ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କୋଚ ଅନିଲ କୁମ୍ବଲେ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବିବାଦକୁ ନେଇ ପୁଣି ଜୋର ଧରିଛି ଚର୍ଚ୍ଚା । ପୂର୍ବରୁ ଦୁହିଁଙ୍କ ବିବାଦ ଉପରେ ଅନେକ ଆଲୋଚନା, ପର୍ଯ୍ୟାଲୋଚନା ସହ ସମାଲୋଚନା ମଧ୍ୟ ହୋଇଛି । ତେବେ ଉଭୟଙ୍କ ମଧ୍ୟରେ ଥିବା ବିବାଦର ରହସ୍ୟ ଉପରେ ମୁହଁ ଖୋଲିଛନ୍ତି ଇଣ୍ଡିଆନ କ୍ରିକେଟ ଟିମର ପୂର୍ବତନ ମ୍ୟାନେଜର ତଥା ବିସିସିଆଇ ସଦସ୍ୟ ରତ୍ନାକର ଶେଟ୍ଟୀ ।
ରତ୍ନାକର କହିଛନ୍ତି ଯେ, ବିରାଟ କୋହଲିଙ୍କ ଖେଳାଳିମାନଙ୍କ ସହ ଛିଡା ହେବାକୁ ଅସମର୍ଥ ଥିଲେ ଅନିଲ । ଏହା ସହିତ ଦଳରେ କୁମ୍ବଲେଙ୍କ ଆଚରଣ ଏକ ଉତ୍ତେଜନାମୂଳକ ପରିବେଶ ସୃଷ୍ଟି କରୁଛି ବୋଲି ଅନୁଭବ କରୁଥିଲେ ବିରାଟ । ଫଳରେ ୨୦୧୭ ଚମ୍ପିଆନ୍ସ ଟ୍ରପି ପରେ କୋଚ ପଦରୁ ଇସ୍ତଫା ଦେଇଥିଲେ କୁମ୍ବଲେ । କେବଳ ସେତିକି ନୁହେଁ ଅନେକ ଲୋକ କୁମ୍ବଲେଙ୍କୁ କୋଚ ଭାବେ ଗ୍ରହଣ କରି ପାରି ନଥିଲେ । ତାଙ୍କୁ କୋଚ ପଦରୁ ହଟାଇବା ପାଇଁ ଚାହୁଁଥିଲେ । ତେବେ ଅନିଲ କୁମ୍ବଲେ କେବଳ ବର୍ଷେ ପାଇଁ ଭାରତୀୟ ଦଳର କୋଚ ଭାବେ ଦାୟିତ୍ୱ ନେଇଥିଲେ ।