fbpx

‘ଦୁଷ୍କର୍ମ କେବଳ ୧୧ ମିନିଟ’; ଏମିତି କହି ଦଣ୍ଡ କମାଇଲେ ମହିଳା ଜଜ୍, ଜାଣନ୍ତୁ ପୂରା ଘଟଣା

ଓଡ଼ିଶା ଭାସ୍କର ବ୍ୟୁରୋ: କୋର୍ଟରେ ଚାଲିଲା ଦୁଷ୍କର୍ମ ମାମଲାର ଶୁଣାଣି । ହେଲେ ପୀଡ଼ିତାଙ୍କ ପକ୍ଷରେ ଗଲାନି ରାୟ । ମାତ୍ର ୧୧ ମିନିଟ୍ ଦୁଷ୍କର୍ମ କରାଯାଇଛି ବୋଲି ଦର୍ଶାଇବା ସହ ଜଜ୍ କମାଇଦେଲେ ଦୋଷୀର ଦଣ୍ଡ । ଏପରିକି ଏହି ରାୟ ଜଣେ ମହିଳା ଜଜ୍ ହିଁ ଶୁଣାଇଲେ । ବାସ୍ ଏହାକୁ ନେଇ ସାଧାରଣରେ ଉପୁଜିଲା ଅସନ୍ତୋଷ । ଆଉ ରାଜରାସ୍ତାରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରି ରାୟ ବିରୋଧରେ ପ୍ରତିବାଦ କଲେ ।

ଏଭଳି ବିରଳ ଘଟଣା ଘଟିଛି ସ୍ୱିଜରଲାଣ୍ଡରେ । ଗତ ବର୍ଷ ଫେବ୍ରୁଆରିରେ ମାସର ଏହି ଘଟଣା । ଜଣେ ୩୩ ବର୍ଷୀୟା ମହିଳା ନାଇଟ କ୍ଲବରୁ ଫେରି ନିଜ ଆପାର୍ଟମେଣ୍ଟକୁ ପ୍ରବେଶ କରିବା ବେଳେ ଦୁଇଜଣ ଦୁର୍ବୃତ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଜଣେ ବ୍ୟକ୍ତି ୩୨ ବର୍ଷର ଓ ଆଉଜଣେ ୧୭ ବର୍ଷର ଅଭିଯୁକ୍ତ ବିରୋଧରେ ମାମଲା ଦାୟର ହୋଇଥିଲା । ତେବେ ଏହି ମାମଲାରେ କିଛିଦିନ ତଳେ କୋର୍ଟ ୩୨ ବର୍ଷୀୟ ଅଭିଯୁକ୍ତଙ୍କ ଦଣ୍ଡ କମ କରିବା ଘୋଷଣା କରିଥିଲେ । ଏହାସହ ୧୭ ବର୍ଷୀୟ ଅଭିଯୁକ୍ତର ଦଣ୍ଡ ଜୁଭେନାଇଲ କୋର୍ଟ ନିଷ୍ପତ୍ତି ନେବ ବୋଲି ଶୁଣାଇଥିଲେ ମହିଳା ଜଜ୍ ।

ମହିଳା ଜଷ୍ଟିସ ଲିସେଲେଟ ହେଞ୍ଜ ଏହି ମାମଲାର ଶୁଣାଣି କରିଥିଲେ । ଏକ ରିପୋର୍ଟ ଅନୁଯାୟୀ ୩୨ ବର୍ଷୀୟ ଅଭିଯୁକ୍ତ କୋର୍ଟରେ ଚାଲେଞ୍ଜ କରିଥିଲେ । ଯାହା ଉପରେ ଶୁଣାଣି କରି ଜଷ୍ଟିସ ହେଞ୍ଜ ତାର ଦଣ୍ଡକୁ ୫୧ ମାସରୁ କମାଇ ୩୬ ମାସ କରିଦେଇଥିଲେ । ଦଣ୍ଡ କମ କରିବା ଉପରେ ଜଷ୍ଟିସ ହେଞ୍ଜ କହିଥିଲେ ଯେ ସ୍ୱିସ କ୍ରମିନାଲ ନିୟମ ଅନୁଯାୟୀ, ପୀଡ଼ିତାଙ୍କ ଅଙ୍ଗରେ ସାମାନ୍ୟ ଆଘାତ ଲାଗିଥିଲା । ଅବଶ୍ୟ କୋର୍ଟ ଏର୍ପ୍ୟନ୍ତ ଶୁଣାଣି ରିପୋର୍ଟ ରିଲିଜ କରିନାହାନ୍ତି । କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ ଶୁଣାଣିକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଶୁଣିବାକୁ ମିଳୁଛି । ଏହି ରିପୋର୍ଟରେ ପୀଡ଼ିତାଙ୍କୁ ଦୋଷ ଦିଆଯାଇଛି । ଯାହାବି ତଥ୍ୟ ସାମ୍ନାକୁ ଆସିଛି, ସେଥିରେ ୧୧ ମିନିଟ କଥା ମଧ୍ୟ ରହିଛି । ଜଜ୍ କହିଥିଲେ ଯେ ଆକ୍ରମଣ କମ ସମୟ ପାଇଁ ହୋଇଥିଲା ଏବଂ ପୀଡ଼ିତା ଶରୀରରେ କୌଣସି ଗଭୀର କ୍ଷତ ମଧ୍ୟ ନାହିଁ । ଏପରିକି ଜଜ୍ କହିଥିଲେ ଯେ ପୀଡ଼ିତା ନିଜେ ନିଆଁ ସହ ଖେଳୁଥିଲେ । ଅର୍ଥାତ୍ ସେ ଅଭିଯୁକ୍ତଙ୍କୁ ଉସୁକାଇଥିଲେ । ନାଇଟ କ୍ଲବରେ ସେ ଦୁଇ ଅଭିଯୁକ୍ତଙ୍କ ସହ ଭେଟିଥିଲେ ବୋଲି ଜଜ୍ କହିଥିଲେ ।

ଉପରୋକ୍ତ ଘଟଣା ଓ ରାୟକୁ ନେଇ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । ଅଗଷ୍ଟ ୮ ରେ ପ୍ରାୟ ୫୦୦ ଲୋକ କୋର୍ଟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

 

 

Get real time updates directly on you device, subscribe now.