ନୂଆଦିଲ୍ଲୀ: ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହେବା ପରେ ତୃତୀୟ ମ୍ୟାଚରେ କମବ୍ୟାକ କରିଛି ଟିମ ଇଣ୍ଡିଆ । ୪୮ ରନରେ ଏହି ମ୍ୟାଚରେ ବିଜୟ ହାସଲ କରିବା ସହ ସିରିଜ ବିଜୟର ଆଶା ପୁଣି ବଢାଇ ଦେଇଛି । ତୃତୀୟ ମ୍ୟାଚରେ ଅନେକ ଖେଳାଳି ସୁନ୍ଦର ପ୍ରଦର୍ଶନ କରି ବିଜୟ ହାସଲ କରିଛନ୍ତି । କିନ୍ତୁ ଜଣେ ଖେଳାଳି ସମସ୍ତ ମ୍ୟାଚରେ ଫ୍ଲପ ସାବ୍ୟସ୍ତ ହୋଇଛନ୍ତି । ତୃତୀୟ ମ୍ୟାଚରେ ମଧ୍ୟ କୌଣସି ଆଶାନୁରୂପ ପ୍ରଦର୍ଶନ କରି ପାରି ନାହାନ୍ତି ଏହି ଅଲରାଉଣ୍ଡର ।
ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ଏବେ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ପ୍ରତ୍ୟେକ ମ୍ୟାଚରେ ସୁଯୋଗ ପାଇ ମଧ୍ୟ ଲଗାତାର ଫେଲ ହୋଇଛନ୍ତି ପଟେଲ । ଆଇପିଏଲରେ ଋଷଭ ପନ୍ତଙ୍କ ନେତୃତ୍ୱରେ ଅକ୍ଷର ପଟେଲ ସୁନ୍ଦର ବୋଲିଂ କରି ଦଳକୁ ଅନେକ ଥର ବିଜୟ ଭେଟି ଦେଇଛନ୍ତି । କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସମ୍ପୂର୍ଣ୍ଣ ନିରାଶ କରିଛନ୍ତି ଏହି ଷ୍ଟାର ଅଲରାଉଣ୍ଡର । ପ୍ରଥମ ଟି-୨୦ରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ଅକ୍ଷର ପଟେଲ ଦ୍ୱିତୀୟ ମ୍ୟାଚରେ ବି ନିରାଶ କରିଥିଲେ । ବ୍ୟାଟିଂରେ ମାତ୍ର ୧୦ ରନ କରିଥିବା ବେଳେ ଗୋଟିଏ ଓଭରରେ ୧୯ ରନ ଖର୍ଚ୍ଚ କରି ଦେଇଥିଲେ ଅକ୍ଷର ପଟେଲ । ତୃତୀୟ ମ୍ୟାଚରେ ମଧ୍ୟ ସେ ୪ ଓଭରରେ ୨୮ ରନ ବ୍ୟୟ କରିଛନ୍ତି । ଫଳରେ ଏବେ ଦଳରେ ତାଙ୍କ ସ୍ଥାନ ନେଇ ପ୍ରଶ୍ନ ଉଠିଛି ।
ତେବେ ତାଙ୍କର ଖରାପ ପ୍ରଦର୍ଶନ ଯୋଗୁଁ ଦଳରୁ ବାଦ ଦେବା ପାଇଁ ଆଲୋଚନା ହେଉଛି । ତାଙ୍କ ସ୍ଥାନରେ ଦୀପକ ହୁଡ୍ଡା କିମ୍ବା ରବି ବିଷ୍ଣୋଇଙ୍କୁ ସୁଯୋଗ ଦେବା ପାଇଁ ଦାବି କରିଛନ୍ତି କ୍ରିକେଟପ୍ରେମୀ । ତେବେ ଅକ୍ଷର ପଟେଲଙ୍କ ବିକଳ୍ପ ଭାବରେ ଦୀପକ ହୁଡ୍ଡା ସବୁଠୁ ଆଗରେ ରହିଛନ୍ତି । ଦମଦାର ବ୍ୟାଟିଂ ସହିତ ସେ ବୋଲିଂ ମଧ୍ୟ କରିବାର ଦକ୍ଷତା ହାସଲ କରିଛନ୍ତି । ତେବେ ପରବର୍ତ୍ତୀ ମ୍ୟାଚରେ କ’ଣ ରହିବ ପ୍ଲେଇଙ୍ଗ ତାହା ଦେଖିବାକୁ ବାକି ରହିଲା ।