‘କାନାଡାରେ ଅଛନ୍ତି ଖାଲିସ୍ତାନୀ ସମର୍ଥକ’…ଜଷ୍ଟିନ୍ ଟ୍ରୁଡୋ ନିଜେ କଲେ ଖୁଲାସା

ନୂଆଦିଲ୍ଲୀ: ଖାଲିସ୍ତାନୀଙ୍କ ପ୍ରତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ(Justin Trudeau)ଙ୍କ ଭଲପାଇବା ବିଷୟରେ ପ୍ରାୟ ସମସ୍ତେ ଅବଗତ ଏବଂ ସମୟ ସମୟରେ ସେ ଏହାର ପ୍ରମାଣ ମଧ୍ୟ ଦେଇ ଆସୁଛନ୍ତି । ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ନେଇ କ୍ରମାଗତ ଟ୍ରୁଡୋ ଏବଂ ତାଙ୍କ ସରକାର ଉପରେ ପ୍ରଶ୍ନ ଉଠୁଛି । ସେମାନେ ସବୁବେଳେ ଏଭଳି ବିଚ୍ଛିନ୍ନତାବାଦୀଙ୍କୁ ଆତଙ୍କବାଦୀ ଭାବିବା ନେଇ ମନା କରିଆସିଛନ୍ତି । ଭାରତ ଏଭଳି ଲୋକଙ୍କ ହତ୍ୟା ଷଡ଼ଯନ୍ତ୍ର କରିଥାଏ ବୋଲି ଅଭିଯୋଗ କରିଥାନ୍ତି । କିନ୍ତୁ ଏବେ କାନାଡାରେ ଖାଲିସ୍ତାନୀ ସମର୍ଥକ ଥିବା ନେଇ ସେ ସ୍ୱୀକାର କରିଛନ୍ତି । ତାଙ୍କର ଏଭଳି ବୟାନ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଗତ ସପ୍ତାହ ଓଟାୱାର ପାର୍ଲାମେଣ୍ଟ ହିଲରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ କାନାଡା ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିଥିଲେ । ଏଠାରେ ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ । ଏହା ସହ କାନାଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥକଙ୍କ ବିଷୟରେ ମଧ୍ୟ ଟିପ୍ପଣୀ ଦେଇଥିଲେ । ସେ କହିଥିଲେ, ‘କାନାଡାରେ ଖାଲିସ୍ତାନୀ ସମର୍ଥକ ଅଛନ୍ତି କିନ୍ତୁ ସେମାନେ ଶିଖ୍ ସମୁଦାୟର ସମର୍ଥନ କରନ୍ତି ନାହିଁ । ସେହିଭଳି କାନାଡାରେ ମୋଦୀ ସରକାରଙ୍କ ସମର୍ଥକ ଥିଲେ ମଧ୍ୟ ସେମାନେ ହିନ୍ଦୁ କାନାଡୀୟ ଲୋକଙ୍କ ପ୍ରତିନିଧିତ୍ୱ କରନ୍ତି ନାହିଁ ।’ ତାଙ୍କର ଏଭଳି ବୟାନକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଛି । ୨୦୨୩ରେ ବ୍ରିଟିଶ କଲମ୍ବିଆରେ ନିଜ୍ଜରଙ୍କ ହତ୍ୟାକାଣ୍ଡ ପରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କରେ ଫାଟ୍ ଦେଖାଦେଇଛି ।