ନୂଆଦିଲ୍ଲୀ: ସାର, ମଜା ଆସୁନି… ଏମିତି ଅଫିସରୁ ବିଦାୟ ନେବା ପାଇଁ ଜଣେ କର୍ମଚାରୀ ଦେଇଛନ୍ତି ନିଆରା ଇସ୍ତଫା ପତ୍ର । ଏହି କର୍ମଚାରୀଙ୍କ ଇସ୍ତଫା ପତ୍ର ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ପତ୍ର ପାଇବା ପରେ ପ୍ରାୟ ସମସ୍ତେ ଚକିତ ହୋଇଯାଇଛନ୍ତି । ଟ୍ୱିଟରରେ ଏହି ପତ୍ର ଅପଲୋଡ ହେବା ପରେ ଖୁବ ଚର୍ଚ୍ଚାରେ ରହିଛି ।
ଇସ୍ତଫା ପତ୍ରରେ ପ୍ରାୟତଃ ଅଫିସରେ ସାମନା କରୁଥିବା କିଛି ଅସୁବିଧା କିମ୍ବା ଦରମାକୁ ନେଇ ଅଭିଯୋଗ କରାଯାଇଥାଏ । କିନ୍ତୁ ଜଣେ ବ୍ୟକ୍ତି ଏମିତି ଏକ ଇସ୍ତଫା ପତ୍ର ଦେଇଛନ୍ତି ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ‘ସାର ମଜା ଆସୁନାହିଁ’ । ତେବେ ଏହାର ଅର୍ଥ ଅନେକ ଲୋକ ବୁଝିପାରି ନଥିଲେ । ଏହି ଇସ୍ତଫା ପତ୍ରଟିକୁ ହର୍ଷ ଗୋଏଙ୍କା ନାମକ ଜଣେ ବ୍ୟକ୍ତି ତାଙ୍କ ଟ୍ୱିଟର ପେଜରେ ଉକ୍ତ ଇସ୍ତଫା ପତ୍ରଟିକୁ ସେୟାର କରିଛନ୍ତି । ପୋଷ୍ଟ ଅପଲୋଡ କରିବା ସହିତ କ୍ୟାପ୍ସନରେ ଲେଖିଛନ୍ତି, ‘ଏହି ପତ୍ରଟି ଖୁବ୍ ଛୋଟ କିନ୍ତୁ ଭାରି ଗଭୀର । ଏହା ଏକ ସାଂଘାତିକ ସମସ୍ୟା ଯାହାକୁ ଆମେ ସମସ୍ତେ ସମାଧାନ କରିବା ଉଚିତ ।’
This letter is short but very deep. A serious problem that we all need to solve… pic.twitter.com/B35ig45Hhs
— Harsh Goenka (@hvgoenka) June 19, 2022
ଏହି ଇସ୍ତଫା ପତ୍ରର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ମତ ରଖିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ଏପରି ଇସ୍ତଫା ପତ୍ର ଲେଖି ପାରିବାର ଆଟିଟ୍ୟୁଡ୍ ଭଗବାନ ସମସ୍ତଙ୍କୁ ଦିଅନ୍ତୁ ।’ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସିଧା ସଳଖ କଥା କୁହାଳି ପରି ଲାଗୁଛନ୍ତି ।’
ଏହା ପୂର୍ବରୁ ମଧ୍ୟ ଏକ ଇସ୍ତଫା ପତ୍ର ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଇସ୍ତଫା ପତ୍ରରେ କର୍ମଚାରୀଜଣକ ମାତ୍ର ୩ଟି ଶବ୍ଦ ଲେଖିଥିଲେ । ତାହା ଥିଲା ‘ବାୟ ବାୟ ସାର’ । ସେହି ଇସ୍ତଫା ପତ୍ରଟିକୁ ଦେଖି ମଧ୍ୟ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଆନନ୍ଦିତ ହୋଇଥିଲେ ।