fbpx

ଦିଗପହଣ୍ଡି ଦୁର୍ଘଟଣା: ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର

ଗଞ୍ଜାମ: ଗଞ୍ଜାମ ଦିଗପହଣ୍ଡିରେ ଛକରେ ଏକ ଭୟଙ୍କର ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୨ ଜଣ ଯାତ୍ରୀ । ଏଥିସହିତ ପ୍ରାୟ ୧୫ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଦୁର୍ଘଟରାରେ ପ୍ରାଣ ହରାଇଥିବା ସମସ୍ତ ଯାତ୍ରୀମାନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏହାସହିତ ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦିଆଯିବ । ସମସ୍ତ ମୃତକଙ୍କ ସମ୍ପର୍କୀୟ ଏବଂ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ଏଓଆରସି । ସେହିପରି ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସମସ୍ତଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କ ଚିକିତ୍ସା ପାଇଁ ଏସଆରସିଙ୍କ ପକ୍ଷରୁ ସହାୟତା ଘୋଷଣା କରାଯାଇଛି । ସମସ୍ତ ଆହତଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ରିଲିଫ କମିନଶନର ।

ସୂଚନା ଅନୁସାରେ, ଗଞ୍ଜାମ ଦିଗପହଣ୍ଡିରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଯାଇଛି । ଓଏସଆରଟିସି ବସ୍ ଏବଂ ଏକ ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଅନେକ ଯାତ୍ରୀ ମୃତାହତ ହୋଇଛନ୍ତି । ତେବେ ଜାଣିବାକୁ ମିଳିଛି ଯେ, ଘରୋଇ ବସରେ ଥିବା ଯାତ୍ରୀମାନେ ଏକ ବିବାହ ଉତ୍ସବକୁ ଯାଇଥିଲେ । ବ୍ରହ୍ମପୁରରୁ ବିବାହ ଉତ୍ସବ ସାରି ଖୁସି ମନରେ ଫେରୁଥିଲେ ଖଣ୍ଡଦେଉଳିକୁ । ଦିଗପହଣ୍ଡି ନିକଟରେ ଏକ ସରକାରୀ ବସ ଏବଂ ଘରୋଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଗାଡିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଲୋକ  ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ରିପୋର୍ଟ ଅନୁସାରେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୨ ଜଣଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ୨ ଶିଶୁ ରହିଛନ୍ତି ।

Get real time updates directly on you device, subscribe now.