fbpx

ଚାଷୀଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଉନ୍ନତମାନର ବିହନ ଯୋଗାଇ ଦେବାକୁ ପଦକ୍ଷେପ ନେଇଛନ୍ତି ସରକାର : କେନ୍ଦ୍ର କୃଷିମନ୍ତ୍ରୀ

କେନ୍ଦୁଝର: ଚାଷୀଙ୍କୁ ପର୍ଯ୍ୟାପ୍ତ ମାତ୍ରାରେ ଉନ୍ନତମାନର ବିହନ ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେଇଛନ୍ତି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି । କେନ୍ଦୁଝର ଜିଲ୍ଲା ଯୋଡ଼ିଆ ଘାଟି କୃଷି ବିଜ୍ଞାନ କେନ୍ଦ୍ର ଠାରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଅଧିକ ପୁଷ୍ଟିକର ଏବଂ ଉତ୍ପାଦନକ୍ଷମ ଖାଦ୍ୟଶସ୍ୟ ପାଇଁ କୃଷି ବିଜ୍ଞାନୀମାନେ ତାଙ୍କର ଗବେଷଣା ଜାରି ରଖିଛନ୍ତି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଚାଷୀ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସେ ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀ ମୁଣ୍ଡା ହରିଚନ୍ଦନପୁର ବ୍ଲକର କୁଆଝରଣ ଗ୍ରାମକୁ ଗସ୍ତ କରି ଜୁଆଙ୍ଗ ଜନଜାତିଙ୍କ ସହ ଆଲୋଚନା କରିଛନ୍ତି ।

ଏହା ସହ ଅର୍ଜୁନ ମୁଣ୍ଡା ଆଜି କେନ୍ଦୁଝର ଜିଲ୍ଲା ରାଧିକାଦେଇପୁର ଏବଂ ଭଣ୍ଡାରିଡିହା ପଞ୍ଚାୟତରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି । ଶ୍ରୀ ମୁଣ୍ଡା ଏହି ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତବିନିମୟ କରିଛନ୍ତି । ସେ ସଂକଳ୍ପ ଯାତ୍ରା ରହଣୀ ସ୍ଥଳରେ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଛନ୍ତି ।

ରାଧିକାଦେଇପୁର ଠାରେ ଆୟୋଜିତ ସଭାକୁ ସମ୍ବୋଧିତ କରି ଶ୍ରୀ ମୁଣ୍ଡା କହିଛନ୍ତି, ଗାଁ ସଶକ୍ତ ହେଲେ, କ୍ଷେତ୍ରର ବିକାଶ ହୋଇପାରିବ, ତା’ହେଲେ ଯାଇ ଦେଶ ବିକଶିତ ହୋଇପାରିବ । ଏହି ଉଦ୍ଦେଶ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକଗୁଡ଼ିଏ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏସବୁ ଯୋଜନା ଦ୍ୱାରା ସାଧାରଣ ଲୋକମାନେ ସଶକ୍ତ ଓ ସମୃଦ୍ଧ ହେଉଛନ୍ତି । ଏସବୁ ଯୋଜନା ବିଷୟରେ ସୂଚନା ଦେବା ଏବଂ ତୃଣମୂଳ ସ୍ତରରେ ଯୋଜନାର ଶତପ୍ରତିଶତ ପ୍ରସାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମମାଟିରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ କୋଟି କୋଟି ଲୋକ ସାମିଲ ହୋଇପାରିଥିବା ଶ୍ରୀ ମୁଣ୍ଡା କହିଥିଲେ । ସେ ଉପସ୍ଥିତ ହିତାଧିକାରୀଙ୍କୁ କେନ୍ଦ୍ରୀୟ ଯୋଜନାର ଲାଭ ନେବାକୁ ଆହ୍ୱାନ ଦେଇଥିଲେ ।

Get real time updates directly on you device, subscribe now.