fbpx
BSKY
BJD MC SKY
BJD YOUTH SKY

ନେପାଳ କ୍ରିକେଟ୍ ଦଳ ଅଧିନାୟକ ସନ୍ଦୀପଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ, ଗିରଫ ପରୱାନା ଜାରି କଲେ ଅଦାଲତ

କାଠମାଣ୍ଡୁ: ନେପାଳ କ୍ରିକେଟ୍ ଦଳ ଅଧିନାୟକ ସନ୍ଦୀପ ଲାମିଚାନେଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ହୋଇଛି । ନେପାଳର ରାଜଧାନୀ କାଠମାଣ୍ଡୁସ୍ଥିତ ଏକ ହୋଟେଲ ରୁମ୍‌ରେ ସେ ଜନୈକା ୧୭ ବର୍ଷିଆ ବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ କାଠମାଣ୍ଡୁ ପୋଲିସ୍ ସର୍କଲର ଗୌଶାଳା ମେଟ୍ରୋପଲିଟାନ୍ ଥାନାରେ ଏକ ଏତାଲା ଦାଏର ହୋଇଛି । ତିନି ସପ୍ତାହ ତଳେ ଏହି ଘଟଣା ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ୨୨ ବର୍ଷିୟ ସନ୍ଦୀପ ଏହି ବାଳିକାଙ୍କୁ ନେଇ କାଠମାଣ୍ଡୁ ଓ ଭକ୍ତପୁର ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲାଇବା ପରେ ଶେଷରେ ତାଙ୍କୁ ଉକ୍ତ ଦିନ ରାତିରେ ହୋଟେଲ ରୁମ୍‌କୁ ନେଇଥିଲେ । ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରାଯାଇଛି ।

ତେବେ ପୋଲିସ ଏହି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ପାଇଁ ପ୍ରମାଣ ସଂଗ୍ରହ କରୁଛି । ହୋଟେଲ ରୁମ୍‌ରୁ ଉଭୟଙ୍କର ଗତିବିଧି ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଅନୁଧ୍ୟାନ କରୁଛି । ତେବେ ଘଟଣାର ସମସ୍ତ ତଥ୍ୟ ହସ୍ତଗତ ପରେ ପ୍ରକୃତ କଥା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ସୂଚନାଯୋଗ୍ୟ ଯେ, ସନ୍ଦୀପ ଲାମିଚାନେ ନେପାଳର ପ୍ରଥମ କ୍ରିକେଟର୍ ଭାବେ ଇଣ୍ଡିଆନ୍ ପ୍ରିମିୟମ୍‌ ଲିଗ୍ (ଆଇପିଏଲ୍‌) ଖେଳିବା ସୁଯୋଗ ପାଇଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ୍ ପକ୍ଷରୁ ୨୦୧୮ ଆଇପିଏଲ୍‌ ପାଇଁ ସନ୍ଦୀପ ଅନୁବନ୍ଧିତ ହୋଇଥିଲେ ।

ଏହି ଦୁଷ୍କର୍ମ ଅଭିଯୋଗ ନେଇ ସନ୍ଦୀପ କହିଛନ୍ତି ଯେ, ଏହା ଆଦୌ ସତ୍ୟ ନୁହେଁ । ମୋ ବିରୁଦ୍ଧରେ ଏହା ଏକ ମିଥ୍ୟା ଅଭିଯୋଗ । କ୍ରିକେଟ୍‌ ଆସୋସିଏସନ୍ ଅଫ୍ ନେପାଳ ପକ୍ଷରୁ ଫୋନ୍ ଯୋଗେ ତାଙ୍କ ସହିତ ଆଲୋଚନା ବେଳେ ସେ ଏହି କଥା କହିଛନ୍ତି । ତେବେ ପୋଲିସ ତଦନ୍ତ ଶେଷ ହେବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ । ଏହି ଘଟଣା ସତ୍ୟ ହୋଇଥିଲେ ସନ୍ଦୀପ ଦଣ୍ଡର ସମ୍ମୁଖୀନ ହେବା ସମ୍ଭାବନା ରହିଛି । ତେବେ ଏହି ଘଟଣା ନେଇ ଅଦାଲତ ଗୁରୁବାର ଦିନ ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛନ୍ତି । ସନ୍ଦୀପ ସମ୍ପ୍ରତି ୱେଷ୍ଟଇଣ୍ଡିଜ୍‌ରେ ଟି-୨୦ ଲିଗ୍ ଖେଳୁଥିବା ବେଳେ ଏହି ଘଟଣା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।

Get real time updates directly on you device, subscribe now.