fbpx

(video)ଗଣେଶ ମୂର୍ତ୍ତି ଗଢା କାମରେ ବ୍ୟସ୍ତ କାରିଗର: କିନ୍ତୁ ମାନ୍ଦାରେ ଚାଲିଛି ଏମାନଙ୍କ ବ୍ୟବସାୟ

ରାୟଗଡା: ଆସୁଛନ୍ତି ବିଘ୍ନ ବିନାଶନ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ । ଗିରିଜାନନ୍ଦନଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପଲ୍ଲୀରୁ ଦିଲ୍ଲୀ । ଏଥିପାଇଁ ମୂର୍ତ୍ତି କାରିଗର ମାନେ ମଧ୍ୟ ବ୍ୟସ୍ତ ଅଛନ୍ତି । କିଭଳି ଭିନ୍ନ ଭିନ୍ନ ମୂର୍ତ୍ତି ତିଆରି କରି ଗ୍ରାହକମାନଙ୍କୁ ଆକୃଷ୍ଟ କରି ପାରିବେ ସେହି ଚିନ୍ତାରେ କାରିଗର । ଏହି କାରିଗରଙ୍କ ତୁଳୀର ସ୍ପର୍ଶ ଏତେ ନିଖୁଣ ଯେ ତାହା କେହି ନଦେଖିଲେ କହିବା ଅସମ୍ଭବ । କିନ୍ତୁ ଧିରେ ଧିରେ ଏମାନଙ୍କର ବ୍ୟବସାୟ ମାନ୍ଦାରେ ଚାଲୁଥିବା ଜଣାପଡ଼ିଛି ।

ଏମାନଙ୍କ ମାଟି ତିଆରି ମୂର୍ତ୍ତି ସତେ ଯେମିତି ଜୀବନ୍ତ ଲାଗେ । ପୂର୍ବ ପୁରୁଷର କୌଳିକ ବୃତ୍ତିକୁ ଆଜିର ଏହି ଆଧୁନିକ ଯୁଗରେ ମଧ୍ୟ ଏମାନେ ବଞ୍ଚିତ କରି ରଖିଛନ୍ତି । ରାୟଗଡା ଜିଲ୍ଲା ସଦର ବ୍ଲକ ଅମ୍ଳାଭଟା ଗାଁରେ କୁମ୍ଭାର ସମ୍ପ୍ରଦାୟର ପାଖାପାଖି ୨ଶହ ପରିବାର ଥିବାବେଳେ ମାଟି ହାଣ୍ଡି ଗଡ଼ିବା ସହ ବିଭିନ୍ନ ପର୍ବପର୍ବାଣିରେ ଏମାନେ ମାଟିର ମୂର୍ତ୍ତି ଗଠନ କରିଥାନ୍ତି । ବିଶେଷକରି ଗଣେଶ ପୂଜା ସମୟରେ ବିଭିନ୍ନ ରକମର ମୂର୍ତ୍ତି କରି ଏମାନେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଜିଲ୍ଲା ବାହାରେ ମଧ୍ୟ ଏମାନଙ୍କ ହାତ ତିଆରି ମୂର୍ତ୍ତିର ଚାହିଦା କୁବ ଅଧିକ । ଏଠାରେ ସୁଲଭ ମୂଲ୍ୟରେ ମୂର୍ତ୍ତି ମିଳୁଥିବାରୁ ବହୁ ଦୂର ଦୂରାନ୍ତରୁ ଗ୍ରାହକମାନେ ଏହି ସ୍ଥାନକୁ ମୂର୍ତ୍ତି ନେବା ପାଇଁ ଆସିଥାନ୍ତି । କିନ୍ତୁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ସିମେଣ୍ଟ ମୂର୍ତ୍ତି ବିକ୍ରି ହେଉଥିବାର ଏବେ ଏମାନଙ୍କର ବ୍ୟବସାୟ ସାମାନ୍ୟ ମାନ୍ଦାବସ୍ଥା ଦେଇ ଗତି କରୁଛି ।

ବିଭିନ୍ନ ସମସ୍ୟା ମଧ୍ୟରେ ଥିଲେ ମଧ୍ୟ ସେମାନଙ୍କ କୌଳିକ ବୃତ୍ତିକୁ ଏମାନେ ଆଜି ପର୍ୟ୍ୟନ୍ତ ବଜାୟ ରଖିଛନ୍ତି । ଅପର ପକ୍ଷେ ମୂର୍ତ୍ତି ପାଇଁ ବ୍ୟବହୃତ ଉପଯୁକ୍ତ ମାଟି, ବାଉଁଶ, ନଡ଼ା, କାଠ ଇତ୍ୟାଦି ଠିକ ସମୟରେ ମିଳୁ ନଥିବା ବେଳେ ବଜାରରେ ରଙ୍ଗର ଦାମ ଅଧିକ ରହୁଥିବା ଯୋଗୁଁ କୁମ୍ଭାର ସମ୍ପ୍ରଦାୟର କିଛି କାରିଗର ଏହି ବୃତ୍ତିଠାରୁ ଦୁରେଇ ରହୁଥିବା ଦେଖା ଦେଇଛି । ବଂଶାନୁକ୍ରମେ ଚାଲୁଥିବା ଏହି କୌଳିକ ବୃତ୍ତି ନିମନ୍ତେ ସରକାର ଏମାନଙ୍କ ପାଇଁ କିଛି ବ୍ୟବସ୍ଥା କଲେ ଏମାନଙ୍କ ସହିତ ମୂତ୍ତିକଳାର ମଧ୍ୟ ଉନ୍ନତି ହୋଇପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.