ତାଣ୍ଡବ ରଚୁଛି କାଳବୈଶାଖୀ, ଆହୁରି ବର୍ଷିବ !

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କୁଆପଥର ବର୍ଷା । ବିଭିନ୍ନ ସ୍ଥାନରେ କୁଆପଥର ସାଙ୍ଗକୁ ବର୍ଷା ଦେଖାଯାଇଛି । ତେବେ ଆଜି ବି ଅନେକ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ରବିବାର କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର,  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ  ଗଜପତିରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । କେତେକ ସ୍ଥାନରେ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି ।

ବିଜୁଳି ଘଡ଼ଘଡ଼ି ଓ  କୁଆପଥର ମାଡ଼ ହୋଇପାରେ। ୫୦ରୁ ୬୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ । ଗତ ୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୨୩.୪  ମିମି ବର୍ଷା ରେକର୍ଡ ହୋଇଛି ।

ସେହିପରି ଗଞ୍ଜାମ, ମୟୂରଭଞ୍ଜ,  ନୟାଗଡ଼, ନବରଙ୍ଗପୁର ଓ ବାରିପଦାରେ ବର୍ଷା ହୋଇଥିଲା । ଶନିବାର ବଜ୍ରପାତରେ ଦିଗପହଣ୍ଡି ଓ ବ୍ରହ୍ମଗିରିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଆସନ୍ତାକାଲି ସକାଳ ସୁଦ୍ଧା ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।