fbpx

ଛଅ ଜଣିଆ ଚୋର ଦଳ ଗିରଫ

କୋରାପୁଟ, ୧୨। ୫ (ଓଡିଶା ଭାସ୍କର ): ଛଅ ଜଣିଆ ଚୋର ଦଳକୁ ଆଜି ଗିରଫ କରିଛି କୋରାପୁଟ ପୋଲିସ । ଏହି ଦଳ ୧୨ରୁ ଅଧିକ ମାମଲାରେ ସଂପୃକ୍ତ ଥିବା କୋରାପୁଟ ଟାଉନ ଥାନା ଅଧିକାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ଯୁବକମାନେ ହେଲେ କୋରାପୁଟ ଟିକିରା ସାହିର ଲାଲମୋହନ ସାହୁ ଓରଫ ଲୁଲୁ, ଅଜିତ କୁମାର ରାଉଳ, କାର୍ତ୍ତିକ ଖିଲ, କାଳୁ ଚରଣ ରାଉତ, ରାଜା କୂଳଦୀପ ଓ ଜଣେ ନା ବାଳକ ମଧ୍ୟ ସେଥିରେ ସାମିଲ ରହିଛି । ସେମାନଙ୍କ ଠାରୁ ପୋଲିସ ଏକ ଅଟୋମେଟିକ ପିସ୍ତଲ, ୭୭ ହଜାର ଟଙ୍କା, ୭ ଭରି ସୁନା, ୨୧ ଟି ମୋବାଇଲ, ସହ ଚୋରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି । ଦିନବେଳା ଏହି ଗ୍ୟାଙ୍ଗ ସାହିସାହି ବୁଲି ବିଭିନ୍ନ ଘର ଉପରେ ନଜର ରଖୁଥିବା ବେଳେ, ରାତିରେ ଚୋରି କରନ୍ତି । ଏହି ଚୋରଦଳର ସରଦାର ଲାଲମୋହନ ସାହୁ ଓ ଅଜିତ ରାଉତ ବୋଲି ଥାନା ଅଧିକାରୀ କହିଛନ୍ତି ।
ଉଲ୍ଲେଖ ଯୋଗ୍ୟ ଯେ ଏପ୍ରିଲ ୧୯ ତାରିଖ ରାତିରେ କୋରାପୁଟ ତ୍ରିନାଥ ମନ୍ଦିର ସାହିର ଲକ୍ଷ୍ମୀପତି ଏରମାଙ୍କ ଘରୁ ୪୦ ହଜାର ଟଙ୍କା ଚୋରିହୋଇଥିଲା । ଏନେଇ ଲକ୍ଷ୍ମୀପତି ଏରମା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଚୋରି କରୁଥିବା ବେଳେ ଚୋରର ଭିଡିଓ ଘର ମାଲିକଙ୍କ ସିସି ଟିଭି କ୍ୟାମେରାରେ କଏଦ ହୋଇ ଯାଇଥିଲା । ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତଦନ୍ତ ଆରମ୍ଭ କରିବା ପରେ ଚୋରା ମାନଙ୍କୁ ଧରିଥିଲା ପୋଲିସ । ଏହାସହ ଆଖପାଖ ଅଞ୍ଚଳରେ ହେଉଥିବା ଚୋରି ରହସ୍ୟ ଉପରୁ ମଧ୍ୟ ପରଦା ହଟିଥିଲା । ଛଅ ଜଣ ଚୋରଙ୍କ ମଧ୍ୟରୁ ଦୁଇ ଜଣ ସାହିରେ ବୁଲି କାହା ଘରେ ତାଲା ପଡୁଛି ଖବର ରଖନ୍ତି, ଆଉ ରାତିରେ ଅନ୍ୟ ଚାରି ଜଣ ଚୋରି କରୁଥିବା ଜଣାପଡିଛି । ମୋବାଇଲ ଫୋନ ଯୋଗେ ପୋଲିସର ଗତିବିଧି ସମ୍ପର୍କରେ ସୂଚନା ଦିଆ ନିଆ ହେଉଥିଲେ । ଗତ ୬ ମାସରେ ୧୨ ଟି ଜାଗାରେ ଏହି ଚୋରଦଳ ଚୋରି କରିଥିବା ପୋଲିସ ଜାଣିବାକୁ ପାଇଛି । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ପୀତବାସ ଧାରୁଆ, ଅକ୍ଷୟ ମିଶ୍ରଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.