ଏଠି ‘ଦାନା’ ବି ଦିଗହରା ହୋଇଯିବ; ଆଶା ଦିଦିଙ୍କ ଏପରି କାମକୁ ପ୍ରସଂଶା କଲେ ରାଜ୍ୟ ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଶା ଦିଦିଙ୍କ ଏପରି କାମକୁ ପ୍ରସଂଶା କଲେ ରାଜ୍ୟ ସରକାର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ର ତାଳଚୁଆ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ଲୋକଙ୍କୁ ସ୍ଥାନାନ୍ତର ବେଳର ଦୃଶ୍ୟକୁ ସରକାରଙ୍କ ପ୍ରଶଂସା । ଖସମୁଣ୍ଡା ଗ୍ରାମର ଆଶା କର୍ମୀ ଶ୍ରୀମତୀ ଶିବାନୀ ମଣ୍ଡଳ ଆଜି ଜଣେ ବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି । ଶିବାନୀ ତାଙ୍କ ପିଠିରେ ପକେଇ ଜଣେ ବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଯାଇଥିଲେ ।

ବୃଦ୍ଧଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କର ଏପରି ସମର୍ପଣ ଭାବନା ଖୁବ୍ ପ୍ରଶଂସନୀୟ । ସେଥିପାଇଁ ଶିବାନୀଙ୍କୁ ଲୋକଙ୍କ ସମେତ ରାଜ୍ୟ ସରକାର ଖୁବ୍ ପ୍ରଶଂସା କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶିବାନୀଙ୍କୁ ପ୍ରଶଂସା ଜଣାଇଛି । ସେପଟେ ବାତ୍ୟା ଦାନାର ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ।

ପ୍ରସ୍ତୁତି ବ୍ୟବସ୍ଥା ନେଇ ସନ୍ତୋଷ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ, ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଏହା ସହିତ ଲୋକଙ୍କ ସୁରକ୍ଷା ପାଇଁ ନିଆ ଯାଇଥିବା ସୁରକ୍ଷା ବଳ, NDRF, ODRAF ଆଦି ମୁତୟନ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ । ଆଲୋଚନା ପରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସଂପର୍କରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ।