fbpx

ମମିତା ହତ୍ୟାକାଣ୍ଡ ପଛରେ ଲୁଚିଛି ପୋଲିସର ଚକ୍ରାନ୍ତ: ଏତଲାରେ ଏପଟ ସେପଟ କରାଯାଇଥିବା ନେଇ ଉଠିଲା ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ତାତି ଥମିବାର ନାଁ ଧରୁନାହିଁ । ଗୋଟିଏ ପଟେ କଂଗ୍ରେସ, ବିଜେପି ସହ ଅନ୍ୟ ସଂଗଠନମାନେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନ ଚଳାଇଥିବା ବେଳେ ଅନ୍ୟପଟେ ଏହି ଘଟଣାରେ ନୂଆ ନୂଆ ଖୁଲାସା ହେଉଛି । ତେବେ ଏହା ମଧ୍ୟରେ ପୋଲିସର ତଦନ୍ତର ଦିଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ପୋଲିସ ଜାଣିଶୁଣି ଏହି ମାମଲାକୁ ଷଡ଼ଯନ୍ତ୍ର କରି ଦୁର୍ବଳ କରୁଥିବା ନେଇ ପ୍ରେସମିଟରେ କହିଛନ୍ତି ବିଜୟ ।

ବିଜୟ ଅଭିଯୋଗ କରିଛନ୍ତି ଯେ, ମମିତା ମେହେର ହତ୍ୟାକାଣ୍ଡ ନେଇ ଗତ ଅକ୍ଟୋବର ୧୩ ତାରିଖରେ ଥାନାରେ ଏତଲା ଦାୟର ହୋଇଥିଲା । ମାତ୍ର ଅକ୍ଟୋବର ୧୬ ତାରିଖରେ କୋର୍ଟର ଏଫଆଇଆର ଦାଖଲ ହୋଇଥିଲା । ୩ ଦିନ କାହିଁକି ବିଳମ୍ବ ଘଟିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ପୋଲିସ ଜାଣିଶୁଣି ତଦନ୍ତକୁ ଦୁର୍ବଳ କରିବା ସହ ଦିଗହରା କରୁଛି । ମହାଲିଙ୍ଗ କଲେଜ ଲେଡିଜ୍ ହଷ୍ଟେଲରେ ମମିତା ରହୁଥିବା ସମୟରେ ସେଠାରେ ସେକ୍ସ ରାକେଟ୍ ଚାଲିଥିଲା । ତେବେ ଏହାକୁ ମମିତା ପ୍ରତିବାଦ କରିଥିବା ନେଇ କେସ୍ ଡାଏରୀରେ ଉଲ୍ଲେଖ କରିଥିବା ବେଳେ ହତ୍ୟାକାରୀ ଗୋବିନ୍ଦ ସାହୁ ବିଷୟରେ ବିଶେଷ କିଛି ଉଲ୍ଲେଖ କରାଯାଇନାହିଁ । ତେଣୁ ଏତଲାରେ ଜାଣିଶୁଣି କିଛି ଏପଟ ସେପଟ କରାଯାଇଥିବା ନେଇ କହିଛନ୍ତି ବିଜୟ । ସୂଚନାଯୋଗ୍ୟ ଯେ, ଏହି ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ସମ୍ପୃକ୍ତି ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତାଙ୍କର ଇସ୍ତଫା ଦାବି କରାଯାଇ ଆସୁଛି । ଗୋବିନ୍ଦ ସାହୁକୁ ସୁରକ୍ଷା ଦେବାକୁ ଯାଇ ମନ୍ତ୍ରୀ ନିଜର କ୍ଷମତାର ଅପବ୍ୟବହାର କରିଥିବା ନେଇ କଂଗ୍ରେସ ପକ୍ଷରୁ ମଧ୍ୟ ଅଭିଯୋଗ ଅଣାଯାଇଥିଲା ।

Get real time updates directly on you device, subscribe now.