fbpx

ଟି୨୦ ବିଶ୍ୱକପ୍ ପାଇଁ ଶୀଘ୍ର ଘୋଷଣା ହେବ ଭାରତୀୟ ଦଳ, ଏହି ୧୫ ଖେଳାଳିଙ୍କୁ ମିଳିପାରେ ଦଳରେ ଏଣ୍ଟ୍ରି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ପୁରୁଷ ଟି୨୦ ବିଶ୍ୱକପ୍ ୨୦୨୪କୁ ନେଇ ପ୍ରଶଂସକଙ୍କ ଅପେକ୍ଷା ଅନ୍ତ ହେବାକୁ ଯାଉଛି । ୟୁଏସ୍ ଏବଂ ୱେଷ୍ଟଇଣ୍ଡିଜ୍ ମିଳିତ ଭାବେ ପୁରୁଷ ଟି୨୦ ବିଶ୍ୱକପ୍ ଆୟୋଜନ କରିବେ । ଏହା ଜୁନ୍ ୧ ତାରିଖରେ ଆରମ୍ଭ ହୋଇ ଜୁନ୍ ୨୯ରେ ଶେଷ ହେବ । ତେବେ ଏହି ବିଶ୍ୱକପ୍ ପାଇଁ ଖୁବ୍ ଶୀଘ୍ର ଭାରତୀୟ ଦଳର ଘୋଷଣା ହୋଇପାରେ । ଏନେଇ BCCI ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଏପ୍ରିଲ ୩୦ ବା ଆସନ୍ତା ମାସ ୧ ତାରିଖରେ ଭାରତୀୟ ଚୟନକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇପାରେ । ଏହି ପୁରୁଷ ଟି୨୦ ବିଶ୍ୱକପରେ ୨୦ ଟି ଦେଶ ଅଂଶଗ୍ରହଣ କରୁଛନ୍ତି । ଏଥିପାଇଁ ICC ପକ୍ଷରୁ ମେ ୧କୁ ଦଳ ଘୋଷଣା କରିବାର ଶେଷ ତାରିଖ ଭାବେ ସ୍ଥିର କରାଯାଇଛି । ତେବେ ଭାରତୀୟ ଚୟନକର୍ତ୍ତା ନିଜ ଦଳରେ କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ ସେନେଇ ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି । ଏହା ପୂର୍ବରୁ ଆସନ୍ତୁ ଜାଣିବା କେଉଁ ଖେଳାଳିଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି ।

୧. ବ୍ୟାଟ୍ସମ୍ୟାନ୍(୫): ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ସହ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଟି୨୦ର ଶୀର୍ଷ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଦଳରେ ସାମିଲ ହେବା ଏକ ପ୍ରକାର ନିଶ୍ଚିତ । ସେପଟେ ଓପେନର ଭାବରେ ଯଶସ୍ୱୀ ଜୟଶ୍ୱାଲ ଏବଂ ରିଙ୍କୁ ସିଂହକୁ ବିଶ୍ୱକପ୍ ଖେଳିବାର ସୁଯୋଗ ମିଳିପାରେ । ନିକଟରେ ଯଶସ୍ୱୀ ବ୍ୟାଟିଂରେ ଉତ୍ତମ ପ୍ରଦର୍ଶନ କରିଥିବା ବେଳେ ରିଙ୍କୁ ଫିନିଶର ଭାବରେ ନିଜ ଭୂମିକା ସୂଚାରୁ ରୂପେ ତୁଲାଇଥିଲେ ।

୨. ୱିକେଟକିପର(୨): ଋଷଭ ପନ୍ତ ଏବଂ ସଞ୍ଜୁ ସାମସନ୍ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବରେ ଦଳରେ ସାମିଲ ହୋଇପାରିବେ । ଆଇପିଏଲ୍ ୨୦୨୪ ମାଧ୍ୟମରେ ପନ୍ତ ପ୍ରୋଫେସନାଲ କ୍ରିକେଟକୁ ଫେରିଛନ୍ତି । ନିକଟରେ ସେ ଦମଦାର ଇନିଂସ ଖେଳି ଫର୍ମରେ ରହିବାର ସଂକେତ ଦେଇଛନ୍ତି । ୱିକେଟକିପିଂରେ ବି ତାଙ୍କର ଉତ୍ତମ ପ୍ରଦର୍ଶନ ରହିଛି । ଅନ୍ୟପଟେ ସାମସନଙ୍କୁ ଦ୍ୱିତୀୟ ୱିକେଟକିପରର ସ୍ଥାନ ମିଳିପାରେ । ଚଳିତ ସିଜିନରେ ସେ ରାଜସ୍ଥାନ ରୟାଲ୍ସ ପାଇଁ ଦମଦାର ବ୍ୟାଟିଂ କରିଥିଲେ ।

୩. ଅଲରାଉଣ୍ଡର(୩): ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଏବଂ ଛକା ମାରିବାରେ ଉସ୍ତାଦଶିବମ ଦୁବେଙ୍କୁ ଅଲରାଉଣ୍ଡର ଭାବରେ ଦଳରେ ଏଣ୍ଟ୍ରି ମିଳିପାରେ । ଚଳିତ ଆଇପିଏଲରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରହିଥିଲେ । ସ୍ପିନ୍ ବଲିଂ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଅକ୍ଷର ପଟେଲଙ୍କ ସ୍ଥାନରେ ସୁଯୋଗ ମିଳିପାରେ ।

୪. ସ୍ପିନର୍ସ(୨): ବିଶେଷଜ୍ଞ ସ୍ପିନ୍ ବ୍ୟାଟ୍ସମ୍ୟାନ୍ ଭାବରେ କୁଲଦୀପ ଯାଦବ ଏବଂ ୟଜୁବେନ୍ଦ୍ର ଚହଲଙ୍କୁ ଦଳରେ ସାମିଲ ହେବା ପାଇଁ ସୁଯୋଗ ମିଳିପାରେ । ଲେଗ୍ ସ୍ପିନର ଚହଲ ଭାରତ ପାଇଁ ଟି୨୦ କ୍ରିକେଟରେ ସର୍ବାଧିକ ୱିକେଟ ନେଇଥିବା ବ୍ୟାଟ୍ସମ୍ୟାନ ଏବଂ ଆଇପିଏଲରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜଣାଶୁଣା । ସ୍ଲୋ ପିଚ୍ ପାଇଁ କୁଲଦୀପ ଏବଂ ଚହଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ।

୫. ଫାଷ୍ଟ ବୋଲିଂ(୩): ଫାଷ୍ଟ ବୋଲିଂରେ ଜସପ୍ରୀତ ବୁମରା ଏବଂ ଅର୍ଶଦୀପ ସିଂହଙ୍କ ସ୍ଥାନ ପକ୍କା ଲାଗୁଛି । ସେହିପରି ମହମ୍ମଦ ସିରାଜଙ୍କୁ ତୃତୀୟ ସ୍ପେସାଲିଷ୍ଟ ଦୃତ ବୋଲର ଭାବେ ଦଳରେ ଏଣ୍ଟ୍ରି ମିଳିପାରେ । ଆନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ପ୍ରଦର୍ଶନ ଭଲ ରହିଛି ।

ଟି୨୦ ବିଶ୍ୱକପରେ ସାମିଲ ହେବାକୁ ଥିବା ସମ୍ଭାବିତ ଭାରତୀୟ ଦଳ: ରୋହତ ଶର୍ମା(ଅଧିନାୟକ), ଜଶସ୍ୱୀ ଜୟଶ୍ୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ୱିକେଟକିପର), ସଞ୍ଜୁ ସାମସନ୍(ୱିକେଟକିପର), ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ୟଜୁବେନ୍ଦ୍ର ଚହଲ, ରିଙ୍କୁ ସିଂହ, ମୋହମ୍ମଦ ସିରାଜ ।

ଚୟନ ତାଲିକାରେ ରହିଛନ୍ତି ଏହି ଖେଳାଳି: କେ.ଏଲ ରାହୁଲ, ଶ୍ର୍ରେୟସ ଅୟର, ଋତୁରାଜ ଗାୟକୱାଡ଼, ଇଶାନ କିଶନ, ମୟଙ୍କ ଯାଦବ(ବର୍ତ୍ତମାନ ଆଘାତ ଅଛନ୍ତି), ଶୁଭମନ ଗିଲ, ରିୟାନ୍ ପରାଗ, ଅକ୍ଷର ପଟେଲ, ରବି ବିଷ୍ଣୋଇ ଏବଂ ମୁକେଶ କୁମାର ।
ଚଳିତ ଟି୨୦ ବିଶ୍ୱକପରେ ନକ୍ଆଉଟ୍ ସମେତ ୩ଟି ପର୍ଯ୍ୟାୟରେ ଖେଳାଯିବ ।

ସମସ୍ତ ୨୦ ଟିମକୁ ୫-୫ର ୪ଟି ଦଳରେ ବିଭକ୍ତ କରାଯିବ । ପ୍ରତ୍ୟେକ ଗ୍ରୁପର ଶୀର୍ଷ ୨ ଦଳ ସୁପର ୮ରେ ଏଣ୍ଟ୍ରି କରିବେ । ଏହା ପରେ ସମସ୍ତ ୮ଟି ଦଳକୁ ୪-୪ର ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ । ସୁପର ୮ରେ ଦୁଇଟି ଗ୍ରୁପର ୨ଟି ଶୀର୍ଷ ଦଳ ସେମିଫାଇନାଲରେ ପ୍ରବେଶ କରିବେ । ଏହା ପରେ ସେମିଫାଇନାଲ ଆଧାରରେ ୨ଟି ଦଳ ଫାଇନାଲକୁ ଯିିବେ ।

Get real time updates directly on you device, subscribe now.