fbpx

୩ ବିଜେଡି ନେତା ସସପେଣ୍ଡ: ଜୋନ ସଭାପତି, କାଉନସିଲର ଦଳରୁ ବିଦା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଗତ କିଛି ମାସ ମଧ୍ୟରେ ଦଳରେ ଅନେକ ନୂଆ ନେତାଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି ।

ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ବିଜେଡି ସମସ୍ତ ପ୍ଲାନ ପ୍ରସ୍ତୁତ କରିସାରିଛି । ଏହା ମଧ୍ୟର ଦଳ ପଞ୍ଚାୟତ, ବ୍ଲକ ଠାରୁ ଆରମ୍ଭ କରି ରାଜ୍ୟ ସ୍ତରରେ ଅନେକ ନେତାଙ୍କୁ ବଡ଼ ଦାୟିତ୍ୱ ପ୍ରଦାନ କରିଛି । ସର୍ବଦା ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆସିଥିବା ବିଜେଡି ସଭାପତି ନବୀନ ଦଳ ବିରୋଧୀ କାର୍ଯ୍ୟକୁ କଦାପି ପ୍ରଶ୍ରୟ ଦେଇନଥାନ୍ତି । ଅତୀତରେ ବହୁ ନେତାଙ୍କୁ ସେ ଦଳରୁ ବହିଷ୍କୃତ ଓ ସସପେଣ୍ଡ କରିଛନ୍ତି ।

ଏହା ମଧ୍ୟରେ ଦଳ ବିରୋଧୀ କାର୍ଯ୍ୟ କାରଣରୁ କୋରାପୁଟ ନିର୍ବାଚନ ମଣ୍ଡଳୀର ନେତା ରଘୁରାମ ମାଛଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ଗତକାଲି ରଘୁରାମଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ବେଳେ ପୁଣି ୩ ଜଣ ନେତାଙ୍କୁ ଦଳରୁ ସସପେଣ୍ଡ କରିଛନ୍ତି ବିଜେଡି ସୁପ୍ରିମୋ । ଭବାନିପାଟଣା ନିର୍ବାଚନ ମଣ୍ଡଳୀର ଜୟନ୍ତ ନାଏକଙ୍କୁ ସସପେଣ୍ଡ କରାଯାଇଥିବା ବେଳେ ବଲାଙ୍ଗିର ବିଜୁ ଯୁବ ଜନତା ଦଳ ଜୋନ ସଭାପତି ମନୀନ୍ଦ୍ର ମହାନ୍ତିଙ୍କୁ ସସପେଣ୍ଡ କରାଯାଇଛି । ସେହିପରି ଭବାନିପାଟଣାର ୭ନଂ ୱାର୍ଡ କାଉନସିଲର ଶିବ ସାହୁଙ୍କୁ ମଧ୍ୟ ଦଳରୁ ସସପେଣ୍ଡ କରାଯାଇଛି ।

Get real time updates directly on you device, subscribe now.