fbpx

ସରକାରଙ୍କ ଏହି ଯୋଜନା ବୁଢା ବୟସରେ ହେବ ସହାୟକ: ମାସକୁ ମିଳିବ ୩,୦୦୦ ଟଙ୍କା

ନୂଆଦିଲ୍ଲୀ: ଭାରତ ଅସଂଗଠିତ ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଜାରି ରଖିଛନ୍ତି । ଅସଂଗଠିତ ଶ୍ରମିକମାନଙ୍କୁ ସେମାନଙ୍କ ବୃଦ୍ଧ ବୟସରେ ସାମାଜିକ ସୁରକ୍ଷା ଉଲବ୍ଧ କରାଇବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଏହି ଯୋଜନା ଅଧୀନରେ ପ୍ରାୟ ୪୨ କୋଟିରୁ ଅଧିକ ଶ୍ରମିକ ଯୋଡି ହେବା ସହିତ ଏହାର ଲାଭ ଉଠାଇପାରୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅନୁଯାୟୀ, ଯେକୌଣସି ବ୍ୟକ୍ତି ଏହି ଯୋଜନାରେ ନିଜ ଟଙ୍କା ଇନଭେଷ୍ଟ କରିପାରିବେ । ଏହି ଯୋଜନା ଅଧୀନରେ ଏଥିରେ ଆପଣଙ୍କୁ ପ୍ରଥମେ କିଛି ନିବେଶ କରିବାକୁ ପଡିବ, ତେବେ ମ୍ୟାଚ୍ୟୁରିଟି ପିରିୟଡ ବା ୬୦ ବର୍ଷ ବୟସ ହେବା ପରେ ଏହା ପେନସନ ଭାବରେ ପ୍ରତି ମାସ ୩୦୦୦ ଟଙ୍କା ନ୍ୟୁନତମ ସୁନିଶ୍ଚିତ ରାଶି ମିଳିପାରିବ । ସେହିପରି ଲାଭାର୍ଥୀଙ୍କର ଅକାଳ ବିୟୋଗ ଘଟିଲେ ପରିବାରକୁ ଏହାର ପାରିବାରିକ ପେନସନ ଭାବରେ ୫୦ ପ୍ରତିଶତ ପେନସନ ମିଳିପାରିବ । ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅନୁସାରେ, ଗ୍ରାହକ ୬୦ ବର୍ଷ ପରେ ପ୍ରତ୍ୟେକ ମାସ ଏକ ନିଶ୍ଚିତ ପେନଶନ ପାଇପାରିବେ । ତେବେ କେବଳ ଅସଂଗଠିତ ଶ୍ରମିକ ହିଁ ଏଥିରେ ଆବେଦନ କରିପାରିବେ ।

ନିବେଶକରିବା ପାଇଁ ଆୟୁ ସୀମା ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଆବେଦକଙ୍କର ମାସିକ ଦରମା ୧୫ ହଜାର ବା ଏଥିରୁ କମ୍ ହୋଇଥିବା ଆବଶ୍ୟକ । ସେହିପରି ସେ କୌଣସି ସଂଗଠିତ କ୍ଷେତ୍ରରେ(ଇପିଏଫ/ଏନପିଏସ ବା ଇଏସଆଇସିର ସଦସ୍ୟ) ହୋଇନଥିବେ । ଏହି ଆବେଦନ ଆୟକର ଅଧୀନରେ ଆସୁନାହିଁ । ତେବେ ଏଥିରେ ଆବେଦନ କରିବା ପାଇଁ ଆଧାର କାର୍ଡ ଏବଂ ଆଇଏଫଏସସି ସହିତ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ/ଜନଧନ ଆକାଉଣ୍ଟ ନମ୍ବର ରହିଥିବା ଆବଶ୍ୟକ । ନିକଟସ୍ଥ ଜନସେବା କେନ୍ଦ୍ରରେ ଆପଣ ଏଥିପାଇଁ ଆବେଦନ କରିପାରିବେ ।

ଘରେ ରହି କାମ କରୁଥିବା ଲୋକ, ଷ୍ଟ୍ରିଟ ଭେଣ୍ଡର, ମିଡ-ଡେ ମଲ ୱାର୍କର, ହେଡ ଲିଡର କିମ୍ବା ଇଟାଭାଟିରେ କାମ କରୁଥିବା ଲୋକ ଇତ୍ୟାଦି ଏହି ଯୋଜନାରେ ଆବେଦନ କରିପାରିବେ । ସେହିପରି ମୋଚି, ଘରୋଇ ଶ୍ରମିକ, ରିକ୍ସା ଚାଳକ, ଭୂମିହୀନ ଶ୍ରମିକ, କୃଷି, ନିର୍ମାଣ ଶ୍ରମିକମାନେ ମଧ୍ୟ ଏହି ଯୋଜନାରେ ନିଜକୁ ସାମିଲ କରିପାରିବେ । ୬୦ ବର୍ଷ ବୟସ ପରେ ଏମାନଙ୍କୁ ଏହି ଯୋଜନାର ପ୍ରକୃତ ଲାଭ ମିଳିପାରିବ ।

Get real time updates directly on you device, subscribe now.