fbpx

ରାଜ୍ୟରେ ହ୍ରାସ ପାଉଛି କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା: ରାଜ୍ୟ ସରକାର ଦେଲେ ସୂଚନା

କଟକ: ରାଜ୍ୟରେ ଦିନକୁ ଦିନ ନୂଆ କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ବର୍ଷ ୫୭୨୯ କୁଷ୍ଠ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ୨୦୧୯-୨୦ ବର୍ଷରେ ୧୦୦୭୭ କୁଷ୍ଠ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୨୦୨୦-୨୧ରେ ଏହି ସଂଖ୍ୟା ୬୧୪୮ ଓ ୨୦୨୧-୨୨ରେ ୫୭୨୯ ଥିଲା । ସେହିପରି ଏହି ଅବଧିରେ ରୋଗ ପ୍ରସାର ହାର ମଧ୍ୟ ପ୍ରତି ୧୦ହଜାର ଜନସଂଖ୍ୟାରେ
୧.୪୫ରୁ ୦.୮୯କୁ ହ୍ରାସ ପାଇଛି ।

ବର୍ତମାନ ରହିଥିବା କୁଷ୍ଠ ଆକ୍ରାନ୍ତଙ୍କ ମଧ୍ୟରୁ ୯୮ ପ୍ରତିଶତଙ୍କ କୌଣସି ଶାରୀରିକ ବିକୃତି/ଘାଆ ନାହିଁ ଓ ସୋମନଙ୍କୁ ୬ ମାସିଆ ମଲ୍ଟି ଡ୍ରଗ ଥେରାପି ସ୍ୱାସ୍ଥ୍ୟକର୍ମୀ ଓ ସିଏଚଓଙ୍କ ଦ୍ୱାରା ପ୍ରଦାନ କରାଯାଉଛି । ଅବଶିଷ୍ଟ ୨ ପ୍ରତିଶତଙ୍କର ଆବଶ୍ୟକ ଯତ୍ନ, ଚିକତ୍ସା, ଫିଜିଓଥେରାପି ପ୍ରାୟତଃ ଘରେ କରାଯାଉଛି । ରାଜ୍ୟ ସରକାରଙ୍କ ତରଫରୁ ଏ ନେଇ କୁଷ୍ଠ ନିରାକରଣ ସଂପର୍କିତ ମାମଲାରେ ଦାଖଲ ସତ୍ୟପାଠରେ ଏଭଳି ତଥ୍ୟ ଉଲ୍ଲେଖ କରାଯାଇଛି । ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ, ସ୍ୱାସ୍ଥ୍ୟ ଓ ବରିବାର କଲ୍ୟାଣ ବିଭାଗ ସଚିବ, କମିଟି ସଦସ୍ୟ ଓ ଦୁଇ ବିଭାଗର ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବେଠରେ ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ତଥ୍ୟ ଉପସ୍ଥାପନ କରାଯାଇଥିବା ଦର୍ଶାଯାଇଥିଲା ।

ସେହିପରି ରାଜ୍ୟରେ ୩୨୧୮ଜଣ ପୁରୁଷ (ମଲ୍ଟିପରପୋଜ ହେଲ୍‌ଥ ୱାର୍କର) ସ୍ୱାସ୍ଥ୍ୟ କର୍ମୀ, ୭୨୨୪ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ, ୪୮୦୧୧ଜଣ ଆଶାକର୍ମୀ, ୪୯୯୧ଜଣ ଡାକ୍ତର (ଏମବିବିଏସ), ୪୦୦୯ଜଣ ସିଏଚଓ, ୧୩୮୫ଜଣ ଆୟୁଷ ମେଡିକାଲ ଅଫିସର ଓ ୯୮ଜଣ ଫିଜିଓଥେରାପିଷ୍ଟ ଏହି କାର୍ଯ୍ୟ ପାଇଁ ପ୍ରଶିକ୍ଷଣ ଲାଭ କରିଛନ୍ତି । ସେହିପରି ୭ଜଣ ପ୍ରଶିକ୍ଷଣ ହାସଲ କରିଥିବା ସର୍ଜନଙ୍କୁ ୧୨ଟି କୁଷ୍ଠ ଚିକିତ୍ସାଳୟରେ ନିୟୋଜିତ କରାଯାଇଛି । ମେଡିକାଲ ଅଫିସର, ସ୍ୱାସ୍ଥ୍ୟ କର୍ମୀ, ଡ୍ରେସର ନିୟମିତ ଭାବେ କୁଷ୍ଠ କଲୋନି ଗୁଡିକୁ ସପ୍ତାହରେ ଥରେ ଯାଇ ରୋଗୀଙ୍କ ଚିକିତ୍ସା କରିବା ସହିତ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସମସ୍ୟା କଥା ବୁଝୁଛନ୍ତି ।

Get real time updates directly on you device, subscribe now.