fbpx

ଡ୍ରେସ୍ ଧୋଇବାକୁ ନେଇ କାଉନସିଲର ଓ ଯବାନଙ୍କ ମଧ୍ୟରେ ବିବାଦ ; ଯବାନଙ୍କୁ ପିଟିପିଟି ହତ୍ୟା, ୬ ଗିରଫ

Advertisement

ନୂଆଦିଲ୍ଲୀ : ତାମିଲନାଡୁର କୃଷ୍ଣଗିରିରେ ଏକ ଅଭାବନୀୟ ଘଟଣା ଘଟିଛି । ଡ୍ରେସ୍ ଧୋଇବାକୁ କେନ୍ଦ୍ର କରି ଜଣେ ଯବାନଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯବାନଙ୍କ ନାମ ହେଉଛି ପ୍ରଭାସ (୨୯) । ସେ ଛୁଟି କାଟିବା ପାଇଁ ଗାଁକୁ ଯାଇଥିଲେ । ସ୍ଥାନୀୟ କାଉନସିଲର ଚିନ୍ନାସାମି ଏବଂ ତାର ୮ ଜଣ ସହଯୋଗୀଙ୍କ ମିଶି ଯବାନଙ୍କୁ ପିଟିପିଟି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରଭାସଙ୍କ ବଡ ଭାଇ ପ୍ରଭାକରଣ (୩୦)ମଧ୍ୟ ସେନାର ଜଣେ ଯବାନ।

ଘଟଣା ଏହିପରି.. ପୋଲିସ ଷ୍ଟେସନର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଫେବୃଆରୀ ୮ ରେ ପ୍ରଭାକରଣଙ୍କ ପତ୍ନୀ ପ୍ରିୟା (୨୫) ଘର ନିକଟରେ ଥିବା ଏକ ପାଣି ଟାଙ୍କିରେ ପୋଷାକ ଧୋଇଥିଲେ। ଏଥିପାଇଁ ସ୍ଥାନୀୟ କାଉନସିଲର ଚିନ୍ନାସାମି (୫୦) ପ୍ରିୟାଙ୍କୁ ଗାଳି ଦେଇଥିଲେ। । ଏହାକୁ ନେଇ ପ୍ରିୟା ଏବଂ ଚିନ୍ନାସାମୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହେଲା । ପ୍ରଭାକରନ୍ ଏବଂ ତାଙ୍କ ସାନଭାଇ ପ୍ରଭାସ ପ୍ରିୟା ସପକ୍ଷରେ ସେମାନଙ୍କ ଯୁକ୍ତି କରିଥିଲେ । ତା’ପରେ ଗ୍ରାମବାସୀମାନଙ୍କ ସ୍ୱାରା କୌଣସି ପ୍ରକାର ଏହାର ସମାଧାନ କରାଯାଇ ସେଠାରୁ ଚାଲିଯାଇଥିଲେ ।

କିନ୍ତୁ ଚିନ୍ନାସାମିଙ୍କ ରାଗ ସେତିକିରେ ଶାନ୍ତ ହୋଇନଥିଲା । କିଛି ସମୟ ପରେ ଚିନ୍ନାସାମି ୮ ଜଣଙ୍କ ସହଯୋଗୀଙ୍କୁ ନେଇ ଯବାନଙ୍କ ଘରେ ପହଞ୍ଚି ଲୁହା ରଡରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପ୍ରଭାସଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଯାହା ପରେ ତାଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।

ତାମିଲନାଡୁ ବିଜେପି ସଭାପତି କେ . ଅନ୍ନାମଲାଇ ଏହି ଘଟଣା ବିଷୟରେ ଟୁଇଟ୍ କରି ଲେଖିଛନ୍ତି, ‘ଯେତେବେଳେ ମୁଁ ଏକ ଖବର ଶୁଣିଲି ଯେ ଜଣେ ୨୯ ବର୍ଷୀୟ ଯବାନଙ୍କୁ ଡିଏମକେ ମ୍ୟୁନିସିପାଲିଟି କାଉନସିଲର ମାଡ ମାରି ହତ୍ୟା କରିଛନ୍ତି, ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ଡିଏମକେର ଅରାଜକତା କାରଣରୁ ସୈନିକମାନେ ନିଜ ଗାଁରେ ମଧ୍ୟ ସୁରକ୍ଷିତ ନୁହଁନ୍ତି। ସୀମାରେ ଦେଶର ସୁରକ୍ଷା କରୁଥିବା ସୈନିକଙ୍କ ପରିବାରକୁ ଧମକ, ଆକ୍ରମଣ ଏବଂ ଏପରିକି ହତ୍ୟା କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା କିପରି ରହିଛି ତାହା ଜନସାଧାରଣ ଦେଖୁଛନ୍ତି। ମୁଁ ତାମିଲନାଡୁ ବିଜେପି ତରଫରୁ ଅନୁରୋଧ କରୁଛି ଯେ ହତ୍ୟାକାରୀଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ଏପରି ସାମାଜିକ ବିରୋଧୀ କାର୍ଯ୍ୟ ବନ୍ଦ ହେବା ଉଚିତ୍।

Get real time updates directly on you device, subscribe now.