ସ୍ୱାମୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ, କିନ୍ତୁ ଦମ୍ପତ୍ତି ହାତ ଧରାଧରି ହୋଇ ଚାଲିଗଲେ
ଏମିତିବି ଆସେ ମୃତ୍ୟୁ। ସ୍ୱାମୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ଯାଉଥିଲେ। କିନ୍ତୁ ଦୁର୍ଘଟଣାରେ ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ବୃଦ୍ଧ ଦମ୍ପତ୍ତି।
ନୂଆଦିଲ୍ଲୀ: କେହି କୌଣସି ଆକ୍ସିଡେଣ୍ଟର ଶିକାର ହେଲେ ପ୍ରଥମେ ଆମ୍ୱୁଲାନ୍ସକୁ ଡକାଯାଏ। କେହି ରୋଗ ବ୍ୟାଧିରେ ପଡିଲେ ପ୍ରଥମେ ଆମ୍ୱୁଲାନ୍ସକୁ ଖୋଜାପଡେ଼। ହେଲେ ସେହି ଆମ୍ୱୁଲାନ୍ସ ଯେତେବେଳେ ଜମ ସାଜେ ସେତେବେଳେ ଆଉ କାହାକୁ କ’ଣ କହିବା।
ସେହିପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କୁ ଆମ୍ୱୁଲାନ୍ସ ଯୋଗେଁ ମେଡିକାଲ ନେଇ ଯାଉଥିବା ବେଳେ ଟ୍ରକ ଧକ୍କାରେ ଚାଲିଯାଇଛି ପତି ପତ୍ନୀଙ୍କ ଜୀବନ।
ରାସ୍ତାରେ ଜମିଥିଲା ଜମ: କେରଳର ଜଣେ ବୃଦ୍ଧା, ନାଁ ତାଙ୍କର ଥମ୍ପି। କୌଣସି କାରଣ ବସତଃ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ କେରଳର ଅଡ୍ଡୁର ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନଥିଲା। ତେଣୁ ଥମ୍ପିଙ୍କୁ ଉନ୍ନତ୍ତମାନର ଚିକିତ୍ସା ଯୋଗାଇ ଦେବାପାଇଁ ତିରୁବନନ୍ତପୁରମ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।
କିପରି ହେଲା ଦୁର୍ଘଟଣା: ସ୍ତ୍ରୀ ଶ୍ୟାମଲା ଓ ଝିଅଙ୍କ ସମେତ ଅନ୍ୟ ସମ୍ପର୍କୀୟ ଆମ୍ୱୁଲାନ୍ସ ଯୋଗେଁ ବୃଦ୍ଧ ଥମ୍ପିଙ୍କୁ ମେଡିକାଲ ନେଉଥିଲେ। ହେଲେ ବିଳମ୍ୱିତ ରାତିରେ ଏକ ଟ୍ରକ ଆସି ଆମ୍ୱୁଲାନ୍ସକୁ ଧକ୍କା ଦେଇଥିଲା।
କେତେ ମୃତ-ଆହତ: ସେ ଭଲ ହେବା ପାଇଁ ମେଡିକାଲ ଯିବେ କ’ଣ ସିଧା ଜମପୁର ଚାଲିଗଲେ। ହେଲେ ସେ ଏକା ଗଲେ ନାହିଁ ବରଂ ନିଜ ଧର୍ମପତ୍ନୀ ଶ୍ୟାମଲାକୁ ମଧ୍ୟ ସାଙ୍ଗରେ ଧରି ଆରପାରିକୁ ଚାଲିଗଲେ।
କିନ୍ତୁ ଆମ୍ୱୁଲାନ୍ସରେ ଥିବା ତାଙ୍କ ଝିଅଙ୍କ ସମେତ ଆଉ ୫ଜଣ ଆହତ ହୋଇଥିଲେ। ପରେ ସେମାନଙ୍କୁ ଉଦ୍ଧାର କରି ତିରୁବନନ୍ତପୁରମ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।