ନବଦାସ ହତ୍ୟାକାଣ୍ଡରୁ ଉଠିବ ପରଦା, ତଦନ୍ତ କରିପାରେ ସିବିଆଇ
ନିଦରୁ ଉଠିଲେ ଦୀପାଳି। ସିବିଆଇ ତଦନ୍ତ ନେଇ ବଢ଼ିଲା ଆଶା। ସରକାରଙ୍କୁ ଲିଖିତ ଅଭିଯୋଗ କରିବେ ନବଙ୍କ ଝିଅ। ତଦନ୍ତ ହେଲେ ପୁରା ସହଯୋଗ କରିବେ ପରିବାର
ଭୁବନେଶ୍ୱର: ଆଇନମନ୍ତ୍ରୀଙ୍କ ଆହ୍ୱାନ ପରେ ନିଦରୁ ଉଠିଲେ ଦୀପାଳି ଦାସ। ନବ ଦାସ ହତ୍ୟାକାଣ୍ଡର ହୋଇପାରେ ସିବିଆଇ ତଦନ୍ତ। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଲିଖିତ ଅଭିଯୋଗ କରିବେ ବୋଲି କହିଲେ ଦୀପାଳି ଦାସ।
ଯଦି ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତି ତେବେ, ତାଙ୍କ ପୁରା ପରିବାର ଏଥିରେ ସହଯୋଗ କରିବେ ବୋଲି କହିଛନ୍ତି ଦୀପାଳି। ଯାହା ପରେ ରାଜନୈତିକ ମାହୋଲରେ ଅନେକ ଚର୍ଚ୍ଚା ଜୋର ଧରିଛି।
ନବ ଦାସ ହତ୍ୟା ପଶିପାରେ ସିବିଆଇ: ବହୁ ଚର୍ଚ୍ଚିତ ନବଦାସ ହତ୍ୟାକାଣ୍ଡ ମାମଲା। ପୂର୍ବତନ ସ୍ୱାସ୍ଥ୍ୟାମନ୍ତ୍ରୀ ନବଦାସଙ୍କ ପ୍ରକୃତ ହତ୍ୟାକାରୀ କିଏ। ଘଟଣାକୁ ପାଖାପାଖି ଦେଢ ବର୍ଷ ବିତିଯାଇଥିଲେ ସୁଦ୍ଧା, ଏବେ ଯାଏଁ ପ୍ରକୃତ ଅପରାଧୀ କିଏ ତାହା ଜଣା ପଡିନାହିଁ।
ବରଂ ନୂଆ ସରକାର ହତ୍ୟା ଘଟଣାର ତଦନ୍ତ ହେବା କଥା ଉଠାଇବାପରେ ଦିନକୁ ଦିନ ଅନେକ କଥା ସାମ୍ନାକୁ ଆସୁଛି।
ଦୀର୍ଘ ଦିନ ହେବ ବାପାଙ୍କ ହତ୍ୟା ଘଟଣାକୁ ନେଇ ଝିଅ ଚୁପ ଥିବା ବେଳେ, ଏବେ ପୁନର୍ବାର କେସ୍ ଓପନ କରିବାକୁ ଚାହୁଁଛନ୍ତି। ଯାହାକୁ ନେଇ ଦୀପାଳଙ୍କ ଉପରକୁ ଅନେକ ଆଙ୍ଗୁଳି ମଧ୍ୟ ଉଠିଛି।
କାହିଁକି ଚୁପ ଥିଲେ ଝିଏ: ନବଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ପାଖାପାଖି ଦେଢବର୍ଷ ବିତିଯାଇଥିଲେ ସୁଦ୍ଧା, ଝିଏ ଦୀପାଳି କିନ୍ତୁ ସେତେବେଳେ କିଛି କହିନଥିଲେ। ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଲା କି ଟିକେଟ ଆଶାରେ ସେ ଚୁପ ରହିଯାଇଥିଲେ।
ହେଲେ ଏବେ ଯେତେବେଳେ ସରକାର ବଦଳିଛନ୍ତି ସେତେବେଳେ ବାପାଙ୍କ ହତ୍ୟାକାରୀକୁ ଖୋଜିବାକୁ ଅଣ୍ଟା ଭିଡିଛନ୍ତି ଦୀପାଳି। ଯାହାକୁ ବିଜେପି ନେତାମାନେ ମଧ୍ୟ ସ୍ୱାଗତ କରିଛନ୍ତି।
ଲିଖିତ ଅଭିଯୋଗ ଦେବେ ଦୀପାଳି: ଆଇନ ମନ୍ତ୍ରୀଙ୍କ ଆହ୍ୱାନ ପରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ଦୀପାଳି ଦାସ। ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଦୀପାଳି କହିଛନ୍ତି, ସିବିଆଇ ତଦନ୍ତ ନେଇ ପରିବାର ସହ ସେ ଆଲୋଚନା କରୁଛନ୍ତି।
ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ସିବିଆଇ ତଦନ୍ତ ପାଇଁ ସେ ଲିଖିତ ଜଣାଇବେ। ଏହା ସହ ଆଗକୁ ତଦନ୍ତରେ ତାଙ୍କ ପୂରା ପରିବାର ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି।
ଦୀପାଳିଙ୍କ ଏଭଳି ବୟାନକୁ ସ୍ୱାଗତ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। କହିଛନ୍ତି କେବଳ ମୁଖ୍ୟମନ୍ତ୍ରୀ ନୁହେଁ ଦୀପାଳି କୋର୍ଟକୁ ମଧ୍ୟ ଲେଖି ଜଣାଇବା ଦରକାର। ପୂର୍ବ ତଦନ୍ତରେ ସନ୍ତୁଷ୍ଟ ନୁହଁନ୍ତି।
ତାପରେ ରାଜ୍ୟ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନିଷ୍ପତ୍ତି ନେବେ। ଏହା ସହ କହିଛନ୍ତି ସିବିଆଇ ତଦନ୍ତ ଭାର ନେଲେ ହତ୍ୟାକାଣ୍ଡ ପଛରେ ଥିବା ଉଦ୍ଦେଶ୍ୟ ସହ ରାଜନେତା ଏବଂ ଅଫିସରଙ୍କ ପାଖରେ ମଧ୍ୟ ପହଞ୍ଚି ପାରିବ।