ସାମର୍ଥ୍ୟର ଅଭାବ ନାହିଁ , ଆମକୁ ପ୍ରଚେଷ୍ଟା କରିବାକୁ ହେବ, ମହିଳାମାନଙ୍କୁ ସଶକ୍ତ ହେବାକୁ ଆହ୍ୱନ ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ଦେବା ସମୟରେ ନିଜର ପୁରୁଣା ସ୍ମୃତିକୁ ମନେ ପକାଇ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଭାବବିହ୍ୱଳ ହୋଇ ପଡିଛନ୍ତି । ଗରିବ ଚାଷୀ ଝିଅ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଝିଅ ସବୁ ଏକାଠି ପଢୁଥିଲୁ । ଏ ଅନୁଷ୍ଠାନର ଛାତ୍ରୀ ଭାବେ ମୁଁ ଗର୍ବତି । ମୋ ଜୀବନର ଗତିପଥରେ ଏ ଶିକ୍ଷାନୁଷ୍ଠାନ ମୋ ପାଇଁ ପ୍ରେରଣାର ଉତ୍ସ ।

୪୦ ବର୍ଷ ପୂର୍ବର ସ୍ମୃତିକୁ ମନେ ପକାଇଲେ ରାଷ୍ଟ୍ରପତି କହିଲେ ସେତେବେଳେ ଆର୍ଥିକ ସ୍ଥିତି ଭଲ ନଥିବାରୁ ମୁଁ କ୍ୟାଟିନରେ ଖାଇପାରୁନଥିଲି । ବାହାରେ ଠେଲାରେ ଖାଇ ଚାଲିଯାଉଥିଲି । କେବେ କେମିତି ୨୫ ପଇସାରେ ବାଦାମ ମିଳିଲେ ବଡ କଥା ବୋଲି ଅତ୍ୟନ୍ତ ଭାବବିହ୍ୱଳ ହୋଇ କହିଥିଲେ ।

ମହିଳାମାନଙ୍କୁ ସଶକ୍ତ ହେବାକୁ ଆହ୍ୱନ ଦେଲେ ରାଷ୍ଟ୍ରପତି । ଭାରତକୁ ବିଶ୍ୱଗୁରୁ କରିବାରେ ମହିଳାମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ । ସାମର୍ଥ୍ୟର ଅଭାବ ନାହିଁ , ଆମକୁ ପ୍ରଚେଷ୍ଟା କରିବାକୁ ହେବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଅନେକ ଯୋଜନ କାର୍ଯ୍ୟକାରୀ ହେଉଛି । ଶକ୍ତି ସାମର୍ଥ୍ୟର କସ୍ତୁରୀ ତୁମ ଭିତରେ ଅଛି , ତାହାକୁ ଚିହ୍ନିବା ଦରକାର । ଜୀବନ ବିଶ୍ୱବିଦ୍ୟାଳୟରେ ଉତ୍ତୀର୍ଣ୍ଣ ହେବା ପାଇଁ ନିଜ ଉପରେ ଆସ୍ଥା ରଖିବା ଜରୁରୀ ।

ସୂଚନାଯୋଗ୍ୟ, ଆଜି ପୂବାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ୱାଗତ କରିଥିଲେ । ଏହି ଅବସରରେ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଏମ୍ସି ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ । ପାରମ୍ପାରିକ ବାଦ୍ୟ ଓ ନୃତ୍ୟରେ ପ୍ରକମ୍ପିତ ହୋଇଥିଲା ବିମାନବନ୍ଦର ।

ଉକ୍ରଳ ମଣ୍ଡପରେ ଅନୁଷ୍ଠିତ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିଲେ । ସମାରୋହ ଶେଷ ହେବା ସେଠାରୁ ରାଜଭବନ ଯାଇଥିଲେ ।