fbpx

ବୁହା ହେଲେ ରୋଗୀ, ରାସ୍ତା ପାଇଁ ହୀନସ୍ତାର ବାସ୍ତବ ଚିତ୍ର

କୋରାପୁଟ(ଓଡ଼ିଶା ଭାସ୍କର): ପୁଣି ଭାରରେ ବୁହାହେଲେ ରୋଗୀ । ରୋଗ ଯନ୍ତ୍ରଣାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ । ଡକାଇଲେ ଆମ୍ବୁଲାନ୍ସ, କିନ୍ତୁ ରାସ୍ତା ଅସୁବିଧା ଯୋଗୁଁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ୨ କିଲୋମିଟର ଭାରରେ ବୁହାହେଲେ ରୋଗୀ । ବିଶ୍ୱ ଆଦିବାସୀ ଦିବସ ଅବସରରେ ଆଦିବାସୀଙ୍କ ଏଭଳି ଦୁରାବସ୍ଥା ଓ ହୀନସ୍ତା ହେବାର ଦୃଶ୍ୟ ଦର୍ଶାଉଛି ଯେ କିଭଳି ବିକାଶ ଘଟିଛି ରାଜ୍ୟରେ । ଆଦିବାସୀଙ୍କ ବିକାଶ କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ଡିଣ୍ଡିମ ବାଜୁଛି । କିନ୍ତୁ ଏଭଳି ଦୃଶ୍ୟ ଦେଖିବା ପରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ କେମିତି ଘଟୁଛି ତାହା ବେଶ୍ ଜଣାପଡୁଛି ।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସଦର ମହକୁମାରେ ଥିବା ଗନ୍ଦିଗୁଡ଼ାର ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମର ଜେମା ଖିଲ (୪୭)ଙ୍କ ସ୍ୱାମୀ ଡୋମୁ ଖିଲ ଏବଂ ବୋହୂ ସହ ହସଖୁସିରେ ପରିବାର କଟୁଥିଲା । ତେବେ ବର୍ଷେ ହେଲା ଜେମାଙ୍କ ଦେହ ବହୁତ ଖରାପ ହୋଇଯାଇଛି । ଜେମାଙ୍କ ରକ୍ତହୀନତା ଜନିତ ଭୀଷଣ ସମସ୍ୟା ଦେଖାଦେଇଛି । ରୋଗରେ ସଢୁଥିବା ଜେମାଙ୍କ ହଠାତ୍ ସ୍ୱାସ୍ଥ୍ୟ ବିଗିଡ଼ିଗଲା । ଗାଁର ଯୁବକମାନେ ୧୦୮ ଆମ୍ବୁଲାନ୍ସକୁ କଲ୍ କରିଥିଲେ । ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଗାଁଠାରୁ ୨ କିମି ଦୂରରେ ଅଟକି ରହିଗଲା । ଫଳରେ ବାଧ୍ୟହୋଇ ଗାଁ ଯୁବକ ଏବଂ ଆଶା କର୍ମୀ ଜେମାଙ୍କୁ ଭାରରେ ବୋହି ଆଣିଲେ । ପ୍ରଥମେ ତାଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠା ଯାଇଥିଲା । ତେବେ କେବେ ଗାଁକୁ ହେବ ରାସ୍ତା ଓ ମିଳିବ ସୁବିଧା ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.