fbpx

ହାତ ଛାଡ଼ି ପଦ୍ମ ଧରିବେ କମଲନାଥ ! ଏମିତି ହେଲେ ବିଜେପିକୁ କ’ଣ ହେବ ଫାଇଦା

ନୂଆଦିଲ୍ଲୀ: କିଛି ମାସ ପରେ ଲୋକସଭା ନିର୍ବାଚନ । ଏନେଇ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ନିର୍ବାଚନ ପୂର୍ବରୁ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିମଧ୍ୟରେ
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବିଜେପିରେ ସାମିଲ ହେବ ନେଇ ଚର୍ଚ୍ଚା ହେଉଛି । ତେବେ କମଲନାଥଙ୍କ ସହିତ ତାଙ୍କ ପୁଅ ତଥା ସାଂସଦ ନକୁଲନାଥ ମଧ୍ୟ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହା କଂଗ୍ରେସ ପାଇଁ ବଡ଼ ଝଟକା ହେବ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ କମଲନାଥ ବିଜେପିରେ ସାମିଲ ହେଲେ ଦଳକୁ ୩ଟି ବଡ଼ ଫାଇଦା ହେବ ।

– ପ୍ରଥମ: କଂଗ୍ରେସକୁ ଆର୍ଥିକ ଝଟକା- କଂଗ୍ରେସ ପାଇଁ ପାଣ୍ଠି ଯୋଗାଡ଼ କରିବା ପାଇଁ କମଲନାଥଙ୍କୁ ସବୁଠାରୁ ବଡ଼ ଉତ୍ସ ଭାବେ ବିବେଚିତ କରାଯାଇଛି । ଦେଶର ରାଜନୈତିକ ଗ୍ରାଫର ସ୍ଥିତିକୁ ଦେଖିଲେ ଅନୁମାନ କରି ହେବ ଯେ ପରବର୍ତ୍ତୀ ସମୟରେ କଂଗ୍ରେସକୁ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡ଼ିପାରେ । ଏହା ପୂର୍ବରୁ ମହାରାଷ୍ଟ୍ରର ମିଲିନ୍ଦ ଦେଓଡ଼ା କଂଗ୍ରେସରୁ ବିଦାୟ ନେଲା ପରେ ଦଳକୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

– ଦ୍ୱିତୀୟ: କଂଗ୍ରେସରେ ଫାଟ- ଅଧିକାଂଶ ସମୟରେ କଂଗ୍ରେସରେ ଦଳୀୟ କନ୍ଦଳକୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ସେଥିପାଇଁ ଅନେକ କଂଗ୍ରେସ କର୍ମୀ, ନେତା ଓ ବିଧାୟକ ଦଳ ତ୍ୟାଗ କରିଛନ୍ତି । ଏମିତିକି କଂଗ୍ରେସ କ୍ଷମତାରେ ଥିବା ରାଜ୍ୟଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । କଂଗ୍ରେସରେ ଫାଟ ସୃଷ୍ଟି ହେବା ଏହି କଥାର ସଂକେତ ଦେଉଛି ଯେ ବିଜେପି ଦେଶରେ ସବୁଠାରୁ ବଡ଼ ରାଜନୈତିକ ଦଳ ଭାବରେ ଉଭା ହୋଇଛି । ଯାହା ବିରୋଧୀ ଦଳଗୁଡ଼ିକୁ ପଛରେ ପକାଇ ଆଗକୁ ମାଡ଼ି ଚାଲିଛି ।

– ତୃତୀୟ: କଂଗ୍ରେସର ସ୍ଥିତି ଦୁର୍ବଳ କରିବାରେ ସହଜ- ପୂର୍ବରୁ କଂଗ୍ରେସରୁ ଅନେକ ଭେଟେରାନ୍ ଓ ଅଭିଜ୍ଞ ନେତା- ମନ୍ତ୍ରୀମାନେ ବିଦାୟ ନେଇ ସାରିଛନ୍ତି । ଏଥିପାଇଁ କଂଗ୍ରେସକୁ ଅନେକ କ୍ଷତିର ସାମ୍ନା କରିବାକୁ ପଡ଼ିଥିଲା । ବର୍ତ୍ତମାନ କମଲନାଥ କଂଗ୍ରେସରୁ ବିଦା ହେଲେ ଦଳ ପାଖରେ କୌଣସି ବଡ଼ ଆଞ୍ଚଳିକ ନେତା ରହିବ ନାହିଁ ।

Get real time updates directly on you device, subscribe now.