fbpx

ବିଶ୍ୱକପ୍‍ ହକି ପାଇଁ ଚଳଚଞ୍ଚଳ କଟକ ସହର

କଟକର ବାରବାଟୀ ଷ୍ଟାଡିୟମ୍‍ରେ ଆସନ୍ତା ୧୧ ତାରିଖରେ ବିଶ୍ୱକପ୍‍ ହକିର ଉଦ୍‍ଘାଟନ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ କଟକ ସହର ଚଳଚଞ୍ଚଳ ହୋଇଉଠିଛି । ମୁମ୍ବାଇର ଏକ ଇଭେଣ୍ଟ ମ୍ୟାନେଜ୍‍ମେଣ୍ଟ ସଂସ୍ଥାର ୨୦ରୁ ଅଧିକ ଇଂଜିନିୟର, ଷ୍ଟେଜ୍‍ କ୍ରିଉ ନିର୍ମାଣ ଦାୟିତ୍ୱରେ ଲାଗିଛନ୍ତି । ବିଶ୍ୱକପ୍‍ ପାଇଁ ସହର ସୁସୁଜ୍ଜିତ ହୋଇଥିବାବେଳେ ବେଲଭ୍ୟୁ ଛକ, ନେତାଜୀ ସେତୁ, ବାରବାଟୀ କିଲା, ଗଡ଼ଖାଇ ଆଦି ଆକର୍ଷଣୀୟ ରୂପରେ ସୁସଜ୍ଜିତ ହୋଇଛି । ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ପ୍ରାୟ ୫୦ ହଜାର ଦର୍ଶକ ସାମିଲ ହେବେ ବୋଲି ଆକଳନ କରାଯାଇଛି ।

ସିଏମ୍‍ସି ପକ୍ଷରୁ ଏଥିପାଇଁ ୫ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଥିବାବେଳେ ତଳ ବାଲିଯାତ୍ରା ପଡିଆରେ ସାଧାରଣ ଦର୍ଶକ ଓ ଭିଆଇପିଙ୍କ ପାଇଁ ପୃଥକ୍‍ ପୃଥକ୍‍ ବାଇକ୍‍ ଓ କାର୍‍ ପାର୍କିଂ ଷ୍ଟାଣ୍ଡ୍‍ କରାଯାଇଛି । ଏହି ଦୁଇ ପାର୍କିଂ ଷ୍ଟାଣ୍ଡ୍‍କୁ ଯିବାଲାଗି କାର୍ତ୍ତିକେଶ୍ୱର ଗଡ଼ା ଓ ଡିସିପି ଅଫିସ୍‍ ସାମ୍ନାରେ ଦୁଇଟି ରାସ୍ତା ରଖାଯାଇଛି । ସେହିପରି କେମ୍ବ୍ରିଜ୍‍ ସ୍କୁଲ ପରିସରରେ ଭିଆଇପି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ପାର୍କିଂର ବ୍ୟବସ୍ଥା କରାଯାଇଥିବାବେଳେ ଖ୍ରୀଷ୍ଟିଆନ୍‍ ପଡିଆ ଓ ଦୟାଶ୍ରମ ପରିସରରେ ମଧ୍ୟ ପାକିଂ ହେବ । ମଙ୍ଗୁଳି କିମ୍ବା ନଖରା ଆଡୁ ଆସୁଥିବା ଦର୍ଶକ ଶିଖରପୁର ଦେଇ ଯୋବ୍ରା ରାସ୍ତାରେ ବାଲିଯାତ୍ରା ତଳ ପଡିଆକୁ ଆସି ଗାଡ଼ି ପାକିଂ କରିବେ । ଚହଟା ପଟେ ହରିଣ ପାର୍କ ଦେଇ କାର୍ତ୍ତିକେଶ୍ୱର ଗଡ଼ାରେ ପାକିଂ ପଏଣ୍ଟକୁ ଯିବାର ବ୍ୟବସ୍ଥା କରାଯାଇଛି । ୧୧ ତାରିଖ ଦିନ ପ୍ରାୟ ଗୋଟାଏ ବେଳ ଠାରୁ ଗୀର୍‍ନାର ହୋଟେଲ, ସିଡିଏମ୍‍ଓ ଅଫିସ୍‍ ସାମ୍ନା, ବିଜୁପଟ୍ଟନାୟକ ଛକ ଏବଂ କେମ୍ଭ୍ରିଜ୍‍ ସ୍କୁଲ ରାସ୍ତାରେ କମିଶନରେଟ୍‍ ପୁଲିଓ ପକ୍ଷରୁ ବ୍ଲକିଂ କରାଯିବ ବୋଲି ସୂଚନା ଦିଆଯାଇଛି ।

ଉଦ୍‍ଘାଟନୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଉତ୍ସବରେ ଷ୍ଟାଡିୟମ୍‍ ଭିତରେ ଏବଂ ବାହାରେ ୫୦ ପ୍ଲାଟୁନ୍‍ ଫୋର୍ସ୍‍ ମୁତୟନ ରହିବେ ବୋଲି ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଷ୍ଟାଡିୟମ୍‍ ଭିତରକୁ ଦିନ ସାଢ଼େ ୨ଟାରୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯିବ । କୌଣସି ଦର୍ଶକ ଷ୍ଟାଡିୟମ୍‍ ଭିତରକୁ ଖାଦ୍ୟ କିମ୍ବା ପାଣି ବୋତଲ ନେଇପାରିବେ ନାହିଁ । ହକି ବିଶ୍ୱକପ୍‍ ନିମନ୍ତେ ସମଗ୍ର ବିଶ୍ୱର ଅତିଥି କଟକରେ ଏକାଠି ହେବାକୁ ଥିବାରୁ ପୁଲିସ୍‍ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଷ୍ଟାଡିୟମ୍‍କୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଆଜି ସ୍ପେନ୍‍ର ହକି ଟିମ୍‍ ଭୁବନେଶ୍ୱରରେ ପହଞ୍ଚିଥିବାବେଳେ ଆସନ୍ତା ୧୩ ତାରିଖରେ ଭାରତ ସହ ପ୍ରଥମ ମ୍ୟାଚ୍‍ ଖେଳିବ ।

Get real time updates directly on you device, subscribe now.