fbpx

ରାଜ୍ୟ BJPର ୩ ନେତା ସସପେଣ୍ଡ: ଦଳ ବିରୋଧୀ ଆଚରଣ ମହଙ୍ଗା ପଡ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ସଂଗଠନକୁ ସଜାଡ଼ିବାରେ ଲାଗିପଡ଼ିଛନ୍ତି । ଶାସକ ବିଜେଡି ଡବଲ ହ୍ୟାଟ୍ରିକ ଲକ୍ଷ୍ୟରେ ରହିଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ କ୍ଷମତା ଅକ୍ତିଆର ପାଇଁ ପ୍ରାଣପଣେ ସଂଘର୍ଷ କରୁଛନ୍ତି । ଏହା ମଧ୍ୟରେ ନେତାଙ୍କ ମଧ୍ୟରେ ଦଳ ବଦଳ ପର୍ବ ଆରମ୍ଭ ହୋଇ ଯାଇଛି ।

ତେବେ ସୂଚନା ମୁତାବକ, ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପିରୁ ୩ ଜଣ ନେତା ନିଲମ୍ବିତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲ ଚମ୍ପୁଆ ବିଧାନସଭା କ୍ଷେତ୍ରର ୩ ଜଣ ଦଳୀୟ ନେତାଙ୍କୁ ଦଳରୁ ସସପେଣ୍ଡ କରାଯାଇଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହି ୩ ନେତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଥିବା ଜଣପାଡ଼ିଛି । ତେବେ ଏହି ସସପେଣ୍ଡ ନୋଟିସ ପାଇବାର ଏକ ସପ୍ତାହ ମଧ୍ୟରେ ସେମାନେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଉପରେ ଉତ୍ତର ରଖିବେ ।

ତେବେ ନିଲମ୍ବିତ ହୋଇଥିବା ୩ ନେତାମାନେ ହେଲେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀକାନ୍ତ ତ୍ରିପାଠୀ, ଚମ୍ପୁଆ ଗ୍ରାମୀଣ ମଣ୍ଡଳ ସାଧାରଣ ସମ୍ପାଦକ ଜର୍ମାନ ମହାନ୍ତ ଓ ବାମେବାରୀ ମଣ୍ଡଳ ସଭାପତି ଗଣେଶ୍ୱର ପାତ୍ର । ଏହି ନେତାମାନେ ଦଳ ବିରୋଧୀ ଆଚରଣ ପ୍ରଦର୍ଶନ କରିବା ସହ ଦଳୀୟ ନେତାଙ୍କ ବିରୋଧରେ ଅପପ୍ରଚାର କରିଥିବା ଅଭିଯୋଗ ଆସିଥିଲା । ସେମାନେ ଦଳ ତଥା ଦଳୀୟ ନେତାଙ୍କ ବିରୋଧରେ ସୋସିଆଲ ମିଡ଼ିଆରେ ଅପପ୍ରଚାର କରିଥିବା ଅଭିଯୋଗ ହୋଇଥିଲା । ଏଥିସହିତ ସେମାନଙ୍କ ବିରୋଧରେ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ମଧ୍ୟ ରହିଥିଲା । ତେଣୁ ସେମାନଙ୍କର ଏହିସବୁ ଆଚରଣ ଦ୍ୱାରା ଦଳର ସମ୍ମାନ ହାନୀ ହେଉଥିବାରୁ ସେମାନଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି ।

Get real time updates directly on you device, subscribe now.