fbpx

ଇଡିରେ ହାଜର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି, ଚାଲିଛି ଜେରା

Advertisement

ଓଡ଼ିଶା ଭାସ୍କର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଆଜି ହାଜର ହୋଇଛନ୍ତି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି। ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ସେ ଇଡିରେ ହାଜର ହୋଇଥିବା ଜଣାଯାଇଛି। ପ୍ରୟାସକାନ୍ତିଙ୍କୁ ବର୍ତ୍ତମାନ ଇଡି ଜେରା କରୁଥିବା ସୂଚନା ରହିଛି। କିଛି ଦିନ ତଳେ ବାପା ପ୍ରଫୁଲ୍ଲ ସାମଲ ଇଡିରେ ହାଜର ହୋଇଥିଲେ। ପ୍ରଫୁଲ୍ଲଙ୍କୁ ପ୍ରାୟ ୮ ଘଣ୍ଟା ଧରି ଜେରା କରିଥିଲା ଇଡି। ତେବେ ଇଡି ପ୍ରଫୁଲ୍ଲ ଓ ପୁଅ ପ୍ରୟାସକାନ୍ତିଙ୍କୁ କେଉଁ ସବୁ ବିଷୟରେ ପଚାରଉଚରା କରିଛି ସେନେଇ ଚର୍ଚ୍ଚା ଦେଖିବାକୁ ମିଳୁଛି।

ସୂଚନା ଥାଉକି, ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଉଭୟ ବାପା-ପୁଅ ଇଡିରେ ହାଜର ହୋଇଥିବା ଜଣାଯାଇଛି। ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ହାଜର ହେବାକୁ ଇଡି ଫେବ୍ରୁଆରୀ ୧୭ ତାରିଖରେ ନୋଟିସ କରିଥିଲା। ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଜଣାଇ ଇଡିରେ ହାଜର ହେବାକୁ ଓକିଲ ଜରିଆରେ ସମୟ ମାଗିଥିଲେ ପ୍ରଫୁଲ୍ଲ । ହେଲେ ପରବର୍ତ୍ତୀ ସମୟରେ ପୁଣି ଇଡି ପ୍ରଫୁଲ୍ଲଙ୍କୁ ହାଜର ହେବାକୁ ନୋଟିସ କରିଥିଲା। ତେଣୁ ଗତ ୨୮ ତାରିଖ ଦିନ ପ୍ରଫୁଲ୍ଲ ଇଡିରେ ହାଜର ହୋଇଥିଲେ।

ସୂଚନା ଯୋଗ୍ୟ, କିଛି ତଳେ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢ଼ାଉ କରିଥିଲା। ସେହିପରି ବିଧାୟକଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଥିଲା। ଭଦ୍ରକ ସହରର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡି ରେଡ୍‌ କରିଥିଲା। ସେଥି ମଧ୍ୟରେ ଭୁବନେଶ୍ୱରର ପଳାସପଲ୍ଲୀରେ ଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ବି ରେଡ ହୋଇଥିଲା।

 

Get real time updates directly on you device, subscribe now.