fbpx

(Video) ସମୀର ଦାସଙ୍କ ବଡ଼ ପ୍ଲାନ୍‌.. ନିମାପଡାରେ ପ୍ରାର୍ଥୀ ବଦଳାଇବ ବିଜେଡି ! ଜାଣନ୍ତୁ କିଏ ହେବେ ପ୍ରାର୍ଥୀ..

ଭୁବନେଶ୍ୱର: ନିମାପଡ଼ାରେ ସମୀର ଦାସଙ୍କ ବଡ ପ୍ଲାନ୍ ! ପ୍ରଚାର କରିପାରୁନାହାଁନ୍ତି ଦିଲ୍ଲୀପ ନାୟକ ! ପ୍ରାର୍ଥୀ ବଦଳାଇପାରେ ଶାସକ ଦଳ। ନିର୍ବାଚନ ପାଖେଇ ଆସୁଥିବା ବେଳେ ଏକାଧିକ ଆଶାୟୀ ପ୍ରାର୍ଥୀ ଶାସକ ଦଳ ପାଇଁ ସୃଷ୍ଟି କରିଛନ୍ତି ଅଡୁଆ ପରିସ୍ଥିତି । ନିମାପଡା ବିଧାନସଭା ଆସନରେ ଟିକେଟ୍ ପାଇଁ ଦୃଢ ଦାବିଦାର କୁହାଯାଉଥିବା ସମୀର ଦାସଙ୍କୁ ପ୍ରାର୍ଥୀ ନକରି ବିଜେପି ଛାଡି ଆସିଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଯାହା ପରେ ନିମାପଡାରେ ଏକ ପ୍ରକାର ଯୁଦ୍ଧ ଘୋଷଣା କରିଦେଇଛନ୍ତି ନିମାପଡାର ଟାଣୁଆ ସଙ୍ଗଠକ ତଥା ବିଜେଡି ନେତା ସମୀର ଦାସ । ଲଗାତର ତିନି ତିନି ଥର ନିମାପଡାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଏବଂ ଗଣଶିକ୍ଷା ବିଭାଗର ମନ୍ତ୍ରୀ ରହିସାରିଥିବା ସମୀର ଦାସ ଏଥର ମଧ୍ୟ ବିଜେଡି ଟିକେଟ୍‌ରେ ନିମାପଡାରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଏକପ୍ରକାର ନିଶ୍ଚିତ ଥିଲେ । ହେଲେ ଦଳ ଅତର୍କିତ ଭାବେ ତାଙ୍କ ଟିକେଟ୍ କାଟିବା ସହ ଯେଉଁ ଦିଲ୍ଲୀପ ନାୟକଙ୍କୁ ବିଜେପିରୁ ଆଣି ମାତ୍ର ୨୫ ଦିନ ତଳେ ନିଜେ ସମୀର ଦାସ ବିଜେଡିରେ ମିଶାଇଥିଲେ ସେହି ଦିଲ୍ଲୀପଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା ।

ଯାହା ସମୀର ଦାସ ଓ ତାଙ୍କ ସମର୍ଥକମାନଙ୍କୁ ଏକ ବଡ ଝଟ୍‌କା ଦେଇଥିଲା । ତେଣୁ ପ୍ରାର୍ଥୀ ପରିବର୍ତ୍ତନ ଦାବି କରି ଗତ ୨୦ ତାରିଖ ଶନିବାର ନିମାପଡାରେ ବିଶାଳ ସମାବେଶ କରି ବଳ ଦେଖାଇଥିଲେ ସମୀର । ଯେଉଁଥିରେ ପ୍ରାୟ ୩୦ ହଜାର ଲୋକ ସାମିଲ ହୋଇ ସମୀରଙ୍କ ପ୍ରତି ସମର୍ଥନ ଜଣାଇଥିଲେ । ଖାଲି ସେତିକି ନୁହେଁ, ଏବେ ନିଜ ଦଳରୁ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକଙ୍କୁ ବିରୋଧ କରି ମୋର୍ଚ୍ଚା ଖୋଲିଦେଇଛନ୍ତି ସମୀର । ନିମାପଡାର ଅନ୍ୟତମ ବରିଷ୍ଠ ବିଜେଡି ନେତା ସତ୍ୟବ୍ରତ ପାତ୍ରଙ୍କ ସହ ମିଶି ନିଜ ନିର୍ବାଚନମଣ୍ଡଳୀରେ ବୈଠକ ପରେ ବୈଠକ କରୁଛନ୍ତି ସମୀର ଦାସ । ଦୁଇଦିନ ତଳେ ହୋଇଥିବା ଏକ ବୈଠକରେ ସମୀର ଦାସ ଏବଂ ସତ୍ୟବ୍ରତ ପାତ୍ର ଏକାଠି ହୋଇ ଥିଲେ । ଯେଉଁ ବୈଠକରେ ନିମାପଡା ନିର୍ବାଚନମଣ୍ଡଳୀର ୪୬ ଜଣ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରୁ ୪୪ ଜଣ ପ୍ରତିନିଧି ଉପସ୍ଥିତ ଥିଲେ । ଆଉ ଦଳ ଯାହାଙ୍କୁ ପ୍ରାର୍ଥୀ କରିଛି, ତାଙ୍କୁ ସମର୍ଥନ କରାଯିବ ନାହିଁ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା ବୋଲି ଜଣାପଡିଛି । ଏପରିକି ବିଜେଡି ଯଦି ସମୀର ଦାସଙ୍କୁ ପ୍ରାର୍ଥୀ ନକରିବାକୁ ଚାହୁଁଛି, ତେବେ ସତ୍ୟବ୍ରତଙ୍କୁ ପ୍ରାର୍ଥୀ କଲେ ସମସ୍ୟା ନାହିଁ ବୋଲି କୁହାଯାଇଛି ।

ଏପରିକି ଯଦି ଦିଲ୍ଲୀପ ନାୟକଙ୍କ ପ୍ରାର୍ଥୀତ୍ୱ ପରିବର୍ତ୍ତନ କରାନଯାଏ ତେବେ ଖାଲି ନିମାପଡା ନୁହେଁ, ବରଂ ଜଗତ୍‌ସିଂହପୁର ଲୋକସଭା ଆସନ ମଧ୍ୟ ବିଜେଡି ହାତରୁ ଖସିଯିବ ବୋଲି ଚେତାବନୀ ଦେଇଛନ୍ତି କର୍ମୀ । ଆଉ ଏଭଳି କରି ସମୀର ଦାସ ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ଏକପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି । ଏପଟେ ସତ୍ୟବ୍ରତଙ୍କୁ ସାଥୀ କରି ସମୀର ଏକପ୍ରକାର ବିଦ୍ରୋହ ଆରମ୍ଭ କରିଦେଇଥିବା ବେଳେ ସେପଟେ ଟିକେଟ୍ ପାଇଥିବା ଦିଲ୍ଲୀପ ନାୟକ ନିମାପଡାରେ ପ୍ରଚାର କରିପାରୁନାହାଁନ୍ତି । କାରଣ ତାଙ୍କ ସହ ବିଜେଡି କର୍ମୀମାନେ କୁଆଡେ ପ୍ରଚାର ପାଇଁ ବାହାରୁନାହାଁନ୍ତି । ସତ୍ୟବ୍ରତ ପାତ୍ରଙ୍କ ସହ ସମୀର ଦାସ ହାତ ମିଳାଇଥିବା ବେଳେ କର୍ମୀମାନେ ସତ୍ୟବ୍ରତଙ୍କୁ ପ୍ରାର୍ଥୀ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ହେଲେ ଦିଲ୍ଲୀପ ନାୟକଙ୍କୁ କୌଣସି ପ୍ରକାରେ ଗ୍ରହଣ କରାଯିବନାହିଁ ବୋଲି ନିମାପଡାର ବିଜେଡି କର୍ମୀମାନେ କହିଲେଣି । ଯାହା ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ଚିନ୍ତାରେ ପକାଇଛି ।

ଏପଟେ ସମୀର ଦାସ ନିମାପଡାର ଅନ୍ୟ ବିଜେଡି ନେତାଙ୍କ ସହ ମେଳି କରି ପ୍ରାର୍ଥୀ ପରିବର୍ତ୍ତନ କରାଯାଉ ବୋଲି ଜିଦ୍‌ରେ ଅଡି ବସିଛନ୍ତି । ଆଉ ସେପଟେ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକ ବି ପ୍ରଚାର ମୈଦାନକୁ ଓହ୍ଲାଇପାରୁନାହାଁନ୍ତି । ତେଣୁ ଏବେ ବିଜେଡିର ଶୀର୍ଷ ନେତୃତ୍ୱ ନିମାପଡାରେ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିବା କୁହାଯାଉଛି । ହେଲେ ଏଥିରେ ମଧ୍ୟ ସମସ୍ୟା ରହିଛି । କାରଣ କାହାକୁ ପ୍ରାର୍ଥୀ କରାଯିବ ତାହା ମଧ୍ୟ ଶୀର୍ଷ ନେତୃତ୍ୱଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିବା କୁହାଯାଉଛି । ତେଣୁ ଶୁଣିବାକୁ ମିଳିଛି କି ତିନିଦିନ ମଧ୍ୟରେ ସମସ୍ତଙ୍କୁ ଏକାଠି କରି ପ୍ରଚାର ମୈଦାନକୁ ବାହାରିବା ପାଇଁ କୁଆଡେ ଦିଲ୍ଲୀପ ନାୟକଙ୍କୁ କୁହାଯାଇଛି । ଆଉ ଯଦି ଏହା ନହୁଏ ତେବେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିବା ଦିଗରେ ଚିନ୍ତା କରିବ ବୋଲି ଚେତାବନୀ ଦେଇଥିବା ଶୁଣିବାକୁ ମିଳୁଛି । ତେଣୁ ଦିଲ୍ଲୀପ ଏବେ କଣ କରିବେ ଚିନ୍ତାରେ ପଡିଥିବା ବେଳେ ନିମାପଡାରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଏକପ୍ରକାର ବାଧ୍ୟ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।

Get real time updates directly on you device, subscribe now.