fbpx

ମୃତ ବ୍ୟକ୍ତିର ବ୍ୟାଙ୍କ ଆକାଉଣ୍ଟ ବା ATMରୁ ଟଙ୍କା ଉଠାଉଛନ୍ତି କି? ତେବେ ଜାଣନ୍ତୁ କ’ଣ ହେବ ପରିଣାମ

ନୂଆଦିଲ୍ଲୀ: ପରିବାରରେ ଯଦି କୌଣସି ସଦସ୍ୟଙ୍କର ମୃତ୍ୟୁ ହୋଇଥାଏ, ତେବେ ଦୁଃଖୀ ହେବା ସହିତ କିଛି ଜରୁରୀ କାମ କରିବାକୁ ବି ଭୁଲନ୍ତୁ ନାହିଁ । ବ୍ୟାଙ୍କ ସହ ଜଡ଼ିତ କିଛି କାର୍ଯ୍ୟ ମଧ୍ୟ ଅତ୍ୟନ୍ତ ଗରୁରତ୍ୱପୂର୍ଣ୍ଣ ହୋଇଥାଏ । ଉଦାହରଣ ସ୍ୱରୂପ, ଯଦି ପରିବାର ସଦସ୍ୟଙ୍କ ମୃତ୍ୟୁ ହୁଏ, ତେବେ ବ୍ୟାଙ୍କ ଆକଉଣ୍ଟ ତୁରନ୍ତ ବନ୍ଦ କରିବା ଉଚିତ୍ କି? ବ୍ୟାଙ୍କ ଏଟିଏମ କାର୍ଡ ସହିତ କ’ଣ କରାଯିବ? ଏହି ସବୁ ପ୍ରଶ୍ନ ବିଷୟରେ ଆସନ୍ତୁ ଜାଣିବା କ’ଣ ରହିଛି ଆରବିଆଇର ନିୟମ ।

ନିକଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ଆକାଉଣ୍ଟରୁ ଏଟିଏମ ଜରିଆରେ ଟଙ୍କା ଉଠାଇନେଇଥିଲା । ପତ୍ନୀଙ୍କ ମୃତ୍ୟୁ ସହ ଜଡିତ ପ୍ରମାଣପତ୍ରକୁ ଏଡାଇବା ପାଇଁ ସ୍ୱାମୀ ଏହି କାର୍ଯ୍ୟ କରିଥିଲେ । କିନ୍ତୁ ସ୍ୱାମୀଙ୍କ ଏହି କାମ ତାଙ୍କ ଉପରେ ହିଁ ଓଲଟା ପଡିଥିଲା । ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ପୋଲିସ ନିକଟରେ ମାମଲା ରୁଜୁ କରିଛି ବ୍ୟାଙ୍କ ।

ଏଥିରୁ ସ୍ପଷ୍ଟ ହୋଇଛି ଯେ, ଏଟିଏମ ମାଧ୍ୟରେ ଜଣେ ମୃତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ବେଆଇନ୍ ଅଟେ । ଟଙ୍କା ଉଠାଉଥିବା ବ୍ୟକ୍ତି ମୃତକଙ୍କ ନୋମିନି ହୋଇଥିଲେ ବି କିଛି ଫରକ୍ ପଡିବ ନାହିଁ । କୌଣସି ବ୍ୟକ୍ତିର ମୃତ୍ୟୁ ହେବା ପରେ ତାଙ୍କ ସମ୍ପତ୍ତି ବା ଟଙ୍କା ନୋମିନି ନାଁରେ ଟ୍ରାନ୍ସଫର ହେବା ଏକ ଆଇନଗତ ପ୍ରକ୍ରିୟା ।

ଆଇନରେ କୁହାଯାଇଛି ଯେ, ଏପରି ମାମଲା ବ୍ୟାଙ୍କ ଓ ଅନ୍ୟାନ୍ୟ ଆଇନଗତ ଉତ୍ତରାଧିକାରୀଙ୍କୁ ଠକିବା ସହିତ ସମାନ । ଏପରି ପରିସ୍ଥିତିରେ କୌଣସି ବି ବ୍ୟକ୍ତି ମାମଲା ରୁଜୁ କରିପାରିବେ ଓ ଏହାର ତଦନ୍ତ ହେବ । ଏହି ଅଭିଯୋଗ ଆଧାରରେ ଅପରାଧିକ ଦଣ୍ଡ ଲାଗୁ ହେବ । ଯଦି ମୃତକ ନିଜ ବ୍ୟାଙ୍କ ଆକାଉଣ୍ଟରେ ଏକରୁ ଅଧିକ ଲୋକଙ୍କୁ ନୋମିନି କରିଛନ୍ତି ଓ ସେମାନଙ୍କ ମଧ୍ୟରୁ କେହି ବି ବ୍ୟକ୍ତି ଟଙ୍କା ଉଠାଇବାକୁ ଚାହୁଁଛନ୍ତି, ତେବେ ସେ ଅନ୍ୟ ନୋମିନିମାନଙ୍କଠାରୁ ସହମତି ପତ୍ର ନେଇ ବ୍ୟାଙ୍କରେ ଦାଖଲ କରିବେ ।

ଯଦି କୌଣସି ବ୍ୟାଙ୍କ ଆକାଉଣ୍ଟ ହୋଲ୍ଡରଙ୍କ ମୃତ୍ୟୁ ହୁଏ, ତେବେ ମୃତ୍ୟୁ ଦାବି ଦାଖଲ କରିବା ପୂର୍ବରୁ ତାଙ୍କ ପରିବାର ସଦସ୍ୟଙ୍କୁ କିଛି ଦିଗରେ ବିଶେଷ ଧ୍ୟାନ ଦେବାକୁ ପଡିବ । ମୃତକଙ୍କ ବ୍ୟାଙ୍କ ଆକାଉଣ୍ଟ ଏକ ଜଏଣ୍ଟ ଆକାଉଣ୍ଟ ଥିବା ନା ସିଙ୍ଗଲ ଆକାଉଣ୍ଟ, ତାହା ଜାଣିବା ନିହାତି ଜରୁରୀ । ବ୍ୟାଙ୍କ ଆକାଉଣ୍ଟରେ ନୋମିନି ଅଛନ୍ତି କି ନାହିଁ, ତାହା ଜାଣିବା ବି ଜରୁରୀ । ଯଦି ଜଣେ ଆକାଉଣ୍ଟ ହୋଲ୍ଡରଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ବ୍ୟାଙ୍କ ଆକାଉଣ୍ଟରେ ରଖାଯାଇଥିବା ଟଙ୍କା ଉପରେ ଦାବି କରିପାରିବେ ।

କ’ଣ ରହିଛି RBIର ନିର୍ଦ୍ଦେଶ

ଏହି ମାମଲାରେ ନରମ ଆଭିମୁଖ୍ୟ ରଖିବାକୁ ବ୍ୟାଙ୍କଗୁଡିକୁ କହିଛି ଆରବିଆଇ । ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ବ୍ୟାଙ୍କକୁ ସୂଚନା ଦେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । ପୀଡିତ ପରିବାର ଯେବେବି ମାନସିକ ସ୍ତରରେ ପ୍ରସ୍ତୁତ ହେବେ, ସେତେବେଳେ ଏହି କାମ କରିପାରିବେ । ଆରବିଆଇ ନିର୍ଦ୍ଦେଶ ମୁତାବକ, ଯଦି ପରିବାର ସଦସ୍ୟ ଟଙ୍କା ବାହାର କରିବାକୁ ଆବେଦନ କରନ୍ତି, ତେବେ ୧୫ ଦିନ ମଧ୍ୟରେ ବ୍ୟାଙ୍କ ଏହାକୁ ସମ୍ପୂର୍ଣ୍ଣ କରିବ ।

Get real time updates directly on you device, subscribe now.