fbpx

ପ୍ରବାଦପୁରୁଷଙ୍କ ନାମରେ ହେବ ବିଶ୍ୱସ୍ତରୀୟ ଏରୋସ୍ପେସ୍ ସେଣ୍ଟର, ଢେଙ୍କାନାଳର ବରିଶାଲରେ ହେବ ସ୍ଥାପନ

Advertisement

ଭୁବନେଶ୍ୱର,୧୮ା୨(ଭାସ୍କର ନ୍ୟୁଜ): ପ୍ରବାଦପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ସ୍ଥାପନ ହେବ ଏରୋସ୍ପେସ୍‌ ସେଣ୍ଟର। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବରିଶାଲରେ ଏହା ସ୍ଥାପନ କରାଯିବ। ଏଥିପାଇଁ ରାଜ୍ୟ ସରକାର ନୀତିଗତ ଅନୁମୋଦନ ପ୍ରଦାନ କରିଛନ୍ତି। ରାଜ୍ୟ ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବରିଶାଲଠାରେ ଥିବା ଦୀର୍ଘବର୍ଷର ପୁରୁଣା ଏୟାରଷ୍ଟ୍ରିପ୍‌କୁ ଆଧୁନିକୀକରଣ କରାଯାଇ ଏହା ସ୍ଥାପନ କରାଯିବ। ଏହି ଏୟାରଷ୍ଟ୍ରିପ୍‌କୁ ବିଶ୍ୱସ୍ତରୀୟ ଏରୋସ୍ପେସ୍ ସେଣ୍ଟର ଭାବେ ବିକଶିତ କରାଯିବା ସହ ଏଠାରେ ସରକାରୀ ପାଇଲଟ୍ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍ ଖୋଲାଯାଇ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯିବ।

ଏହି ଏୟାରଷ୍ଟ୍ରିପ୍‌ରେ ବିଜୁ ପଟ୍ଟନାୟକ ଆଭିଏସନ୍ ସେଣ୍ଟର ବିକଶିତ କରାଯିବ। ଏନେଇ ରାଜ୍ୟ ସରକାର ୧୮୮.୭୭ ଏକର ଜମି ଅଧିଗ୍ରହଣ କରିବେ। ସେଥିମଧ୍ୟରୁ ଘରୋଇ ଜମିର ପରିମାଣ ହେଉଛି ୨୭.୧୫ ଏକର। ଏହି ଜମି ଅଧିଗ୍ରହଣ ପାଇଁ ମଧ୍ୟ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ପୂର୍ବରୁ ଏହି ଏୟାରଷ୍ଟ୍ରିପ୍‌ର ଆଧୁନିକୀକରଣ କାର୍ଯ୍ୟ ପାଇଁ ୨୦୧୭-୧୮ ମସିହାରେ ରାଜ୍ୟ ସରକାର ୯.୧୮ କୋଟି ଟଙ୍କା ବ୍ୟୟ କରିଥିବା ବେଳେ ପାଚେରୀ ପାଇଁ ୧ କୋଟି ଟଙ୍କା ବ୍ୟୟ କରାଯାଇଥିଲା। ୨୦୧୮-୧୯ରେ ଏହି ଏୟାରଷ୍ଟ୍ରିପ୍‌ର ଆଧୁନିକୀକରଣ କାର୍ଯ୍ୟ ଶେଷ ହେବା ପରେ ଏଠାରୁ ବିମାନ ଚଳାଚଳ ନିମନ୍ତେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏନ୍‌ଓସି ଦେଇଥିଲେ।

ଏବେ ରାଜ୍ୟ ସରକାର ଏହି ଏୟାରଷ୍ଟ୍ରିପ୍ ପାଇଁ ଅଧିକ ଜମି ଅଧିଗ୍ରହଣ କରି ଏହାକୁ ବିଶ୍ୱସ୍ତରୀୟ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଦୀର୍ଘବର୍ଷ ଧରି କୋଲକାତା ବିମାନ ବନ୍ଦରରେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଥିବା ବିଜୁବାବୁଙ୍କ ଡାକୋଟା ବିମାନକୁ ଭୁବନେଶ୍ୱର ଆଣିବା ପାଇଁ ୩.୩୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଡାକୋଟାକୁ ଭୁବନେଶ୍ୱର ବିମାନ ବନ୍ଦର ଟର୍ମିନାଲ ବିଲ୍ଡିଂ ପାଖରେ ୧.୧ ଏକର ଜମିରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ ଜୟନ୍ତୀରେ ଏହି ଡାକୋଟା ବିମାନ ପ୍ରଦର୍ଶନ ବ୍ୟବସ୍ଥାର ଶୁଭାରମ୍ଭ କରାଯିବ।

Get real time updates directly on you device, subscribe now.