ଏସିଆ କପ୍ ପୂର୍ବରୁ ଆସିଲା ବଡ଼ ଖବର, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ବୋଲର୍

ଏସିଆ କପ୍ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ସନ୍ନ୍ୟାସ ଘୋଷଣା କଲେ ଏହି ଖେଳାଳି।

ନୂଆଦିଲ୍ଲୀ: ଏସିଆ କପ୍ ଆରମ୍ଭ ହେବା ପୂର୍ବରୁ କହିବାକୁ ଗଲେ ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। କାରଣ ଏସିଆ କପ୍ ର ପ୍ରଥମ ମ୍ୟାଚ୍ ସେପ୍ଟେମ୍ୱର ୯ ତାରିଖ ଅର୍ଥାତ୍ ଆଜି ଆରମ୍ଭ ହେବାକୁ ଯାଉଛି।

ଆଉ ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପାକିସ୍ତାନ କ୍ରିକେଟ୍ କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।  ପାକିସ୍ତାନର ଜଣେ ଆଗ ଧାଡ଼ିର ଖେଳାଳି ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ନେବା କଥା ଘୋଷଣା କରିଛନ୍ତି। ଯାହା ପାକିସ୍ତାନ ଦଳ ପାଇଁ ଏକ ଶକ୍ତ ଝଟକା।

ପାକିସ୍ତାନ ଦଳକୁ ଶକ୍ତ ଝଟକା: ଏସିଆ କପ୍ ୨୦୨୫ ପୂର୍ବରୁ ପାକିସ୍ତାନ କ୍ରିକେଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।  ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ଉସମାନ ଖାନ ଶିନଓ୍ୱାରୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।

୩୧ ବର୍ଷର ଶିନଓ୍ୱାରୀ ୨୦୧୩ ଡିସେମ୍ୱରରୁ ୨୦୧୯ ଡିସେମ୍ୱର ପର୍ଯ୍ୟନ୍ତ ପାକିସ୍ତାନ ପାଇଁ କ୍ରିକେଟ୍ ଖେଳିଥିଲେ।  ଏହି ସମୟ ମଧ୍ୟରେ ସେ ଗୋଟିଏ ଟେଷ୍ଟ, ୧୭ଟି ଓ୍ୱେନଡେ, ଏବଂ ୧୬ଟି ଟି-୨୦ ମ୍ୟାଚ୍ ଖେଳିଥିଲେ।

୨୦୧୩ ଡିସେମ୍ୱରରେ ସେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କର ଟି-୨୦ ମ୍ୟାଚ୍ ପାଇଁ ଡେବ୍ୟୁ କରିଥିଲେ। ୨୦୧୭ ଅକ୍ଟୋବରରେ ସେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କର ପ୍ରଥମ ODI ମ୍ୟାଚ୍ ଖେଳିଥିଲେ।

ଯଦି ଦେଖିବା ଶିନଓ୍ୱାରୀ ଏସିଆ କପ୍ ୨୦୧୮ରେ ପାକିସ୍ତାନ ଦଳର ଅଂଶ ଥିଲେ। ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଏକମାତ୍ର ଟେଷ୍ଟ ମ୍ୟାଚରେ ମାତ୍ର ଗୋଟିଏ ଓ୍ୱିକେଟ୍ ନେଇଥିଲେ। ଯେତେବେଳେ କି ସେ ଦିନିକିଆରେ ୩୪ଟି ଓ୍ୱିକେଟ୍  ଏବଂ ଟି-୨୦ରେ ୧୩ଟି ଓ୍ୱିକେଟ୍ ନେଇଥିଲେ।

ସେ ଦୀର୍ଘ ସମୟ ଧରି ପାକିସ୍ତାନୀ ଦଳରୁ ବାହାରେ ଥିଲେ। ସେ ତାଙ୍କର ଶେଷ ମ୍ୟାଚ୍ ୨୦୧୯ ମସିହା ଅକ୍ଟୋବର ମାସ ୯ ତାରିଖରେ ଲାହୋରରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ।

୪ ବର୍ଷ ପୂର୍ବେ ଟେଷ୍ଟରୁ ବିଦାୟ ନେଇଥିଲେ: ଶିନୱାରୀ ତାଙ୍କର T20I ଏବଂ ODI କ୍ରିକେଟକୁ ଲମ୍ବା କରିବା ପାଇଁ ୨୦୨୧ ମସିହାରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କିନ୍ତୁ ସେ ଦଳକୁ ଫେରିପାରିଲେ ନାହିଁ।

ତା’ପରେ ଶିନୱାରୀ X ରେ ଲେଖିଥିଲେ ଯେ ତାଙ୍କ ଦେହରେ ଏବେ କୌଣସି ଆଘାତ ନାହିଁ, ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। କିନ୍ତୁ ଡାକ୍ତର ଏବଂ ଫିଜିଓଙ୍କ ପରାମର୍ଶ ଅନୁସାରେ, ଭବିଷ୍ୟତରେ ପିଠିରେ ଏପରି ଆଘାତରୁ ରକ୍ଷା ପାଇବା ପାଇଁ ଏବଂ ତାଙ୍କ କ୍ରିକେଟ କ୍ୟାରିୟରକୁ ଲମ୍ବା କରିବା ପାଇଁ ତାଙ୍କୁ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ପଡିବ।

ସ୍ମରଣୀୟ ପ୍ରଦର୍ଶନ: ତାଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ପ୍ରଦର୍ଶନ ଶ୍ରୀଲଙ୍କା ବିପକ୍ଷ ODI ମ୍ୟାଚ୍ ରେ ଆସିଥିଲା। ସେ ୨୦୧୭ ମସିହାରେ ସାରଜାହ କ୍ରିକେଟ୍ ଷ୍ଟାଡିୟମରେ ୩୪ ରନ ଦେଇ ୫ଟି ୱିକେଟ୍ ନେଇଥିଲେ।

ଏହା ପରେ ୨୦୧୯ ମସିହାରେ କରାଚୀର ନ୍ୟାସନାଲ୍ ବ୍ୟାଙ୍କ ଷ୍ଟାଡିୟମରେ ୫୧ ରନ ଦେଇ ୫ଟି ୱିକେଟ୍ ନେଇଥିଲେ। ଏହି ଦୁଇଟି ସ୍ପେଲ୍ ତାଙ୍କ କ୍ୟାରିୟରର ମୁଖ୍ୟ ସ୍ଥାନ ଥିଲା।

ଶିନୱାରୀଙ୍କ ଅବସର ଖବର ପାକିସ୍ତାନୀ କ୍ରିକେଟ୍ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ତଥାପି ସେ ଘରୋଇ କ୍ରିକେଟ୍ ଏବଂ ଅନ୍ୟାନ୍ୟ ଲିଗ୍ ଖେଳିବା ପାଇଁ ଇଙ୍ଗିତ ଦେଇଛନ୍ତି।

ଏସିଆ କପ୍ ଉପରେ ନଜର: ପାକିସ୍ତାନ ଦଳ ଫାଇନାଲରେ ଆଫଗାନିସ୍ତାନକୁ ପରାସ୍ତ କରି T20I ଟ୍ରାଇ ସିରିଜ୍ ଜିତିଛି। ଏବେ ଦଳ ଏସିଆ କପରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଫୁଲ୍ ଜୋସରେ ପ୍ରସ୍ତୁତ ହେଉଛି।

ପାକିସ୍ତାନ ଦଳ ୧୨ ସେପ୍ଟେମ୍ବରରେ ଦୁବାଇରେ ଓମାନ ବିପକ୍ଷରେ ଏସିଆ କପରେ ତା’ର ଅଭିଯାନ ଆରମ୍ଭ କରିବ। ଭାରତ ଏବଂ ପାକିସ୍ତାନ ୧୪ ସେପ୍ଟେମ୍ବରରେ ପରସ୍ପରକୁ ଭେଟିବେ।