fbpx

ମମତାଙ୍କ ଆଉ ଜଣେ ବିଧାୟକଙ୍କୁ ଗିରଫ କଲା ଇଡି, ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଘୋଟାଲାର ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମାମଲାରେ ଏବେ ତୃଣମୂଳ କଂଗ୍ରେସର ଆଉ ଜଣେ ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଇଡି ଗିରଫ କରିଛି। ଏହା ପୂର୍ବରୁ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଏଜେନ୍ସି ଗିରଫ କରିଥିଲା। ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀଙ୍କ ବାସଭବନରୁ କୋଟି କୋଟି ଟଙ୍କା ନଗଦ ଜବତ ହୋଇଥିଲା। ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ଥିଲେ। ଚଳିତ ବର୍ଷ ଜୁନରେ କଲିକତା ହାଇକୋର୍ଟଙ୍କ ଆଦେଶ କ୍ରମେ ତାଙ୍କୁ ପଦରୁ ହଟାଯାଇଥିଲା। ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ସେ ସଂପୃକ୍ତି ଥିବା ଅଭିଯୋଗ ଉଠିଥିଲା।

ଇଡି ଟିଏମସିର ଦ୍ଵିତୀୟ ବିଧାୟକ ଭାବେ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଗିରଫ କରିଛି। ଏହା ପୂର୍ବରୁ ଜୁଲାଇରେ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯାଇଥିଲା। ଏପରିକି ଚାଟାର୍ଜୀଙ୍କ ଘନିଷ୍ଠ ଅର୍ପିତା ମୁଖାର୍ଜୀଙ୍କ ଦୁଇଟି ଫ୍ଲାଟରୁ ୫୦ କୋଟିରୁ ଅଧିକ ନଗଦ ଜବତ ହୋଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାର୍ଥଙ୍କୁ ମନ୍ତ୍ରୀ ପଦ ସହ ପାର୍ଟିରୁ ବହିଷ୍କାର କରିଥିଲେ। ଅନ୍ୟପକ୍ଷେ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ସିବିଆଇ ସାମ୍ନାରେ ହାଜର ହେବାକୁ କଲିକତା ହାଇକୋର୍ଟ ଆଦେଶ ଦେଇଥିଲେ। ଏହାକୁ ବିରୋଧ କରି ମାଣିକ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ ଏବଂ ତାଙ୍କୁ ସର୍ଵୋଚ୍ଚ ନ୍ୟାୟାଳୟରୁ ଆଶ୍ଵସ୍ତି ମିଳିଥିଲା। ଆଗାମୀ କୌଣସି ନିର୍ଣ୍ଣୟ ପର୍ଯ୍ୟନ୍ତ ମାଣିକଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯିବ ନାହିଁ ବୋଲି ଉଚ୍ଚତମ ନ୍ୟାୟାଳୟ ଆଦେଶ ଦେଇଥିଲେ।
ହେଲେ ବର୍ତ୍ତମାନ ଇଡି ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଗିରଫ କରିଛି। ଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭଟ୍ଟାଚାର୍ଯ୍ୟଙ୍କୁ ସୁପ୍ରିମକୋର୍ଟରୁ ଯେଉଁ ଆଶ୍ଵସ୍ତି ମିଳିଥିଲା, ତାହା ସିବିଆଇକୁ ନେଇ ଥିଲା। କିନ୍ତୁ ଇଡି ଭିନ୍ନ ଏଜେନ୍ସି। ଏହି ମାମଲାରେ ଇଡି ଅଲଗା ତଦନ୍ତ କରୁଛି ଏବଂ ଆର୍ଥିକ ନେଣଦେଣ ଉପରେ ଏଜେନ୍ସିର ନଜର ରହିଛି। ଆଜି ମାଣିକଙ୍କୁ ପିଏମଏଲଏ କୋର୍ଟରେ ହାଜର କରାଯିବ। ସୂଚନାଯୋଗ୍ୟ, ଚଳିତ ବର୍ଷ ମେ ମାସରେ କଲିକତା ହାଇକୋର୍ଟ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ତଦନ୍ତ ଆଦେଶ ଦେଇଥିଲେ। ଇଡିକୁ ମଧ୍ୟ ମାମଲାର ତଦନ୍ତରେ ସାମିଲ୍ କରାଯାଇଥିଲା। ଇଡି ପକ୍ଷରୁ ସେପ୍ଟେମ୍ବରରେ କେସ୍ ଉପରେ ପ୍ରଥମ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

Get real time updates directly on you device, subscribe now.