ନୂଆଦିଲ୍ଲୀ: ଭାବ, ଲୟ ଓ ତାଳରେ ବନ୍ଧା ଜଣେ ବିଖ୍ୟାତ କରିତକର୍ମାଙ୍କୁ ହରାଇଛି ଭାରତର ସଙ୍ଗୀତ ଜଗତ । ବିଶିଷ୍ଟ ତବଲା ବାଦକ ଉସ୍ତାଦ୍ ଜାକିର ହୁସେନଙ୍କ ବିୟୋଗ ସାରା ଦୁନିଆକୁ ସ୍ତବ୍ଧ କରି ଦେଇଛି । ଆଖି ବୁଜିଲେ ଶୁଭୁଛି ତାଙ୍କ ତବଲାରୁ ଭାସି ଆସୁଥିବା ସୁମଧୁର ଧୁନ୍ । କିନ୍ତୁ ସତ କଥା ହେଉଛି, ଆଉ ସେ ତାଳ କି ଛନ୍ଦ କେବେ ଶୁଣିବାକୁ ମିଳିବ ନାହିଁ । ନିଜ ହାତର ଯାଦୁଗରୀକୁ ନେଇ ସେ ଚାଲି ଯାଇଛନ୍ତି ଅଫେରା ରାଇଜକୁ, ଆଉ ଛାଡ଼ି ଯାଇଛନ୍ତି ପ୍ରିୟର ତବଲା । ଘର କୋଣରେ ଉସ୍ତାଦଙ୍କ ହାତର ମାଡ଼କୁ ଝୁରି ହେଉଛି ତବଲା, ଆଉ ତା’ ସହ ଝୁରୁଛି ସାରା ସଙ୍ଗୀତ ଜଗତ । କିନ୍ତୁ ସମସ୍ତଙ୍କ ଆଖିରେ ଲୁହ ଦେଇ ଆଜି ବିଦାୟ ନେଉଛନ୍ତି ପଦ୍ମଶ୍ରୀ ଜାକିର ହୁସେନ୍ ।
ଡିସେମ୍ବର ୧୫ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଆରପାରିକୁ ଚାଲି ଯାଇଥିଲେ ଉସ୍ତାଦ୍ ଜାକିର ହୁସେନ୍ । ଆଜି ସେନ୍ ଫ୍ରାନ୍ସିକୋରେ ହିଁ ତାଙ୍କର ଶେଷକୃତ୍ୟ କରାଯିବ । ଏ ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । ଆଜି ରାତି ୧୦.୩୦ରେ ଆମେରିକାର ସେନ ଫ୍ରାନ୍ସିକୋରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି କହିଛନ୍ତି ପରିବାର ଲୋକେ । ଏଠାରେ ଉସ୍ତାଦଙ୍କ ଶେଷ ଦର୍ଶନ ପରେ ତାଙ୍କୁ ମୁଖାଗ୍ନି ଦିଆଯିବ । ଇଡିଓପ୍ୟାଥିକ ପଲମୋନରୀ ଫାଇବ୍ରୋସିସ ନାମକ ଏଖ ରୋଗରେ ପୀଡ଼ିତ ଥାଇ ଆଖି ବୁଜିଛନ୍ତି ଉସ୍ତାଦ ଜାକିର ହୁସେନ୍ । ତାଙ୍କ ଦେହାନ୍ତ ପରେ ସାରା ସଙ୍ଗୀତ ଜଗତରେ ଏକ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି ।
୧୯୫୧ ମାର୍ଚ୍ଚ ୯ ତାରିଖରେ ଜନ୍ମଲାଭ କରିଥିଲେ ପଦ୍ମ ବିଭୂଷଣ ଉସ୍ତାଦ ଜାକିର ହୁସେନ । ତବଲା ବାଦ୍ୟରେ ବିଶ୍ୱପ୍ରସିଦ୍ଧି ହାସଲ କରି ସେ ଅନେକ ପୁରସ୍କାରର ଅଧିକାରୀ ହୋଇଛନ୍ତି । ୧୯୮୮ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଉସ୍ତାଦ ଜାକିର ହୁସେନ୍ । ଏହାପରେ ୨୦୦୨ ମସିହାରେ ତାଙ୍କୁ ପଦ୍ମଭୂଷଣ ଏବଂ ୨୦୨୩ ମସିହାରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଉସ୍ତାଦ ଜାକିର ହୁସେନଙ୍କୁ ୩ ଥର ଗ୍ରେମୀ ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଛି ।
ତବଲା ବାଦକ ଉସ୍ତାଦ ଆଲ୍ଲାହ ରଖା କୁରେଶୀ ଏବଂ ବିବି ବେଗମଙ୍କ ସୁସନ୍ତାନ ଭାବରେ ୧୯୫୧ ମସିହାରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ଉସ୍ତାଦ ଜାକିର । ମୁମ୍ବାଇ ମାହିମ ସ୍ତିତ ସେଣ୍ଟ ମାଇକଲ ସ୍କୁଲରେ ପାଠ ପଢିଥିଲେ ସେ । ଏହାପରେ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରୁ ଡିଗ୍ରୀ ହାସଲ କରିଥିଲେ । ମାତ୍ର ୧୧ ବର୍ଷ ବୟସରେ ସେ ଆମେରିକାରେ ନିଜ ପ୍ରଥମ କନ୍ସର୍ଟ କରିଥିଲେ ଉସ୍ତାଦ ଜାକିର ହୁସେନ୍ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ତବଲା ବାଦ୍ୟରେ ଅନେକ ସଫଳତା ହାସଲ କରି ୧୯୭୩ ମସିହାରେ ସେ ନିଜ ପ୍ରଥମ ଆଲବମ ’ଲିଭିଙ୍ଗ ଇନ ଦ ମ୍ୟାଟେରିଆଲ ୱାର୍ଲଡ’ ଲଞ୍ଚ୍ କରିଥିଲେ ।