fbpx

କରୋନା ପାଇଁ ଫେରିଲା ମାସ୍କ, ପୁଣି ଫେରିବ କି LockDown ? Covid-19 କୁ ନେଇ ବଢୁଛି ଭୟ ଓ ଆଶଙ୍କା…

ନୂଆଦିଲ୍ଲୀ: ପୁଣିଥରେ ଭୟଙ୍କର ରୂପ ନେଉଛି କରୋନା ମହାମାରୀ । ଦିନକୁ ଦିନ ଏଥିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ମାମଲା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ତେବେ ମାସ୍କ ନିୟମ ଲାଗୁ ହେବା ପରେ ଲୋକଙ୍କ ମନରେ ପୁଣିଥରେ ଛନକା ପଶିଛି । ମାସ୍କ ପରେ ପୁଣିଥରେ ଲକ୍ ଡାଉନ୍ ବ୍ୟବସ୍ଥା ଲାଗୁ ହେବା ନେଇ ଆଶଙ୍କା ଘେରରେ ରହିଛନ୍ତି ଦେଶବାସୀ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ପୁଣି ଫେରିବ କି ଲକ୍-ଡାଉନ୍ ଯନ୍ତ୍ରଣା?

୨୦୧୯ ମସିହା ଶେଷ ସମୟରେ ଭାରତରେ ପାଦ ଥାପିଥିଲା କରୋନା ମହାମାରୀ । ଏହାପରେ ଧିରେ ଧିରେ ସାରା ଭାରତରେ ଏହା ନିଜର କାୟା ବିସ୍ତାର କରିଥିଲା । ଫଳରେ ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ୨୦୨୦ ମସିହା ମାର୍ଚ୍ଚ ୨୧ ତାରିଖରେ ଦେଶବ୍ୟପୀ ଲକ୍-ଡାଉନ୍ ଜାରି କରିଥିଲେ କେନ୍ଦ୍ର ସରକାର । ପ୍ରଥମେ ୨୧ ଦିନ ପାଇଁ ଏହା ଲାଗୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସଂକ୍ରମଣ ସହିତ ଏହି ଲକ୍ ଡାଉନ୍ ପର୍ଯ୍ୟାୟକ୍ରମେ ବଢିବାକୁ ଲାଗିଲା । ତେବେ ଲକ୍ ଡାଉନ୍ ପରେ ‘ସାପ୍ତାହିକ ସଟ୍ ଡାଉନ’ ଏବଂ ‘ରାତ୍ରିକାଳୀନ କର୍ଫ୍ୟୁ’ ଭଳି ଯନ୍ତ୍ରଣା ମଧ୍ୟ ଭୋଗିଛନ୍ତି ଦେଶବାସୀ । ଏହିସବୁ ସମୟରେ ବାହାରକୁ ଯିବା ସମ୍ଭବ ହେଉନଥିଲା, ହେଲେ ବି ପୋଲିସର ଭୟ ଲୋକଙ୍କୁ କଲବଲ କରୁଥିଲା । ତେବେ ୨୦୨୨ ମସିହାରେ ସମସ୍ତ କଟକଣାରୁ ଦେଶ ବାହାରକୁ ଆସିଥିଲା, କାରଣ ଟୀକାକରଣ ଦେଶରୁ କରୋନା ସଂକ୍ରମଣ ସଂଖ୍ୟା ଯଥେଷ୍ଟ ପରିମାଣରେ କମ୍ ହୋଇଥିଲା ।

ତେବେ ବର୍ତ୍ତମାନ ପୁଣିଥରେ କରୋନା ମହାମାରୀ ପୁରୁଣା ରୂପ ନେଉଛି । ପୁଣିଥରେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିବାକୁ ପାଦ ବଢାଇଛି ମହାମାରୀ କରୋନା । ତେଣୁ ବୟସ୍କ ଓ ବିଭିନ୍ନ ରୋଗରେ ଅସୁସ୍ଥ ଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । କୌଣସି କାମରେ ଘର ବାହାରକୁ ଯାଉଥିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଏଥିସହିତ ଲୋକମାନେ ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟର ବିଭିନ୍ନ ରାଜ୍ୟରେ କରୋନାର ନୂଆ ସବ୍ ଭାରିଆଣ୍ଟ JN.1 ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହା ପୂର୍ବରୁ ଦେଶର କିଛି ସ୍ଥାନରେ ମାସ୍କ ପିନ୍ଧିବାକୁ କୁହାଯାଇଥିବା ବେଳେ ଆଜି ରାଜ୍ୟ ସରକାର ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିଛନ୍ତି ।

ତେବେ ଦେଶରେ କୋଭିଡ ପାଇଁ ମାସ୍କ ଫେରିବା ପରେ ଲୋକମାନଙ୍କ ମଧ୍ୟରେ ଏବେ ପୁଣିଥରେ ଲକ୍ ଡାଉନ୍ ର ଭୟ ସୃଷ୍ଟି ହୋଇଛି । ପୁଣିଥରେ ସେହି ଯନ୍ତ୍ରଣାଦାୟକ ଦିନ ଦେଖିବାକୁ ପଡ଼ିବ, ପୁଣିଥରେ ପୋଲିସର ଲାଠିମାଡ଼ ଖାଇବାକୁ ପଡ଼ିବ ଏବଂ ଭୋକ ଉପାସରେ ସେ ଦୁର୍ଦ୍ଦିନ ଲୋକଙ୍କ ଆଖିରେ ନାଚି ଯାଉଛି । ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଏହି ଭାରିଆଣ୍ଟ ପୂର୍ବ ଭଳି ଭୟଙ୍କର ନୁହେଁ । ଏହାସତ୍ତେ୍ୱ ସମସ୍ତଙ୍କୁ ସତର୍କ ରହିବା ଉଚିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛନ୍ତି । ଅର୍ଥାତ୍ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍-ଡାଉନ୍ ବା ସଟ୍-ଡାଉନ୍ ଘୋଷଣା କରିବା ଭଳି ପରିସ୍ତିତି ସୃଷ୍ଟି ହୋଇନାହିଁ । ଆଗକୁ ମଧ୍ୟ ଏହି ଭାରିଆଣ୍ଟ ଯୋଗୁଁ ଲକଡାଉନ ଲାଗୁ ହେବାର ଆଶଙ୍କା ମଧ୍ୟ କମ୍ ରହିଛି ।

Get real time updates directly on you device, subscribe now.