fbpx

କାଉଡ଼ିଆ ମାର୍ଗରେ ଥିବା ଭୋଜନାଳୟରେ ଲାଗିବ ମାଲିକଙ୍କ ନେମପ୍ଲେଟ୍‌, ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ

ଲ‌‌‌‌କ୍ଷ୍ନୌ: ଶ୍ରାବଣ ମାସରେ ଶିବ ଭକ୍ତଙ୍କ ପାଇଁ କାଉଡ଼ିଆ ଯାତ୍ରା ଅନେକ ଗୁରୁତ୍ୱ ବହନ କରେ । ଏଥିପାଇଁ ବିଭିନ୍ନ ପ୍ରାନ୍ତରେ ଥିବା କାଉଡ଼ିଆଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥାଏ । ଏଥିମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଉଡ଼ିଆ ଯାତ୍ରୀଙ୍କ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ କାଉଡ଼ିଆ ଯାତ୍ରୀଙ୍କ ମାର୍ଗରେ ଥିବା ସମସ୍ତ ଭୋଜନାଳୟରେ ଦୋକାନ ମାଲିକ ନିଜ ନାଁ ଥିବା ନେମ୍ ପ୍ଲେଟ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ଆଦିତ୍ୟନାଥ । ଅପରପକ୍ଷରେ ଏହି ପ୍ରସଙ୍ଗକୁ ନେଇ ୟୁପିରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି ।

ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା କାଉଡ଼ିଆଙ୍କ ପାଇଁ ଜାରି କରାଯାଇଥିବା ଏହି ନର୍ଦ୍ଦେଶନାମା ଅନୁଯାୟୀ କାଉଡ଼ିଆଙ୍କ ରୁଟରେ ଥିବା ପ୍ରତ୍ୟେକ ଭୋଜନାଳୟ ସାମ୍ନାରେ ଦୋକାନ ମାଲିକ କିମ୍ବା ସେଠାରେ କାମ କରୁଥିବା ବ୍ୟକ୍ତି ନିଜ ନାଁର ନେମ୍ ପ୍ଲେଟ୍ ଲଗାଇବା ଉଚିତ । ଏହା ଦ୍ୱାରା କାଉଡ଼ିଆଙ୍କୁ କୌଣସି ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ । କଉଡ଼ିଆ ତୀର୍ଥଯାତ୍ରୀଙ୍କ ପବିତ୍ରତା ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ହରିଦ୍ୱାରର ବରିଷ୍ଠ ପୋଲିସ ଅଧୀକ୍ଷକ ପ୍ରମୋଦ ସିଂ ଡୋବାଲ ଗଣମାଧ୍ୟମକୁ କହିଛନ୍ତି ‘ହୋଟେଲ, ଢାବା କିମ୍ବା ଷ୍ଟ୍ରିଟ୍ ଫୁଡ୍ ଷ୍ଟଲ୍ ଚଳାଉଥିବା ସମସ୍ତଙ୍କୁ ସେମାନଙ୍କ ପ୍ରତିଷ୍ଠାନରେ ମାଲିକଙ୍କ ନାମ, କ୍ୟୁଆର୍‌ କୋଡ୍ ଏବଂ ମୋବାଇଲ୍ ନମ୍ବର ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଳନ କରିବାରେ ବିଫଳ ହେଲେ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ଏବଂ କାଉଡ଼ିଆ ମାର୍ଗରୁ ସେମାନଙ୍କୁ ହଟାଇ ଦିଆଯିବ ।

ଜେଡିୟୁ ନେତା କେ.ସି ତ୍ୟାଗି କହିଛନ୍ତି, ‘ଜଣା ନାହିଁ କେଉଁ ପରିସ୍ଥିତିରେ ମୁଜ୍ଜାଫର ନଗର ପ୍ରଶାସନ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି । ମୁସଲିମ ବହୁଳ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସାର କୌଣସି ଇତିହାସ ନାହିଁ । ତେଣୁ ଜିଲ୍ଲା ପ୍ରଶାସନ ନିଜ ଆଦେଶର ସମୀକ୍ଷା କରନ୍ତୁ ଏବଂ ୟୁପିର ଅନ୍ୟ ଜିଲ୍ଲାରେ ଏହାକୁ ଲାଗୁ କରନ୍ତୁ ନାହିଁ ।’ ସେହିପରି ଦାରୁଲ ଉଲୁମ ପ୍ରବକ୍ତା ମୌଲାନା ସୁଫିୟାନ୍ ନିଜାମୀ କହିଛନ୍ତି, ‘ଧର୍ମ ନାଁରେ ଆପତ୍ତି କରିବା ଭୁଲ କଥା । ଦୋକାନ କେଉଁ ଧର୍ମର ଜଣାଇବା ଜରୁରୀ କି? କୌଣସି ଧର୍ମ ଅନ୍ୟ ଧର୍ମ ସହ ଭେଦଭାବ କରିନଥାଏ । ଏହି ମାମଲାରେ ରାଜନୀତିକରଣ ଠାରୁ ଅଧିକା ଗରୁତ୍ୱ ଧର୍ମ ନାଁରେ ବିଭାଜନ ନ ହେଉ ଏବଂ ଭାଇଚାରା ବଜାୟ ରହୁ ।’

Get real time updates directly on you device, subscribe now.