fbpx

ସେଣ୍ଟ୍ରାଲ ଭିଷ୍ଟାକୁ ନେଇ ବିରୋଧୀଙ୍କୁ ମୋଦୀଙ୍କ ଜବାବ- ଯେଉଁ କାମ ସ୍ୱାଧୀନତା ପରେ ହେବାର ଥିଲା, ତାହା ଆଜି ଆମେ କରୁଛୁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଆଧାରରେ ନିର୍ମିତ ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ ପରିସରର ଉଦଘାଟନ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟର ସମାଲୋଚକଙ୍କୁ ଉଚିତ୍ ଜବାବ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି, ସେଣ୍ଟ୍ରାଲ ଭିଷ୍ଟା ଉପରେ କିଛି ଲୋକ ଜନମାନସକୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ଆଜି ପୂରା ଦେଶ ଦେଖୁଛି ଯେ, ସେଣ୍ଟ୍ରାଲ ଭିଷ୍ଟା ପଛରେ ଆମେ କଣ କରୁଛୁ । ସମୟ ପୂର୍ବରୁ ପ୍ରତିରକ୍ଷା କାର୍ଯ୍ୟାଳୟର କାମ ପୂରା ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ କାମ କରିବାର ନୂତନ ଶୈଳୀ ଆପଣେଇଛୁ । ମୋତେ ୨୦୧୪ରେ ଦେଶବାସୀ ସେବା କରିବାର ସୁଯୋଗ ଦେଇଥିଲେ । ମୁଁ ସରକାରକୁ ଆସିବା ମାତ୍ରେ ସଂସଦ ଭବନ ନିର୍ମାଣର କାମ ଆରମ୍ଭ କରି ପାରିଥାନ୍ତି । ହେଲେ ଆମେ ଏହି ରାସ୍ତା ଆପଣେଇନଥିଲୁ । ସର୍ବ ପ୍ରଥମେ ଆମେ ଦେଶ ପାଇଁ ବଳିଦାନ ଦେଉଥିବା ଯବାନଙ୍କ ସ୍ମାରକ ନିର୍ମାଣ କରିବାକୁ ସ୍ଥିର କରିଥିଲୁ । ସ୍ୱାଧୀନତା ପରେ ଯେଉଁ କାମ ପ୍ରଥମେ ହେବାର ଥିଲା, ତାହା ଆଜି ଆମେ କରୁଛୁ । ଦେଶର କାର୍ଯ୍ୟାଳୟଗୁଡିକୁ ଠିକ୍ କରିବାର ଭାର ଆମେ ଉଠାଇଛୁ । ସର୍ବପ୍ରଥମେ ଆମେ ଦେଶର ସହିଦଙ୍କୁ ସମ୍ମାନ ଦେବାର କାମ କରିଛୁ ବୋଲି ମୋଦୀ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ ଆମର ସେନାଙ୍କ କାମକୁ ଅଧିକ ସରଳ ଏବଂ ସୁବିଧାଜନକ କରିବ । ଅଧିକ ପ୍ରଭାବୀ ହେବା ସହ ଉଦ୍ୟମକୁ ଆହୁରି ସଶକ୍ତ କରିବ । ଏକବିଂଶ ଶତାବ୍ଦୀର ଭାରତର ସୈନ୍ୟ ଶକ୍ତି ସବୁ ଦିଗରେ ଶକ୍ତିଶାଳୀ କରିବାକୁ ଆମେ ପ୍ରୟାସ ଜାରି ରଖିଛୁ । ସେନାକୁ ଏକରୁ ଅଧିକ ଅତ୍ୟାଧୁନିକ ଅସ୍ତ ଶସ୍ତ୍ର ଯୋଗାଇ ଦେଉଛୁ । ତେଣୁ ଦେଶର ସୁରକ୍ଷା ସହ ଜଡିତ କାମ ଦଶନ୍ଧି ପୁରାତନ ପରିସରରେ କେମିତି ସମ୍ଭବ ହୋଇଥାନ୍ତା ବୋଲି ମୋଦୀ କହିଛନ୍ତି ।

Get real time updates directly on you device, subscribe now.