‘ନେତା ବିକଶିତ ଅଞ୍ଚଳ ଅବିକଶିତ’, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ନ୍ୟାୟ ଭଳି ସୁବିଧା ସୁଯୋଗ ଅଭାବରୁ ଅକ୍ରୋଶ ପରାୟଣ ହେଲେଣି ଲୋକେ

ଭୁବନେଶ୍ୱର: ପୁଣି ମୁଣ୍ଡ ଟେକିଛି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନ୍ୟାୟ ଭଳି ଅନେକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗରେ କୋଶଳ ସେନା ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ବ ହେବ ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳକୁ ମିଶାଇ ସ୍ୱତନ୍ତ୍ର କୌଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା।

ପଞ୍ଚମ ଶତାବ୍ଦୀ ପୂର୍ବରୁ ଏହି ଅଞ୍ଚଳ ଦକ୍ଷିଣ କୋଶଳ ନାମରେ ପରିଚିତ ଥିଲା ଏବଂ ଏହା ଏକ ବିଶାଳ ଭୌଗୋଳିକ ଅଞ୍ଚଳ ଥିଲା। ଏହା କୃଷିପ୍ରଧାନ ଅଞ୍ଚଳ ଭାବରେ ଏକ ସାଂସ୍କୃତିକ ସମନ୍ନ୍ୟୟ ପୂର୍ଣ ଅଞ୍ଚଳ ଥିଲା। ଏବେ କଳାହାଣ୍ଡି , କୋରାପୁଟ ଓ ବଲାଙ୍ଗିର ମରୁଡ଼ି ପ୍ରବଣ ଜିଲ୍ଲା ଭାବେ କେବିକେ ନାମରେ ଚିହ୍ନିତ ହେଇ ଅନେକ ବର୍ଷ ହେଲା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କଦ୍ୱାରା ସ୍ୱତନ୍ତ୍ର ସାହାଯ୍ୟ ପ୍ରାପ୍ତ ହେଇଥିଲେ ମଧ୍ୟ ଖୁବ ଦରିଦ୍ର ଓ ଅନା ଟନ ଭିତରେ ଏହାର ଅଧିକାଂଶ ଅଧିବାସୀ ରହିଛନ୍ତି। ଅନ୍ୟ ପକ୍ଷେ ପୁରା ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ‘ପଶ୍ଚିମ ଓଡ଼ିଶା ବିକାଶ ପରିଷଦ’ ଗଠନ କରିଛନ୍ତି।

କୋଶଳ ରାଜ୍ୟ ଆନ୍ଦୋଳନ।
ଓଡ଼ିଶାର ଗଡଜାତ ରାଜାଙ୍କ ଅତ୍ୟାଚାର ବିରୁଦ୍ଧରେ ସ୍ୱରଉତ୍ତୋଳନପାଇଁ ଉପକୂଳରେ ପ୍ରଜାମଣ୍ଡଳ ଭଳି ପଶ୍ଚିମ ଓଡ଼ିଶାରେ କୋଶଳୋତ୍କଳ ପ୍ରଜା ପରିଷଦ ଗଠନ ହୋଇଥିଲା। ବୃହତ ଓଡ଼ିଶା ଗଠନ ପରିପ୍ରେକ୍ଷୀରେ ଏହା ୧୯୪୮ ମସିହାର ଉତ୍କଳ ସମ୍ମିଳନୀ ସହ ମିଶ୍ରିତ ହୋଇ ଓଡ଼ିଶା ପ୍ରଦେଶ କଂଗ୍ରେସ ସହ ସମକକ୍ଷ ଅନ୍ୟ ଏକ ରାଜନୈତିକ ଦଳ ଭାବରେ ଉଭା ହେଲା। ତେବେ ଏହି ସମୟରେ ହୀରାକୁଦ ନଦୀବନ୍ଧ ଯୋଜନାରେ ସରଳ ଆଦୀବାସି ତଥା ସ୍ଥାନୀୟ ଜନସାଧାରଣଙ୍କୁ ବିସ୍ଥାପନ ନୀତିରେ ଯେଉଁଭଳି ଭାବରେ ପକ୍ଷପାତିତାପୂର୍ଣ୍ଣ ବିଚାର କରାଗଲା, ତାହା ହିଁ କୋଶଳ ଆନ୍ଦୋଳନକୁ ଜନ୍ମ ଦେଲା।

କେଉଁ କେଉଁ ଜିଲ୍ଲାରେ ଏହି ଆନ୍ଦୋଳନକୁ ମିଳୁଛି ସମର୍ଥନ।
ବିଶେଷକରି ଏହି ସମୟରେ ଅଣଓଡିଆଙ୍କ ଆଗମନ ଫଳରେ ସେମାନଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଭିତରେ ଛନ୍ଦି ହୋଇ ପଶ୍ଚିମ ଓଡ଼ିଶା ଆଞ୍ଚଳିକ ବୈଷମ୍ୟର ଶିକାର ହେଇଥିବାର ଅଭିଯୋଗ ହେଇଆସୁଥିବାରୁ ଏହି ଅଞ୍ଚଳର କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ କରି ସୁନ୍ଦରଗଡ଼, ସମ୍ବଲପୁର ଜିଲ୍ଲା, ବଲାଙ୍ଗୀର , ବରଗଡ଼, ଦେବଗଡ଼ , ଝାରସୁଗୁଡା , କଳାହାଣ୍ଡି , ବୌଦ, ସୁନ୍ଦରଗଡ଼ ନୂଆପଡ଼ା ,ସୁବର୍ଣ୍ଣପୁର ଜିଲ୍ଲା (ସୋନପୁର) ଜିଲ୍ଲା ସମୂହ ସହ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ସବ ଡିଭିଜନରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନପାଇଁ ଅନେକ ନେତା ଆନ୍ଦୋଳନ କରୁଛନ୍ତି।
ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ କେଉଁ ସବୁ ମୂଳ କାରଣ ପାଇଁ କୋଶଳ ରାଜ୍ୟ ଦାବି ଜୋର ଧରିଛି ।

ସ୍ୱାସ୍ଥ୍ୟ ସୁବିଧାର ଅଭାବ: ବର୍ତ୍ତମାନ ରାଜ୍ୟର ପ୍ରମୁଖ ମେଡିକାଲ କହିଲେ କଟକର ଏସ୍‌ସିବି ମେଡିକାଲ କଲେଜ ପ୍ରଥମରେ ଆସିଥାଏ। ଏହାପରେ ଭୁବନେଶ୍ୱରରେ ଏମ୍ସ ସମତେ କଟକ ଓ ଭୁବନେଶ୍ୱରରେ ଅନେକ ଅତ୍ୟାଧୁନିକ ମେଡିକାଲ ରହିଥିବା ବେଳେ ପଶ୍ଚିମ ଓଡ଼ିଶାରେ ସମ୍ବଲପୁର ବୁର୍ଲା ମେଡିକାଲ କଲେଜ, ବଲାଙ୍ଗିରର ଭିମ ଭୋଇ ମେଡିକାଲ କଲେଜ, କୋରାପୁଟରେ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଏବଂ ରାଉରକେଲାରେ ଆଜିଏଚ୍ ବ୍ୟତିତ ଅନ୍ୟ କୌଣସି ଜିଲ୍ଲାରେ ଘରୋଇ କିମ୍ବା ସରକାରୀ ଅତ୍ୟଅଧୁନିକ ମେଡିକାଲ ନଥିବା ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ରହିଛି।

ପ୍ରମୁଖ ଶିକ୍ଷାନୁଷ୍ଠାନର ଅଭାବ: ରାଜ୍ୟର ଏଜୁକେଶନ ହବ୍ ଭାବରେ ଭୁବନେଶ୍ୱର ପରିଣତ ହୋଇଥିବା ଏହା ଦ୍ୱାରା ଉପକୂଳ ଓଡ଼ିଶା ବେଶ୍ ଲାଭାନ୍ବିତ ହେଉଛି। କିନ୍ତୁ ସମାନ ସମୟରେ ପଶ୍ଚିମ ଓଡ଼ିଶାରେ ସେଭଳି କିଛି ଆଖି ଦୃସିଆ ବଡ଼ ଶିକ୍ଷାନୁଷ୍ଠାନ ନଥିବା ଲୋକଙ୍କ ଅଭିଯୋଗ ରହିଛି । ଅନେକ ସ୍ଥାନରେ ଗ୍ରାଜୁଏସନ୍ ଯାଏ ପର୍ଯ୍ୟାପ୍ତ ସୁବିଧା ରହିଥିବା ବେଳେ ଉଚ୍ଚଶିକ୍ଷା ପାଇଁ କିମ୍ବା ପ୍ରତିନ୍ଦୋତିତା ମୂଳକ ପ୍ରସ୍ତୁତି ପାଇଁ ସେଭଳି କିଛି ସୁବିଧା ନଥିବା କୁହନ୍ତି ପଶ୍ଚିମ ଓଡ଼ୁିଶାର ଛାତ୍ରଛାତ୍ରୀ। ଏଥିପାଇଁ ସେମାନଙ୍କୁ ପ୍ରଚୁର ଟଙ୍କା ଖର୍ଚ୍ଚ କରି କଟକ-ଭୁବନେଶ୍ୱର କିମ୍ବା ଛତିଶଗଡ଼ର ରାଜଦାନୀ ରାୟପୁରକୁ ଯିବାକୁ ପଡୁଥିବା ସେମାନେ କୁହନ୍ତି।

ପ୍ରମୁଖ ଜଳସେଚନ ପ୍ରକଳ୍ପ ଥାଇ ମଧ୍ୟ ମୌସୁମି ବର୍ଷାକୁ ଅପେକ୍ଷା: ସମ୍ବଲପୁରରେ ହୀରାକୁଦ ଠାରୁ ଆରମ୍ଭ କରି ଅନୁଗୁଳରେ ରେଙ୍ଗାଲି ଡ୍ୟାମ୍ ଭଳି ଅନେକ ବଡ଼ ବଡ଼ ଜଳ ସଂରକ୍ଷଣ ପ୍ରକଳ୍ପ ଥିଲେ ମଧ୍ୟ ଅଞ୍ଚଳର ଅନେକ ଜିଲ୍ଲାରେ ଏବେ ମଧ୍ୟ ଚାଷୀମାନେ ମୌସୁମୀ ବର୍ଷା ଉପରେ ନିର୍ଭର କରୁଛନ୍ତି।

ପ୍ରତିନ୍ଦ୍ୱତିମୂଳକ ପରୀକ୍ଷା ପାଇଁ ଭୁବନେଶ୍ୱର ଏବଂ ନ୍ୟାୟିକ ପ୍ରକ୍ରିିୟା ଭଳି କାର୍ଯ୍ୟପାଇଁ ଲୋକମାନେ ପ୍ରାୟତଃ ହାଇକୋର୍ଟ ଆସିବାକୁ ବାଧ୍ୟ ହେଉଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଅନେକ ବର୍ଷ ଧରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ବେଞ୍ଚ ସ୍ଥାପନା କରିବା ପାଇଁ ଦାବି ଉଠୁଥିଲେ ମଧ୍ୟ ଏହା ଉପରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର କୌଣସି ଠୋସ୍ ପଦକ୍ଷେପ ନେଇ ନାହାନ୍ତି।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଦାୟିତ୍ୱ: ସମଗ୍ର ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଏହି ପରିଷଦ ଗଠନ କରିଥିବା ବେଳେ ଏହାର କାର୍ଯ୍ୟଶୈଳିକୁ ନେଇ ଏବେ ଅଞ୍ଚଳବାଶି ପ୍ରଶ୍ନ ଉଠାଇଲେଣି । ଏପରିକି ଏହାର ମୁଖ୍ୟ କାର୍ଯ୍ୟାଳୟ ରାଜଧାନୀ ଭୁବନେଶ୍ୱରରେ କାହିଁକି ରହିଛି ବୋଲି ମଧ୍ୟ ବିଭିନ୍ନ ସଂଗଠନ ମାନେ ପ୍ରଶ୍ନ କରୁଛନ୍ତି।

ନେତା ବିକଶିତ ଅଞ୍ଚଳ ଅବିକଶିତ: ରାଜନୈତିକ ପୃଷ୍ଠ ଭୂମୀକୁ ଦେଖିଲେ ଅଞ୍ଚଳରେ ଅନେକ ବରିଷ୍ଠ ରାଜନେତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ କ୍ଷମତାଶାଳି ପଦବୀରେ ମଧ୍ୟ ଲମ୍ବା ସମୁୟ ପର୍ଯ୍ୟନ୍ତ ଥିଲେ । ଏହାବାଦ୍ ଅଞ୍ଚଳର କୌଣସି ଆଖି ଦୃଶିଆ ଉନ୍ନତି ନହେବା ସଧାରଣ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।

କଳକାରଖାନର ଅଭାବ: ସମଗ୍ର ରାଜ୍ୟରେ ଗଢିଉଠିଥିବା ପ୍ରମୁଖ କଳକାରକାନା ଗୁଡ଼ିକ ମଧ୍ୟରୁ ସର୍ବାଧିକ କଳକାରଖାନା ପ୍ରାୟତଃ ଉପକୁଳ ଓଡ଼ିଶାରେ ରହିଛି। ତେବେ ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲା ବ୍ୟତିତ ଅନ୍ୟ ଜିଲ୍ଲାରେ ଶିଳ୍ପାୟନର ଅଭାବ ପରିଲକ୍ଷିତ ହଇିଥାଏ।

ହସ୍ତଶିଳ୍ପ କାରିଗରୀ: ପଶ୍ଚିମ ଓଡ଼ିଶାର ହସ୍ତଶିଳ୍ପ କାରିଗରୀ କେବଳ ଓଡ଼ିଶା ନୁହେଁ ଏହାର ପରିବ୍ୟାପ୍ତି ସାରା ଦେଶରେ କରିଛି। ସମ୍ବଲପୁରି ପାଟ ଆଜି ସାରା ବିଶ୍ୱରେ ଅଦର ପାଉଛି। ତେବେ ଦିନକୁ ଦିନ ଏଥିପ୍ରତି ବର୍ତ୍ତମାନର ପିଢି ଆଗ୍ରହ ଦେଖାଉ ନଥିବା ବେଳେ ସରକାର ମଧୟ ଏହାର ପ୍ରଚାର ପ୍ରସାର ତଥା ବିକ୍ରି ପ୍ରତି ବିଶେଷ ଧ୍ୟାନ ଦେଉ ନଥିବା ଲୋକେ କହୁଛନ୍ତି।

ଏହିଭଳି କିଛି ଗୁରୁତ୍ୱପୁର୍ଣ୍ଣ ଦାବି ନେଇ ପଶ୍ଚିମ ଓଡ଼ିଶାର ୧୨ ଜିଲ୍ଲାର ଲୋକେ ଆଜି ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି କରି ଆନ୍ଦୋଳନ କରୁଛନ୍ତି। ତେବେ ପଶ୍ଚିମ ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର କିଛି ପଦକ୍ଷେପ ନେଉଛନ୍ତି ନା ଓଡ଼ିଶାଠୁ ଅଲଗା ହୋଇ କୋଶଳ ରାଜ୍ୟ ଗଠନ ହେଉଛି ତାହା ସମୟ କହିବ।