fbpx

କେନ୍ଦ୍ର ସରକାରଙ୍କର ବଡ଼ ଯୋଜନା: ଆସନ୍ତା ୨୦୨୫ ମଧ୍ୟରେ ଦେଶର ୧ କୋଟି ଛାତ୍ରଛାତ୍ରୀ ଇଣ୍ଟର୍ଣ୍ଣଶିପ୍ କରିବେ

Advertisement

ନୂଆଦିଲ୍ଲୀ: ଦେଶର ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଏହା ମଧ୍ୟରେ କେନ୍ଦ୍ର ସରକାର ପୁଣି ଏକ ବଡ଼ ଯୋଜନା କରୁଛନ୍ତି । ଆସନ୍ତା ୨୦୨୫ ବର୍ଷ ସୁଦ୍ଧା ଦେଶର ୧ କୋଟି ଛାତ୍ରଛାତ୍ରୀ ଇଣ୍ଟର୍ଣ୍ଣଶିପ କରିବେ । ଛାତ୍ରଛାତ୍ରୀଙ୍କର ପୁସ୍ତକଗତ ଜ୍ଞାନ ସହିତ ଦକ୍ଷତା ବିକାଶ ହେବା ଦରକାର । ସେଥିପାଇଁ ଇଣ୍ଟର୍ଣ୍ଣଶିପ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ଦକ୍ଷତାର ବିକାଶ କରାଯିବ ।

ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଆଶ୍ୱସ୍ତିକର ଖବର । ଏଣିକି ଛାତ୍ରଛାତ୍ରୀମାନେ ଡିଗ୍ରୀ ନେବା ପୂର୍ବରୁ ପ୍ରୋଫେସନାଲ ଓ କାର୍ଯ୍ୟର ଟ୍ରେନିଂ ମଧ୍ୟ ନେଇ ପାରିବେ । ସ୍ନାତକ ଡିଗ୍ରୀ ପ୍ରୋଗ୍ରାମରେ ପାଠପଢ଼ା କରିବା ସହିତ ସେମାନେ ଘରେ ବସି ନିଜ ପସନ୍ଦର କ୍ଷେତ୍ରରେ ଇଣ୍ଟର୍ଣ୍ଣଶିପ କରିବାର ସୁଯୋଗ ପାଇ ପାରିବେ ।

ନ୍ୟାସନାଲ ଇଣ୍ଟର୍ଣ୍ଣଶିପ ପୋର୍ଟାଲ ମାଧ୍ୟମରେ ୨୦୨୫ ସୁଦ୍ଧା ଏକ କୋଟି ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣଶିପ ପ୍ରଦାନ କରାଯିବ । ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ, ଆର୍କିଟେକଚର, ମ୍ୟାନେଜମେଣ୍ଟ, ନର୍ସିଂ, ଫାର୍ମାସୀ, ଆର୍ଟସଠାରୁ ଆରମ୍ଭ କରି ଅନ୍ୟ ପାଠ୍ୟକ୍ରମର ଫାଇଦା ଉଠାଇ ପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ପରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଏଆଇସିଟିଇ ଇଣ୍ଟର୍ଣ୍ଣଶିପ ପୋର୍ଟାଲକୁ ନ୍ୟାସନାଲ ଇଣ୍ଟର୍ଣ୍ଣଶିପ ପୋର୍ଟାଲରେ ପରିବର୍ତ୍ତିତ କରିଛି ।

ପୋର୍ଟାଲରେ ଛାତ୍ରଛାତ୍ରୀ ଓ କମ୍ପାନୀ ଉଭୟେ ପଞ୍ଜିକରଣ କରିବା ସହିତ ନିଜର ସମ୍ପୂର୍ଣ୍ଣ ପ୍ରୋଫାଇଲ ଅପଲୋଡ୍ କରିବେ । ସେଥିରେ ଛାତ୍ରଛାତ୍ରୀଙ୍କୁ ନିଜର କୋର୍ସ, ଦକ୍ଷତା ବିକାଶ ସହିତ ଭାଷା ଓ ମନପସନ୍ଦର କୋର୍ସର ବିବରଣୀ ଦେବାକୁ ପଡ଼ିବ । କମ୍ପାନୀମାନେ ନିଜର ବିଜ୍ଞାପନ ଅପଲୋଡ୍ କରିବ । ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ପରେ ପ୍ରୋଫାଇଲରେ ଦିଆଯାଇଥିବା ସମସ୍ତ ତଥ୍ୟକୁ ସେମାନଙ୍କର କଲେଜ କ୍ରସ ଚେକ୍ କରିବେ । ଏହି ଆଧାରରେ କମ୍ପାନୀମାନେ ଛାତ୍ରଛାତ୍ରୀଙ୍କୁ ନିଜେ ଚୟନ କରି କଲ କରିବେ ।

Get real time updates directly on you device, subscribe now.