ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ନିର୍ବାଚନ ଆୟୁକ୍ତ ନିଯୁକ୍ତି ସମ୍ପର୍କିତ ବିଧେୟକ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ନିର୍ବାଚନ ଆୟୁକ୍ତ ନିଯୁକ୍ତି ସମ୍ପର୍କିତ ବିଧେୟକକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ସ୍ୱୀକୃତି ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ କେନ୍ଦ୍ର ସରକାର ଏ ସମ୍ପର୍କରେ ଆଇନର କାର୍ଯ୍ୟକାରୀ ଲାଗି ବିଜ୍ଞପ୍ତି ଜାରି କରିଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଅନ୍ୟ ନିର୍ବାଚନ ଆୟୁକ୍ତ (ନିଯୁକ୍ତି, ଚାକିରି ସର୍ତ୍ତାବଳୀ ଓ କାର୍ଯ୍ୟ ଅବଧି) ବିଧେୟକ ୨୦୨୩ ଗତ ଶୀତ ଅଧିବେଶନ କାଳରେ ସଂସଦର ଉଭୟ ଗୃହର ଅନୁମୋଦନ ଲାଭ କରିଥିଲା । ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଅନ୍ୟ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ନିମନ୍ତେ ଆଇନ ମନ୍ତ୍ରୀ ଓ ସଚିବ ପାହ୍ୟାର ଦୁଇଜଣ ଅଧିକାରୀ ୫ ଜଣିଆ ତାଲିକା ପ୍ରସ୍ତୁତ କରିବେ । ଏହି ତାଲିକାକୁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ଅନ୍ୟ ଜଣେ କ୍ୟାବିନେଟ୍‍ ମନ୍ତ୍ରୀ ଅନୁମୋଦନ କରିବା ପରେ ରାଷ୍ଟ୍ରପତିଙ୍କ ନିକଟକୁ ସୁପାରିସ କରାଯିବ ।