fbpx
BJD SKY
BJD SKY

ଭୁବନେଶ୍ୱର, କଟକ, ପୁରୀ ବାସିନ୍ଦା ସାବଧାନ: ୩ଟି କେନାଲ ଜଳ ଗାଧୋଇବା ଯୋଗ୍ୟ ନୁହେଁ, ପିଇବା କଥା ଛାଡ଼

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୩୦ଟି ଜିଲ୍ଲାର ଅଧିକାଂଶ ସ୍ଥାନରେ ବୋରୱେଲ ପାଣି ଦୂଷିତ ବୋଲି ଗତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା । ତେବେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳର ଜଳ ପ୍ରଦୂଷିତ ଥିବା ନେଇ ରିପୋର୍ଟରେ କୁହାଯାଇଥିଲା । ଏହି ଦୂଷିତ ପାଣି ପିଇବା ଫଳରେ ପେଟ ରୋଗ, କିଡନୀ ଓ ଚର୍ମରୋଗ ବ୍ୟାପିଥିଲା । ଜଳରେ ନାଇଟ୍ରେଟ, ଫ୍ଲୋରାଇଡ, ଆଇରନ, ଟୋଟାଲ କଲିଫର୍ମ, ଫେସାଲ କମିଫର୍ମ, କ୍ଲୋରାଇଡ ଆଦି କେତେ ମାତ୍ରାରେ ରହିଥିଲା ତାହା ସ୍ପଷ୍ଟ ହୋଇଥିଲା ।

ତେବେ ଶିଳ୍ପରୁ ନିର୍ଗତ ଦୂଷିତ ପାଣି ଯୋଗୁଁ ରାଜ୍ୟର ନଦୀ ଓ ନାଳର ଜଳ ବିଷାକ୍ତ ହେବାରେ ଲାଗିଛି । ରାଜ୍ୟର ପ୍ରମୁଖ ନଦୀ ଓ ନାଳ ଜଳ ଏବେ ଚିନ୍ତାର କାରଣ ସାଜିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିକଟରେ ଦିଆଯାଇଥିବା ରିପୋର୍ଟ ମୁତାବକ, ଦୟା ୱେଷ୍ଟ କେନାଲ, ତାଳଦଣ୍ଡା, ପୁରୀ କେନାଲର ଜଳ ପ୍ରଦୂଷିତ । ଏଗୁଡ଼ିକ ପିଇବା କଥା ଛାଡ଼ ଗାଧୋଇବା ଯୋଗ୍ୟ ମଧ୍ୟ ନୁହେଁ । ଗତ ବର୍ଷ ମେ ମାସରୁ ଦୟା ୱେଷ୍ଟ କେନାଲର ୮ଟି ସ୍ଥାନରୁ ଜଳ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇ ଆସୁଛି । ଏହି ତିନୋଟି କେନାଲ ଜଳ ଉପରେ ଭୁବନେଶ୍ୱର, କଟକ ଓ ପୁରୀ ବାସୀ ନିର୍ଭର କରିଥାନ୍ତି ।

ଏହିସବୁ କେନାଲ ଜଳରେ କୋଲିଫର୍ମ, ଫିକଲ କୋଲିଫର୍ମ, ବାୟୋ କେମିକାଲ ଅକ୍ସିଜେନ୍ ଡିମାଣ୍ଡ (ବିଇଡି) ପରି ପ୍ରଦୂଷିତ ଦ୍ରବ୍ୟ ଅଧିକ ମାତ୍ରାରେ ରହିଛି । ଏହା ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ । ତେବେ ଏହି ଜଳକୁ ଚାଷ କାର୍ଯ୍ୟ ନିମନ୍ତେ ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଇଛି । ସେହିପରି ବ୍ରାହ୍ମଣୀ ନଦୀ ଜଳ ମଧ୍ୟ ବିଷାକ୍ତ ପାଲଟିଥିବା ଜଣାପଡ଼ିଛି । କୁଆଖାଇ, ମହାନଦୀ, ଋଷିକୁଲ୍ୟା, କୁସୁମୀ, ସାବୁଲିଆ, ବୁଢ଼ାବଳଙ୍ଗ ପରି ୧୨ଟି ନଦୀର ଜଳ ପ୍ରଦୂଷଣମୁକ୍ତ ବୋଲି ରିପୋର୍ଟରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ନଦୀ, ନଳକୂପ ଓ ଅନ୍ୟ ପାନୀୟ ଜଳରେ ମାତ୍ରାଥିକ ଫ୍ଲୋରାଇଡ୍ ରହିଥିବାରୁ ସେ ଅଞ୍ଚଳରେ କିଡନୀ ରୋଗ ବୃଦ୍ଧି ପାଉଥିବା ଜଣାପଡ଼ିଥିଲା । ତେଣୁ ଦୂଷିତ ଜଳ ସମସ୍ୟାର ପ୍ରତିକାର ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଆବଶ୍ୟକ ।

Get real time updates directly on you device, subscribe now.