fbpx

CAPF କନଷ୍ଟେବଳ ନିଯୁକ୍ତି ପାଇଁ ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ ଲିଖିତ ପରୀକ୍ଷା

ଭୁବନେଶ୍ୱର: କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ ବାହିନୀ ବା ଉଇଚୠରେ ନିଯୁକ୍ତି ପାଇଁ ଆସନ୍ତା ୨୦୨୪ ଜାନୁଆରୀ ୧ରୁ ହେବାକୁ ଥିବା କନଷ୍ଟେବଳ ଲିଖିତ ପରୀକ୍ଷା ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷା ଏବଂ ହିନ୍ଦୀ ଓ ଇଂରାଜୀ ଭାଷାରେ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତ ପ୍ରସ୍ତାବକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମଞ୍ଜୁରି ମିଳିଛି। କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ଉଇଚୠରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବିଭିନ୍ନ ଆଞ୍ଚଳିକ ଭାଷାରେ ଲିଖିତ ପରୀକ୍ଷା ହେବାଦ୍ୱାରା ଦେଶର ପ୍ରତ୍ୟେକ ରାଜ୍ୟରୁ ବିଭିନ୍ନ ଭାଷାଭାଷୀର ଲକ୍ଷ ଲକ୍ଷ ଯୁବକଯୁବତୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ ବଳରେ କନଷ୍ଟେବଳ ଚାକିରି ପାଇଁ ଆଗ୍ରହ ପ୍ରକାଶ କରିବେ ଏବଂ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ଆଞ୍ଚଳିକ ଭାଷା ସେମାନଙ୍କୁ ଅଧିକ ସହାୟକ ହେବ। ହିନ୍ଦୀ ଓ ଇଂରାଜୀ ସମେତ ଦେଶର ବିଭିନ୍ନ ଆଞ୍ଚଳିକ ଭାଷା ଅହମୀୟା, ବଙ୍ଗଳା, ଗୁଜୁରାଟୀ, ମରାଠି, ମାଲାୟଲମ, କନ୍ନଡ଼, ତାମିଲ, ତେଲୁଗୁ, ଓଡ଼ିଆ, ଊର୍ଦ୍ଧୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣୀରେ କନଷ୍ଟେବଳ ପରୀକ୍ଷା କରିବା ପାଇଁ ଗୃହ ମନ୍ତ୍ରଣାଳୟ ଏବଂ ଷ୍ଟାଫ ସିଲେକସନ୍‍ କମିଶନ ମଧ୍ୟରେ ଖୁବ୍‍ଶୀଘ୍ର ଏକ ବୁଝାମଣାପତ୍ର ସ୍ୱାକ୍ଷର ହେବାକୁ ଯାଉଛି।

ମାତୃଭାଷାରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବା ସହ ଦେଶସେବାରେ ସାମିଲ ହେବାକୁ ଏହା ଏକ ସୁବର୍ଣ୍ଣସୁଯୋଗ ବୋଲି ଯୁବଗୋଷ୍ଠୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ପରାମର୍ଶ ଦେଇଛି। ଏହି ବ୍ୟବସ୍ଥା ଫଳରେ ଦେଶର ବିଭିନ୍ନ ଭାଷାଭାଷୀର ସଂଖ୍ୟାଧିକ ଯୁବଗୋଷ୍ଠୀ ଲାଭାନ୍ୱିତ ହୋଇପାରିବେ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‍ ଯୋଗେ କହିଛନ୍ତି।

Get real time updates directly on you device, subscribe now.