fbpx

୨୦୨୪ ଲଢ଼େଇରେ ଖଣ୍ଡପଡ଼ା ବିଧାନସଭା ଆସନ କାହା ହାତକୁ ଯିବ: ବିଜେଡିର ପ୍ରାର୍ଥୀ ଘୋଷଣାକୁ ସଭିଙ୍କ ଅପେକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଇଛି । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ ଗ୍ରହଣ କରାଯିବ । ତେବେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଆଗକୁ ପୁଣି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ବିଭିନ୍ନ ଦଳ ପକ୍ଷରୁ ଲୋକସଭା ଓ ବିଧାନସଭା ଆସନ ପାଇଁ ଟିକେଟ ପାଇବା ପରେ ପ୍ରାର୍ଥୀମାନେ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛନ୍ତି ।

ତେବେ ଏଥର ରାଜ୍ୟର ଅନ୍ୟତମ ବିଧାନସଭା ନିର୍ବାଚନ ମଣ୍ଡଳୀ ଖଣ୍ଡପଡ଼ା ଆସନରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିବ । ଏହି ଆସନ ପାଇଁ ବିଜେପି ଦୁଷ୍ମନ୍ତ ସ୍ୱାଇଁଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ କଂଗ୍ରେସ ମନୋଜ କୁମାର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ସବୁଠାରୁ ବଡ଼ କଥା ହେଉଛି ଏହି ଆସନ ପାଇଁ ଶାସକ ବିଜେଡି ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଘୋଷଣା କରିନାହିଁ । ତେଣୁ ଏହି ଆସନରେ ଦଳ ଏଥର କାହାକୁ ପ୍ରାର୍ଥୀ କରିବ ତାହା ଏବେ ବଡ଼ ପ୍ରଶ୍ନ । ରାଜ୍ୟର ୧୪୭ ବିଧାନସଭା ଆସନରେ ପ୍ରତ୍ୟେକ ରାଜନୈତିକ ଦଳରେ ଅଳ୍ପ ବହୁତ ବିଦ୍ରୋହ ରହିଥିବା କାରଣରୁ ଦଳମାନଙ୍କୁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା କଷ୍ଟକର ହୋଇ ପଡ଼ୁଛି ।

ପ୍ରାର୍ଥୀ ଘୋଷଣା ରେସରେ ବିଜେପି ଓ କଂଗ୍ରେସ ଆଗରେ ରହିଥିବା ବେଳେ ବିଜେଡି ଏ କ୍ଷେତ୍ରରେ ପଛରେ ପଡ଼ିଛି । ଦେଖି ଚାହିଁ ବିଜେଡି ଏଥର ଗୋଟି ଚାଳନା କରୁଛି । ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ୧ ଲକ୍ଷରୁ ଅଧିକ ବୃହତ୍ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ସ୍ୱାଧୀନ ପ୍ରାର୍ଥୀ ଦୁଷ୍ମନ୍ତ ୧୮ ହଜାରରୁ ଅଧିକ ଓ ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହ ୧୪ ହଜାରରୁ ଅଧିକ ଭୋଟ ପାଇଥିଲେ । ସେହିପରି ୨୦୨୪ରେ ବିଜେଡି ପ୍ରାର୍ଥୀ ଅନୁଭବ ପଟ୍ଟନାୟକ ଓ ଆମ ଓଡ଼ିଶା ପାର୍ଟି ସୌମ୍ୟଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ ଶେଷରେ ୧ ହଜାରରୁ କମ୍ ଭୋଟରେ ଅନୁଭବ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ଶିବପ୍ରସାଦ ଭଞ୍ଜ ୪ ହଜାରରୁ କମ୍ ଭୋଟ ପାଇଥିଲେ ।

ଗତ ଦୁଇଟି ନିର୍ବାଚନରେ ଖଣ୍ଡପଡ଼ାର ଜନାଦେଶ ବିଜେଡି ସପକ୍ଷରେ ଯାଇଛି । ତେଣୁ ଶାସକ ଦଳକୁ ଏଥର ଉଭୟ କଂଗ୍ରେସ ଓ ବିଜେପି କଡ଼ା ଟକ୍କର ଦେବା ଲକ୍ଷ୍ୟରେ ରହିଛନ୍ତି । ବିଜେଡି ଟିକେଟ ରେସରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ଗୟାଧର ପରିଡ଼ା, ଭାପୁର ବ୍ଲକ ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ବରିଷ୍ଠ ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥୀଙ୍କ ପରି ପ୍ରମୁଖ ନେତାଙ୍କ ନାମ ରହିଥିବା ଚର୍ଚ୍ଚା ହେଉଛି । ଏଥର ଖଣ୍ଡପଡ଼ା ଆସନ ପାଇଁ କିଏ ଟିକେଟ ପାଇବ ତାହା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ଥିର କରିବେ । ତେଣୁ ଏବେ ନବୀନଙ୍କ ନିଷ୍ପତ୍ତି ଉପରେ ସଭିଙ୍କ ନଜର ।

Get real time updates directly on you device, subscribe now.