହ କରିଛି । ଏହାସହିତ ଇଂଲଣ୍ଡ ଉପରେ ବର୍ତ୍ତମାନ ଭାରତ ୩୮୪ ରନ ଅଗ୍ରଣୀ ହାସଲ କରିଛି । ଶୁଭମନ ଗିଲ୍ ୯୧ ରନ୍ କରି ରନ୍ ଆଉଟ ହେବା ପରେ କୁଳଦୀପ ଯାଦବ ମଧ୍ୟ ୨୭ ରନ୍ କରି ପାଭିଲିୟନ ଫେରିଛନ୍ତି । ତେବେ ଯଶସ୍ୱୀ ଜଏସ୍ୱାଲ ଏବଂ ସରଫରାଜ ଖାନ୍ ଭାରତୀୟ ଇନିଂସକୁ ଆଗକୁ ନେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

Get real time updates directly on you device, subscribe now.