ସରପଞ୍ଚଙ୍କ ନିଆରା ପଦକ୍ଷେପ, ବିବାହରେ ଡିଜେ ନବଜାଇଲେ ମିଳିବ 21 ହଜାର

ମଦ ଓ ଡିଜେକୁ ମନା କଲେ ମିଳିବ ୨୧000 ଟଙ୍କା । ପଞ୍ଜାବରୁ ସାମ୍ନାକୁ ଆସିଛି ଏହି ଘଟଣା ।

ନୂଆଦିଲ୍ଲୀ: ପଞ୍ଜାବର ବଠିଣ୍ଡା ଜିଲ୍ଲାର ବାଲେ ଗ୍ରାମ ପଞ୍ଚାୟତରେ ଏକ କୌତୁହଳ ନିଷ୍ପତ୍ତି ନିଆଯାଇଛି । ବିବାହ ଉତ୍ସବରେ ଡିଜେ ଏବଂ ମଦ ଉପରେ ପ୍ରତିବନ୍ଧକ ଲଗାଉଥିବା ପରିବାରକୁ ୨୧ ହଜାର ଟଙ୍କା ନଗଦ ଅର୍ଥ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

ନିଶା ସେବନକୁ ରୋକିବା ପାଇଁ ଏହା ଏକ ଜନମଙ୍ଗଳକାରୀ ନିଷ୍ପତ୍ତି ବୋଲି କୁହାଯାଇଛି । ଗ୍ରାମବାସୀଙ୍କୁ ବିବାହ ସମାରୋହରେ ଅତ୍ୟଧିକ ଖର୍ଚ୍ଚ ନକରିବା ଏବଂ ମଦ୍ୟପାନକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ସ୍ଥାନୀୟ ସରପଞ୍ଚ କହିଛନ୍ତି ।

ସାଧାରଣରଣତଃ ବିବାହ ଉତ୍ସବରେ ମଦର ଆସର ଦେଖାଯାଉଥିବା ବେଳେ ଉଚ୍ଚ ଶବ୍ଦରେ ଡିଜେ ମଧ୍ୟ ବଜାଯାଉଛି । ଡିଜେ ଦ୍ବାରା ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଛାତ୍ରଛାତ୍ରୀମାନଙ୍କର ପାଠ ପଢାଠୁ ନେଇ ବୟସ୍କଙ୍କର ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଇଥାଏ । ଏହା ଗ୍ରାମ୍ୟ ପରିବେଶକୁ ଅଧିକ ପ୍ରଭାବିତ କରୁଛି । ତେବେ ବିବାହ ଉତ୍ସବରେ ଏହାଠାରୁ ବାରଣ ରହିବା ପାଇଁ ଏଭଳି ପଦକ୍ଷେପ ନେଇଥିବା କଥା କହିଛନ୍ତି ସରପଞ୍ଚ ।

ଯଦି କୌଣସି ପରିବାର ମଦ ଏବଂ ଡିଜେ ଉପରେ ପ୍ରତିବନ୍ଧକ ଲଗାଇବେ ତେବେ ତାଙ୍କୁ ୨୧୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି । ତେବେ ସରପଞ୍ଚଙ୍କର ଏହି ନିଆରା ପଦକ୍ଷେପକୁ ଚାରିଆଡେ ପ୍ରଶଂସା କରାଯାଉଛି ।