fbpx

ଲୁହରେ ଭାସିଗଲା ଦଶହରା ଖୁସି: ବଜ୍ରପାତରେ ଚାଲିଗଲା ୩ଟି ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାର୍ବଣ ଋତୁର ସମସ୍ତ ଖୁସିକୁ ସମ୍ପୂର୍ଣ୍ଣ ଭାବେ ବିଗାଡ଼ି ଦେଇଛି ବର୍ଷା । ଗୋଟିଏ ପଟେ ରାଜ୍ୟବାସୀ ଦଶହରା ପୂଜାର ଖୁସି ମନାଉଥିବା ବେଳେ ଅନ୍ୟପଟେ ଦେଖିବାକୁ ମିଳିଛି ଝଡ଼ବର୍ଷା । ତେବେ ଆଜି ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୩ ଜଣଙ୍କ ପ୍ରାଣହାନୀ ଘଟିଛି । ନୂଆ ପୋଷାକ ପରିଧାନ କରି ହସଖୁସିରେ କିଛି ପରିବାର ମାଆଙ୍କୁ ଦର୍ଶନ କରୁଥିବା ବେଳେ ଆଉ କିଛି ପରିବାରରେ ଦୁଃଖରୀ ଲହରୀ ଖେଳିଯାଇଛି ।

ସୂଚନା ମୁତାବକ, ଆଜି ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଘଟି ରାଜ୍ୟର ୩ ଜଣଙ୍କ ମୃତ୍ୟୁ ଘଟିଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭୁବନପୁର ଗ୍ରାମରେ ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଖଇରା ଥାନା ଅନ୍ତର୍ଗତ କଳଖୁଣ୍ଟା ଗ୍ରାମରେ ଜଣେ ଯୁବକ ମଧ୍ୟ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି ।

ଆଜି ପ୍ରବଳ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦଶହରା ମେଢ଼ର ଲାଇଟ୍ ଗେଟ୍ ମଧ୍ୟ ଭାଙ୍ଗିଥିବା ଜଣାପଡ଼ିଛି । ଦଶହରାରେ ଆଜି ରାଜ୍ୟବାସୀ ମାଆଙ୍କୁ ପୂଜାର୍ଚ୍ଚନା କରି ସୁଖ ସମୃଦ୍ଧି କାମନା କରୁଥିବା ବେଳେ ଅନ୍ୟପଟେ ଆସିଛି ଦୁଃଖର ଲହରୀ । ବଜ୍ରପାତରେ ମୃତ୍ୟୁବରଣ କରିଥିବା ଲୋକଙ୍କର ପରିବାରରେ ଦୁର୍ଗାପୂଜାରେ ଶୋକର ଲହରୀ ଛାଇ ଯାଇଛି ।

Get real time updates directly on you device, subscribe now.