fbpx
BJD SKY
BJD SKY

ଜୟପୁର ବିଧାନସଭା ଆସନରେ ହେବ ତ୍ରିମୁଖୀ ଲଢ଼େଇ: ମୈଦାନରେ ତାରା-ଇନ୍ଦିରା-ଗୌତମ, କାହାକୁ ବାଛିବେ ଜନତା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇସାରିଛି । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ ଗ୍ରହଣ କରାଯିବ । ବର୍ତ୍ତମାନ ସମୟରେ ରାଜ୍ୟର ତିନି ପ୍ରମୁଖ ରାଜନେତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଅନ୍ୟପଟେ ନେତାମାନେ ଦଳ ବଦଳ କରୁଥିବାରୁ ଅନେକ ଆସନରେ ଦଳୀୟ ଭୋଟ ବିଭାଜନ ହେବାର ଆଶଙ୍କା ରହିଛି ।

ତେବେ ଏଥର ନିର୍ବାଚନରେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି କୋରାପୁଟ ଜିଲ୍ଲାର ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ । ଏହି ଆସନ ପାଇଁ ବିଜେଡିରୁ ଇନ୍ଦିରା ନନ୍ଦ, କଂଗ୍ରେସରୁ ତାରା ପ୍ରସାଦ ବାହିନୀପତି ପ୍ରାର୍ଥୀ ହୋଇଥିବା ଆଜି ବିଜେପି ମଧ୍ୟ ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଗୌତମ ସାମନ୍ତରାୟ ଏହି ଆସନରେ ବିଜେପି ପକ୍ଷରୁ ଲଢ଼ିବେ । ତାରା-ଇନ୍ଦିରା-ଗୌତମଙ୍କ ମଧ୍ୟରେ ଏଥର ତ୍ରିମୁଖୀ ହେବାର ସମ୍ଭାବନା ରହିଛି । ତେଣୁ ଏପରି ସ୍ଥିତିରେ ଜନତା ଦଳକୁ ଦେଖିବେ ନା ନେତାଙ୍କୁ ଦେଖି ସେମାନଙ୍କର ମତଦାନ କରିବେ ତାହା ଏବେ ବଡ଼ ପ୍ରଶ୍ନ ।

ବର୍ଷ ବର୍ଷ ଧରି ଜୟପୁର ଆସନରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ୨୦୧୯ରେ ଏହି ଆସନରେ ତାରା ଜିତିଥିବା ବେଳେ ସେ ୫୯ ହଜାରରୁ ଅଧିକ ଭୋଟ ପାଇଥିଲେ । ସେହିପରି ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦ ୫୪ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଗୌତମ ୩୩ ହଜାରରୁ ଅଧିକ ଭୋଟ ପାଇଥିଲେ । ଏହି ଆସନ ପାଇଁ ଏଥର ଦଳ ରବିଙ୍କ ଧର୍ମପତ୍ନୀ ଇନ୍ଦିରାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ରିପିଟ୍ ହୋଇଛନ୍ତି । ଗତ ଥର ପାଖାପାଖି ୫ ହଜାର ଭୋଟରେ ତାରା ଜିତିଥିବା ବେଳେ ଏଥର କଡ଼ା ଟକ୍କର ହେବାର ସମ୍ଭାବନା ରହିଛି । ସେହିପରି ୨୦୧୪ରେ ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ତାରା ଜିତିଥିବା ବେଳେ ୨୦୦୦, ୨୦୦୪ ଓ ୨୦୦୯ରେ ବିଜେଡି ପ୍ରାର୍ଥୀ ରବି ନନ୍ଦ ଜିତିଥିଲେ ।

Get real time updates directly on you device, subscribe now.